ବୁଗୁଡ଼ା : ବୁଗୁଡ଼ାରେ ବ୍ୟାପୁଛି ଆଖିଧରା ରୋଗ। ଏହା ଡିଆଁ ରୋଗ ହୋଇଥିବାରୁ ବୁଗୁଡ଼ା ସହର ସମେତ ବିଭିନ୍ନ ଗ୍ରାମରେ ବ୍ୟାପିବାରେ ଲାଗିଛି । ଔଷଧ ଦୋକାନଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ଆଖିଧରା ରୋଗୀଙ୍କ ଭିଡ଼ ଜମିବାରେ ଲାଗିଛି । ଘରେ ଘରେ ଏହି ରୋଗ ଅତି ତୀବ୍ର ଭାବେ ବ୍ଯାପି ଚାଲିଛି । ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ପାଞ୍ଚ-ସାତ ବର୍ଷର ଶିଶୁ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗର ଶିକାର ହେଉଛନ୍ତି । ବିଶେଷ କରି ସ୍କୁଲ ପିଲାଙ୍କ କ୍ଷେତ୍ରରେ ଏହି ରୋଗର ସଂକ୍ରମଣ ବଢିବାରେ ଲାଗିଛି । ସ୍କୁଲ ପିଲାଏ ଶ୍ରେଶୀ କକ୍ଷରେ ପାଖାପାଖି ବସି ପରସ୍ପର ମଧ୍ୟରେ ସଂସ୍ପର୍ଶରେ ଆସୁଥିବା ଫଳରେ ଜଣଙ୍କଠାରୁ ଅନ୍ଯ ଜଣକୁ ଏହି ରୋଗ ଡେଉଁଛି । ସ୍କୁଲରୁ ସଂକ୍ରମିତ ହୋଇ ଘରକୁ ଫେରିବା ପରେ ଏହା ପରବର୍ତ୍ତୀ ସମୟରେ ଘରର ଅନ୍ୟମାନଙ୍କୁ ବ୍ଯାପୁଛି ।
ଚକ୍ଷୁ ପୀଡା ଯୋଗୁଁ ପିଲାଏ ସ୍କୁଲକୁ ଯାଉନଥିବା ବେଳେ କେତେକ ପିଲା ଏହି ଆଖିଧରା ରୋଗରେ ସଂକ୍ରମିତ ହୋଇ ଘରକୁ ଫେରୁଥିବାରୁ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି । ଏହି ରୋଗ ଯୋଗୁଁ ରୋଗୀ ସପ୍ତାହରୁ ଦିସପ୍ତାହ ପର୍ଯ୍ୟନ୍ତ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଆଖି ମାତ୍ରାଧିକ ନାଲି ପଡି ଖୁଞ୍ଚିବା ସହ ଆଖିପତା ଫୁଲିଯାଇ ଲେଞ୍ଜରା ଓ ପାଣି ବାହାରୁଛି। ଏହି ରୋଗ ସାଧାରଣ ଓ କ୍ଷଣସ୍ଥାୟୀ ହୋଇଥିଲେ ମଧ୍ୟ ରୋଗୀ ଅସହ୍ୟ କଷ୍ଟ ଅନୁଭବ କରୁଥିବା ନେଇ ପ୍ରକାଶ ପାଇଛି । ତେବେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଚଳିତ ବର୍ଷ ଏହି ଆଖିଧରା ରୋଗର ସଂକ୍ରମଣ ମାତ୍ର ଅଧିକ ରହିଥିବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି ।