କଂଗ୍ରେସରୁ ବର୍ତ୍ତମାନ କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ଦିନକୁ ଦିନ ଏ ସଂଖ୍ୟା ବଢ଼ିବାରେ ଲାଗିଛି।’ ଦଳର ନେତୃତ୍ୱକୁ ଆଜି ଏମିତି ଢଙ୍ଗରେ ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ। ‘ଜାନକୀ ବାବୁ ଓ ବସନ୍ତବାବୁ ଯୋଡ଼ି- ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୋଗ’ ଆଲୋଚନାଚକ୍ରରେ ଭାଗ ନେଇ ଶ୍ରୀ ବିଶ୍ୱାଳ ବର୍ତ୍ତମାନ କଂଗ୍ରେସରେ ଦେଖାଇଥିବା ଗୋଷ୍ଠୀ କନ୍ଦଳର ଗୁମର ବର୍ଣ୍ଣନା କରିଥିବା ବେଳେ ୧୯୮୦ ମସିହାରେ ଥିବା ସୁବର୍ଣ୍ଣ ଯୁଗ ଗାଥାକୁ ମନେ ପକାଇଥିଲେ।
ଚରଞ୍ଜୀବୀ ବିଶ୍ୱାଳ କହିଥିଲେ, ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେଉଁ କଂଗ୍ରେସ ନେତାମାନେ ଦଳ ପାଇଁ ଲଢ଼େଇ କରିଛନ୍ତି, ସେମାନଙ୍କୁ ଏକଜୁଟ୍ କରିବାର ସମୟ ଆସିଛି। ୧୯୭୭ ମସିହାରେ ଜରୁରୀକାଳୀନ ପରିସ୍ଥିତି ପରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟରେ ହାରି ଯାଇଥିଲା। ଯେଉଁ ରାଜନୈତିକ ଇଚ୍ଛାଶକ୍ତି ଜାନକୀବାବୁ, ବସନ୍ତବାବୁ ଓ ନିରଞ୍ଜବାବୁଙ୍କର ଥିଲା, ତାହା ଏବେ ଆଉ ନାହିଁ। କଂଗ୍ରେସ ହାରିବ ବୋଲି ମୂଳରୁ ପ୍ରସ୍ତୁତ ହୋଇ ରହିଛି। ନୂଆ ପିଲାମାନେ କଂଗ୍ରେସକୁ ଆସିବା ପାଇଁ ମନସ୍ତ କରୁନାହାନ୍ତି। ଦଳ ମଧ୍ୟ ଚେଷ୍ଟା କରୁନାହିଁ। ଆମ ଦଳର ଗୋଟିଏ ପୁରୁଣା ରୋଗ ଅଛି, ଯିଏ ପିସିସି ସଭାପତି ହେବ, ସିଏ କାହାକୁ ପଚାରିବ ନାହିଁ। ପିସିସି ସଭାପତି ନହେବା ଯାଏଁ ସବୁ ଠିକ୍, ହୋଇଗଲା ପରେ ବଦଳି ଯାଆନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଥିଲେ।