ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସିନ୍ଧେକେଲା ଗ୍ରାମର ମୂଳବାସିନ୍ଦା ତଥା ପ୍ରକୃତିପ୍ରେମୀ ଶ୍ରୀ ସାଇପ୍ରସାଦ ସାହୁ ନିଜ ଉଦ୍ୟମରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ପକ୍ଷୀମାନଙ୍କ ଶୋଷ ମେଣ୍ଟାଇବା ପାଇଁ ନିଆରା ବ୍ୟବସ୍ଥା କରିଛନ୍ତି । କିଛି ଦିନ ହେଲା ତାତିରୁ ଟିକେ ହେଲେ ଜୀବଜଗତ ପାଇଁ ନିସ୍ତାର ନାହିଁ। ସୂର୍ଯ୍ୟ ଉଇଁବା ପୂର୍ବରୁ ପରିବେଶଟା ଯେମିତି ପୂରା ଗୁମ୍ ସୁମ୍ ହୋଇଯାଉଛି । ଗଛ,ପତ୍ର ବି ଟିକେ ଦୋହଲିବା କଷ୍ଟକର। ଦିନ ବଢ଼ିବା ସହ ଗରମର ନିର୍ଯାତନା ବଢ଼ି ଚାଲିଛି। ଦିନବେଳେ ତାପମାତ୍ରା ୪୫ ଡିଗ୍ରୀ ଉପରେ । ନଦୀ,ନାଳ,ପୋଖରୀରେ ଥିବା ପାଣି ମଧ୍ୟ ଶୁଖିଲା ପଡିଛି। ଠିକ୍ ଏହି ସମୟରେ ବିଭିନ୍ନ ଗଛମାନଙ୍କରେ ମାଟି ପାତ୍ର ଲଗେଇ ସେଥିରେ ପକ୍ଷୀମାନଙ୍କ ପାଇଁ ପ୍ରତ୍ୟେକ ଦିନ ସକାଳୁ ପାଣି ଦେଉଛନ୍ତି। ଗଛରେ ବସବାସ କରୁଥିବା ପକ୍ଷୀମାନେ ପାଣି ପିଇବା ବ୍ୟତୀତ ଅନ୍ୟ ପକ୍ଷୀମାନଙ୍କ ମଧ୍ୟରେ କାଉ ,ଶୁଆ,କୋଚିଲାଖାଇ,ହଳଦୀ ବସନ୍ତ ଭଳି ପକ୍ଷୀମାନେ ତୃଷାର୍ଥ ମେଣ୍ଟାଉଛନ୍ତି। ଗଛ ଉପରେ ମାଟି ପାତ୍ର ଓ ଗଛ ତଳେ ରଖାଯାଇଥିବା ମାଟି ପାତ୍ରରେ ପାଣିର ବ୍ୟବସ୍ଥା କରାଯାଇଛି । ଶ୍ରୀ ସାହୁ ନିଜ ଅଞ୍ଚଳରେ ପରିବେଶ ସଚେତନତା,ବନ୍ୟାପ୍ରାଣୀ ସୁରକ୍ଷା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଭଳି ଅନେକ ସଚେତନତା କାର୍ଯ୍ୟ କରିଛନ୍ତି । ପଶୁପକ୍ଷୀମାନଙ୍କ ପାଇଁ ଏ ଭଳି କାମ କରୁଥିବାରୁ ଶ୍ରୀସାହୁ ନିଜ ଅଞ୍ଚଳରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।