ବରଗଡ,; ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ତୋଳାଳୀ,ଗୁଛା କଟାଲି ଶ୍ରମିକ,ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକ ମାନଙ୍କ ହକ ପାଇଁ ଏକ ଯୋରଦାର ଆନ୍ଦୋଳନ ପାଇଁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ନିଷ୍ପତ୍ତି ଦେଇଛି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡିଭିଜନ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ପାଇକମାଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । କେନ୍ଦୁପତ୍ର ସଂସ୍ଥା ବର୍ଷକୁ ୨ଶହ କୋଟି ଟଙ୍କା ଲାଭ ଦେଉଥିବା ବେଲେ ଓଡ଼ିଶା ସରକାର କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବାରମ୍ବାର ପ୍ରତାରିତ କରୁଥିବା ନେଇ ବୈଠକରେ ସଂଘର ନେତା ମାନେ ମତ ଦେଇଥିଲେ ।ଛତିଶଗଡ,ମଧ୍ଯ ପ୍ରଦେଶ,ଗୁଜରାଟ, ମହାରାଷ୍ଟ୍ର ଓ ଅନ୍ଯାନ୍ଯ ରାଜ୍ଯ ସରକାର କେନ୍ଦୁପତ୍ର ଲାଭାଂଶ ର ଶତ ପ୍ରତିଶତ ବୋନସ ଶ୍ରମିକ ମାନଙ୍କୁ ଦେଉଥିବା ବେଲେ ଓଡ଼ିଶା ସରକାର ପ୍ରତି କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ନିର୍ବାଚନ ପାଇଁ ୨ ହଜାର ଟଙ୍କା ଓ ସିଜିନାଲ କର୍ମଚାରୀ ମାନଙ୍କୁ ୧୫ ଶହ ଟଙ୍କା ଦେଇ ଠକି ଦେଇଥିବା କଥା ଅନେକ ନେତା ପ୍ରକାଶ କରିବା ସହ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ଛାତ୍ର ବୃତ୍ତି ଓ ବିବାହ ସହାୟତା ମଧ୍ଯ ଓଡ଼ିଶା ସରକାର ବନ୍ଧ କରି ଦେଇଥିବା ରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ୨୦୧୩ ରେଢାଖୋଲ ସମାବେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀ ମାନଙ୍କ ପାଇଁ ଚାକିରୀ ସର୍ତ୍ତାବଳୀ ଲାଗୁ କରାଯିବ କଥା ଘୋଷଣା କରିଥିଲେ ମଧ୍ଯ ଏ ଯାଏ ଏହା କାର୍ଯ୍ଯକାରୀ କରି ନଥିବାରୁ ମୁଖ୍ୟମନ୍ତ୍ରୀ ବାରମ୍ବାର ପ୍ରତାରଣା କରୁଛନ୍ତି ବୋଲି କେନ୍ଦୁପତ୍ର ଶ୍ରମିକ ନେତା ଶ୍ରୀ କୋକିଲ ସାହୁ ତାଙ୍କ ବକ୍ତବ୍ଯରେ ମତ ପ୍ରଦାନ କରିଥିଲେ । ଅନେକ ଆଲୋଚନା ବିଚାର ବିମର୍ଶ ପରେ ଆସନ୍ତା ଜୁଲାଇ ୩ ତାରିଖ ଦିନ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ନିଜ ହକ ଦାବୀ ହାସଲ ପାଇଁ ବିରାଟ ଜନ ବିକ୍ଷୋଭ କରିବା ପାଇଁ ସଂଘ ନିଷ୍ପତ୍ତି ଦେଇଛି । ଏହି ବୈଠକରେ ରୁଷଭ ପ୍ରଧାନ,ଚୁଡାମଣୀ ପାଣିଗ୍ରାହୀ,ମନୋହର ଗଉଡ,ମଧୁ ସାହୁ,ସୁରେଶ ପଣ୍ତା,ଚକାମନ ପ୍ରଧାନ,ରକ୍ମଣ ବଗର୍ତ୍ତି,ଘନଶ୍ୟାମ ଭୋଇ,ରକ୍ମଣ ମଣୀ ହୋତା,ଶ୍ଯାମ ଚନ୍ଦନ,ମାୟାରାମ ନାୟକ ଆଦି ଉପସ୍ଥିତ ଥିଲେ ।