ଭଞ୍ଜନଗର,୨୨/୦୫ : ଭଞ୍ଜନଗର ଥାନା ଅଧୀନ ଗୋହିରିବାଡି ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ପ୍ରଦିପ ଗୌଡଙ୍କ ପତ୍ନୀ ଅଞ୍ଜନା ଗୌଡ(୨୫)। ରବିବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ସେ ଗୁରୁତର ହୋଇ ପଡିବାରୁ ପରିବାର ଲୋକ ଡାକ୍ତରଖାନା ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା। ଏହାପରେ ଅଞ୍ଜନାଙ୍କ ବାପା ଧନୁ ଗୌଡ ତାଙ୍କ ଝିଅକୁ ଜ୍ବାଇଁ ହତ୍ୟା କରିଥିବା ନେଇ ଅଭିଯୋଗ କରିବା ପରେ ପୁଲିସ୍ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅଞ୍ଜନାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ପୁଲିସ୍ କେସ୍ ନମ୍ବର ୪୦୮/୨୩ ରେ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ପ୍ରଦିପ ଏବଂ ଅଞ୍ଜନା ୮ ବର୍ଷ ତଳେ ବିବାହ କରିଥିବା ବେଳେ ସେମାନଙ୍କ ଗୋଟିଏ ଝିଅ ଏବଂ ପୁଅ ରହିଛନ୍ତି। ପ୍ରଦିପ ସୁରାଟରେ ରହି କାର୍ଯ୍ୟ କରୁଥିବା ବେଳେ ସେ ଗତ ଦୁଇମାସ ତଳେ ଘରକୁ ଫେରିଥିଲେ। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ତାଙ୍କ ଝିଅକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ବିଷ ପିଆଇ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି। ବାପାର ଅଭିଯୋଗ ପ୍ରକାରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ଶ୍ରୀ ଦାସ କହିଛନ୍ତି।