ପୁରୀ : ସୁରୁଖୁରୁରେ ସମାପ୍ତ ହୋଇଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଚଳିତବର୍ଷ ଆଇନ୍ଶୃଙ୍ଖଳା ପରିଚାଳନାକୁ ନେଇ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି । ରଥ ଯାତ୍ରା ସମୟରେ ୨୫ରୁ ୩୦ଲକ୍ଷ ଲୋକ ସମାଗମ ହୋଇଥିବାବେଳେ ସଫଳ ଟ୍ରାଫିକ ପରିଚାଳନା, ପୁରୀକୁ ଆସିଥିବା ଲୁଟେରାଙ୍କୁ ଯେଭଳି ପୁଲିସ୍ ଆଗୁଆ ଗିରଫ କରି ବଡ ଧରଣର ଅଘଟଣକୁ ଟାଳିଲା ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ ପାଇଁ ସହଯୋଗର ହାତ ବଢାଇଲା ତାହାକୁ ସବୁ ମହଲରୁ ସାବାସୀ ମିଳୁଛି ।
ତେବେ ଚଳିତବର୍ଷ ପୁଲିସ୍ର ଏଭଳି ସଫଳତା ପଛରେ ଦକ୍ଷ ରଣନୀତି ତଥା ଦୂରଦୃଷ୍ଟି ରହିଥିଲା ସେମାନଙ୍କ ମଧ୍ୟରେ ଆଗରେ ଥିଲେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ । ଶ୍ରୀ ସିଂହ ପୂର୍ବରୁ ପୂରୀର ଏସପି ଥିବା ବେଳେ ସହରର ଗଳି କନ୍ଦି ସଂକ୍ରାନ୍ତରେ ବେଶ ଭଲଭାବେ ଅବଗତ ଥିଲେ । ତେଣୁ ଆଗରେ ରହି ପୁଲିସ୍ ବଳର ପରିଚାଳନା କରିଥିଲେ । ବର୍ତ୍ତମାନର ଏସପି କେ ଭିଶାଲ ସିଂହଙ୍କ ଲୋକ ସମ୍ପର୍କ ମଧ୍ୟ ଅତି ଉତ୍ତମ ରହିଥିବାରୁ ବ୍ୟବସ୍ଥାରେ କୌଣସି ତ୍ରୁଟି ବିଚ୍ୟୁତି ଦେଖା ଯାଇନଥିଲା ।
ଚଳିତବର୍ଷ ସବୁଠାରୁ ବଡ ଆହ୍ୱାନ ଥିଲା ଟ୍ରାଫିକ ପରିଚାଳନା । ଗୁଣ୍ଡିଚାରୁ ବାହୁଡା ମଧ୍ୟରେ ହଜାର ହଜାର ଚାରିଚକିଆ ଯାନ ପୁରୀକୁ ପ୍ରବେଶ କରିଥିବାବେଳେ ଏହାକୁ ଠିକଣା ଭାବେ ପାର୍କିଂ ଯୋଗାଇବା ଏବଂ ପରିଚାଳନା କରିବା ରାଜ୍ୟ ପୁଲିସ୍ ପାଇଁ ବଡ ଆହ୍ୱାନ ଥିଲେ ମଧ୍ୟ ତାହାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଫଳରେ ଗୋଟିଏ ହେଲେ ଅଘଟଣ ଘଟିନଥିଲା ।
ରଥଯାତ୍ରା ସମୟରେ ଦେଶ ବିଦେଶରୁ ଅନେକ ଭିଭିଆଇପି ସହରକୁ ଆସୁଥିବାରୁ ପୋଲିସ ପାଇଁ ଏହା ଭିନ୍ନ ଏକ ଆହ୍ୱାନ ହୋଇଥାଏ । ଏହାଛଡା ଚଳିତବର୍ଷ ସେବାୟତଙ୍କ ସହିତ ପୁଲିସ୍ର ସଠିକ ସମନ୍ୱୟ ଯୋଗୁଁ ଅନେକ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ବ୍ୟକ୍ତିଗତ ଭାବେ ଏସବୁର ତଦାରଖ କରୁଥିଲେ ।
ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ଥିବା ଅତିରିକ୍ତ ପୋଲିସ ଡିଜି ସଂଜୟ କୁମାର, ଅତିରିକ୍ତ ପୋଲିସ ଡିଜି ତଥା ପରିବହନ କମିଶନର ଅମିତାଭ ଠାକୁର, ଡିଆଇଜି ଅଖିଳେଶ୍ୱର ସିଂହ ,ଡିଆଇଜି ତଥା ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ ପ୍ରମୁଖଙ୍କ କାର୍ଯ୍ୟ ଚଳିତ ରାଜ୍ୟ ପୁଲିସ୍ ପାଇଁ ଅନେକ ସଫଳତା ସାଉଁଟିଛି ।