ଛତ୍ରପୁର 07.07 ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ବ୍ରହ୍ମପୁରରୁ ବାହାରି ଛତ୍ରପୁରରେ ପହଞ୍ଚିବା ପରେ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ଜିଲ୍ଲାର ବହୁ ବିଧାୟକ, ସାଂସଦ ଏବଂ ଶତାଧିକ ବିଜେଡି କର୍ମ ମାନେ ଏକତ୍ରିତ ହୋଇ ଡିଆରଡିଏ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଲୋଏର ବସଷ୍ଟାଣ୍ଡରେ ପହଞ୍ଚି ସେଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ଡିଆରଡିଏ କାର୍ଯ୍ୟଳୟ ପରିସରରେ ରହିଥିବା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ କୋଠରୀରେ ପହଞ୍ଚି ଶ୍ରୀ ପଣ୍ଡା ଦାୟିତ୍ଵ ଗ୍ରହଣ କରିଥିଲେ । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଜିଲ୍ଲାର ବହୁ ବିଧାୟକ, ସାଂସଦ ଓ କର୍ମଚାରୀ ମାନେ ଶ୍ରୀ ପଣ୍ଡାଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବା ପରେ ସମସ୍ତ କାର୍ଯ୍ୟକୁ ସଫଳତାର ସହ କରିବି ବୋଲି ସେ କହିଛନ୍ତି । ଜିଲ୍ଲାରେ କିଭଳି ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାରର ଯୋଜନା ସଫଳ ହେବ ଏବଂ ଏହାର ସୁଫଳ ଜିଲ୍ଲାବାସୀ କିଭଳି ପାଇପାରିବେ ସେ ନେଇ କାମ କରିବି । ଜିଲ୍ଲାର ସମସ୍ତ କ୍ଷେତ୍ରରେ ଉନ୍ନତି କିଭଳି ହୋଇପାରିବ ସେ ନେଇ ବିଭିନ୍ନ ବିଭାଗ ସହ ଯୋଗାଯୋଗ ରଖି କାର୍ଯ୍ୟ କରିବି ବୋଲି କହିଛନ୍ତି ବିକ୍ରମ ପଣ୍ଡା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲାପରିସଦ ସଭାପତି ଅଞ୍ଜଳି ସ୍ୱାଇଁ, ଛତ୍ରପୁର ବିଧାୟକ ସୁବାଷ ବେହେରା, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଜିଲ୍ଲାପରିସଦ ଉପସଭlପତି ରାଜେଶ୍ୱରୀ ଦୋରା ପ୍ରମୁଖ ଉପସ୍ଥିତ ଥିଲେ l