ଭୁବନେଶ୍ୱର : ଆର୍ଥିକ ଅପରାଧ ମାମଲାଗୁଡିକର ବିଚାର ପ୍ରକ୍ରିୟା ବିଳମ୍ବ ହେବା ସଂଗେ ସଂଗେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଥିବାରୁ ଆର୍ଥିକ ଠକେଇର ଶିକାର ହେଉଥିବା ଲୋକମାନେ ନ୍ୟାୟ ପାଇବାରୁ ଏକପ୍ରକାର ବଞ୍ଚିତ ହେଉଛନ୍ତି ।
ଓଡିଶାରେ ଏ କିସମର ମାମଲାରେ ଦଣ୍ଡବିଧାନ ହାର ମାତ୍ର ୩.୨ ପ୍ରତିଶତ ରହୁଥିବାବେଳେ ମୋଟ୍ ମାମଲାର ମାତ୍ର ଦଶମିକ ୫ ପ୍ରତିଶତ ବର୍ଷରେ ଫଏସଲା ହେଉଛି । ଜାତୀୟ ସ୍ତରରେ ଆର୍ଥିକ ଅପରାଧ ମାମଲାରେ ଦଣ୍ଡବିଧାନ ହାର ପାଖାପାଖି ୩୦ ପ୍ରତିଶତ ରହୁଥିବାବେଳେ ଓଡିଶାରେ ଯେ କାହିଁକି ଏହା ୩.୨ ପ୍ରତିଶତରେ ସୀମିତ ରହୁଛି ସେ ସଂକ୍ରାନ୍ତରେ କାହା ପାଖରେ କିଛି ଉତ୍ତର ନାହିଁ ।
ତେବେ ଏନସିଆରବିର ସର୍ବଶେଷ ରିପୋର୍ଟ ମୁତାବକ ଆର୍ଥିକ ଅପରାଧ ମାମଲାରେ ଦଣ୍ଡବିଧାନ କ୍ଷେତ୍ରରେ ଗୁଜୁରାଟ ଓ ଆସାମ ଭଳି ରାଜ୍ୟ ଓଡିଶା ଠୁ ପଛରେ ଅଛନ୍ତି । ଗୁଜୁରାଟରେ ଏହି କିସମର ମାମଲାରେ ଦଣ୍ଡବିଧାନ ହାର ୧.୬ ପ୍ରତିଶତ ଥିବାବେଳେ ଆସାମରେ ଏହା ୧.୨ ପ୍ରତିଶତ ଥିବା ଏନସିଆରବି ରିପୋର୍ଟରୁ ଜଣାପଡିଛି । ଅର୍ଥାତ୍ ଦଣ୍ଡବିଧାନ କ୍ଷେତ୍ରରେ ଓଡିଶା ତଳଆଡୁ ତୃତୀୟ ସ୍ଥାନରେ ରହିଛି । ଲଦାଖ ଓ ମଣିପୁରରେ ଆର୍ଥିକ ଅପରାଧ ମାମଲାରେ ଦଣ୍ଡବିଧାନ ହାର ୭୫ ପ୍ରତିଶତ ଥିବାବେଳେ ମିଜୋରାମରେ ୮୮, ନାଗାଲାଣ୍ଡରେ ୬୯, ଉତ୍ତରପ୍ରଦେଶରେ ୬୧, ଉତ୍ତରାଖଣ୍ଡରେ ୫୬, ଦିଲ୍ଲୀରେ ୫୩ ପ୍ରତିଶତ ରହିଛି ।
ଏନସିଆରବି ରିପୋର୍ଟ ମୁତାବକ ୨୦୨୧ ଶେଷ ସୁଦ୍ଧା ସମଗ୍ର ଦେଶରେ ୬,୭୮,୯୩୦ଟି ଆର୍ଥିକ ଅପରାଧ ମାମଲା ବିଚାରାଧିନ ଥିଲା । ଏବେ ଏହି ସଂଖ୍ୟା ପ୍ରାୟ ୭ଲକ୍ଷରେ ପହଞ୍ଚିଥିବ ବୋଲି ଆଶଙ୍କା କରାଯାଉଛି । ରିପୋର୍ଟର ତଥ୍ୟ ମୁତାବକ ୨୦୨୧ରେ ଓଡିଶାରେ ୨୫,୬୬୪ଟି ଆର୍ଥିକ ଅପରାଧ ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ଏଥିରୁ ବର୍ଷକରେ ମାତ୍ର ୧୩୨ଟି ମାମଲା ଫଏସଲା ହୋଇଥିବାବେଳେ ସେଥିରୁ ମାତ୍ର ୪ଟିରେ ଦଣ୍ଡବିଧାନ ହୋଇଛି ଏବଂ ୧୨୧ଟିରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି ।