ଜନଶୁଣାଣୀ ଶିବିରରେ ବିଜେପିର ୭ ଦଫା ଦାବୀ

ଜଳେଶ୍ୱର-୪/୭(ନ.ନ୍ୟୁ. ସ)-ଜଳେଶ୍ୱର ବ୍ଲକ ପରିସରରେ ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଭାଜପା ଜଳେଶ୍ୱରର ନଗର ସଭାପତି ତଥା ପୌର ସାଂସଦ ପ୍ରତିନିଧି ଫାଲ୍ଗୁନୀ ପାଣିଗ୍ରାହୀ ଜଳେଶ୍ୱର ବ୍ଲକ ଓ ମୁନସିପାଲିଟିର ବିଭିନ୍ନ ସମସ୍ୟା ଓ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସାତ ଦଫା ଦାବୀ ସମ୍ପର୍କରେ ଜିଲ୍ଲାପାଳ ଦତ୍ତତ୍ରୟ ଭାଉସାହେବ ସିନ୍ଧେଙ୍କ ନିକଟରେ ଅଭିଯୋଗ କରିଥିଲେ l ଜଳେଶ୍ୱର ବ୍ଲକରେ ହିତାଧିକାରୀ ତାଲିକାରେ ଯୋଗ୍ୟ ଲୋକଙ୍କ ନାମ ବାଦ ଦିଆଯାଇ ଅଯୋଗ୍ୟ ଲୋକଙ୍କ ନାମକୁ ଯୋଗ୍ୟ କରାଯାଇ କେନ୍ଦ୍ର ସରକାରଙ୍କ ଅର୍ଥକୁ ବାଟ ମାରଣା କରାଯାଉଛି l

ଅନେକ ଅଯୋଗ୍ୟ ଏବଂ ଧନୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ସେମାନଙ୍କୁ ରାଜନୈତିକ ଚାପରେ ଯୋଗ୍ୟ ତାଲିକାରେ ପ୍ରଶାସନ ଅନ୍ତର୍ଭୁକ୍ତ କରିଛି l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ଲୋକଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଘର ପ୍ରଦାନ ପାଇଁ ଦଳ ଦାବିକରିଛି l ଗତ ୨୧-୧୨-୨୨ତାରିଖରେ ଜଳେଶ୍ୱର ସହରର ଏକ ଘରୋଇ କ୍ଲିନିକରେ ଶିଶୁ ବିଶେଷଜ୍ଞ ସୌରଭ ସାହୁଙ୍କ ଅବହେଳା ପାଇଁ  ଶିଶୁ ମୃତ୍ୟୁ ହୋଇଥିଲା ଯେଉଁଥିରେ ପୋଲିସ ଓ ସ୍ଥାନୀୟ ପ୍ରଶାସନର ଉପସ୍ଥିତିରେ ରୁଦ୍ଧଦ୍ୱାରା ବୈଠକରେ ଉକ୍ତ ଘଟଣାକୁ ରଫାଦଫା କରିଦିଆଯାଇଥିଲା l ଉକ୍ତ ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ l ଜି.କେ ଭଟ୍ଟର ହସ୍ପିଟାଲରେ ଆବଶ୍ୟକ ମୁତାବକ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ଜଳେଶ୍ୱର-ଡିପିପୁର ଆରଡି ରାସ୍ତାର ପଥରପୁରାଠାରେ ମରାମତି ପାଇଁ ଦଳ ଦାବି କରିଛି l

ମେଗା ପାନୀୟ ଜଳ ପ୍ରକଳ୍ପ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ମିଳିତ ଅନୁଦାନରେ ହେଉଥିଲେ ହେଁ ଜଲ ଜୀବନ ମିଶନ ଯୋଜନାର ନାମ ନରଖି କେବଳ ବସୁଧା ଯୋଜନାର ଫଳକ ଲଗାଯାଉଛି, ଯାହାକୁ ଦଳ ଅଭିଯୋଗ କରିଛି l ଜଳେଶ୍ୱର ବାଟଗ୍ରାମ ଏଲ ସି ୪୫ ରେ ନିର୍ମାଣଧିନ ଥିବା ରେଳ ଓଭରବ୍ରିଜ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ହେଉଥିଲେ ହେଁ ରାସ୍ତା ଓ କୋଠାବାଡ଼ି ବିଭାଜନ-୨ ଦ୍ୱାରା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଫୋଟ ଲଗାଇବାକୁ ଦଳ ଅଭିଯୋଗ କରିଛି l ଗତ ୨୨-୨୩ ଆର୍ଥିକ ବର୍ଷରେ ଜଳେଶ୍ୱର ପୌର ପାଳିକାରେ ସଫେଇ ଦୁର୍ନୀତିର ପର୍ଦାଫାଶ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଦଳ ଅଭିଯୋଗ ଶିବିରରେ ଦାବି କରିଛି l ଉକ୍ତ ସମସ୍ତ ଅଭିଯୋଗର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନହେଲେ ଦଳ ରାଜରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି l 

Leave A Reply

Your email address will not be published.