ଆବାସ ପାଲଟିଛି ସାତ ସପନ

ବୁଗୁଡ଼ା : ଖାଦ୍ଯ, ବସ୍ତ୍ର ଓ ବାସଗୃହ ପ୍ରତ୍ଯେକ ମଣିଷର ମୌଳିକ ଆବଶ୍ୟକତା । ଦେଶରେ କେହି ବାସହୀନ ରହିବେ ନାହିଁ ଏବଂ ଭଙ୍ଗା ଦଦରା କୁଡିଆରେ ଯେପରି କେହି ଦୁର୍ବିସହ ଜୀବନ ନ ବିତାଇବେ ସେଥି ପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛି । ଏହି ସରକାରୀ ଯୋଜନା ବାଟ ହୁଡି ଅବାଟରେ ଯାଉଥିବାର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକର ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ବରଡ଼ିପଲ୍ଲୀ ଗ୍ରାମରେ  । ସେହି ଗ୍ରାମର ଦିନ ମଜୁରିଆ ରାଜେନ୍ଦ୍ର ପାତ୍ର ସ୍ତ୍ରୀ ଓ ଚାରି ପିଲାଙ୍କୁ ନେଇ ପିପୁଲ୍ସ କଲେଜ ନିକଟସ୍ଥ ଏକ ଭଙ୍ଗା ଦଦରା ଚାଳ ଛପର କୁଡିଆରେ ଦୁର୍ବିସହ ଜୀବନ ବିତାଉଛନ୍ତି । ରାସନ କାର୍ଡରେ ୪ ପିଲାଙ୍କ ନାମ ଚଢିନଥିବାରୁ କେବଳ ସ୍ବାମୀ ଓ ସ୍ତ୍ରୀଙ୍କୁ ୫ କେଜି ହିସାବରେ ମାସିକ ୧୦ କେଜି ଚାଉଳ ମିଳୁଛି । ଛଅ ଜଣିଆ କୁଟୁମ୍ବ ମୁହଁରେ ଆହାର ଜୁଟାଇବା ଏବଂ ଭଲ କନା ଖଣ୍ଡେ ପିଲାଙ୍କ ପାଇଁ ଯୋଗାଡିବାକୁ ରାଜୁଙ୍କୁ ଦିନ ମଜୁରିଆ ଭାବେ ଖଟିବାକୁ ପଡୁଥିବା ବେଳେ ଚାଳ ଛପର ଉଡା ଏବଂ କାଠ ବଲା ଠେସରେ ଥିବା ଝାଟିମାଟି କାନ୍ଥକୁ ସଜାଡିବାକୁ ସେ ସକ୍ଷମ ହୋଇ ପାରୁନାହାନ୍ତି । ତାଙ୍କର ଅବସ୍ଥା ଅସ୍ବଚ୍ଛଳ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ସ୍ତ୍ରୀ ସୁକାନ୍ତି ଜେନା ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିଥିଲେ । ଆବେଦନ କ୍ରମେ ପ୍ରଶାସନିକ ସର୍ଭେ ପରେ ଯୋଗ୍ଯ ହିତାଧିକାରୀ ତାଲିକାରେ ସୁକାନ୍ତିଙ୍କ ନାମ ରହିଥିଲେ ସୁଦ୍ଧା ଘର ମିଳିପାରୁନି । ଗତ କାଳବୈଶାଖୀ ତାଣ୍ଡବ ପରଠାରୁ ବିପଦଜ୍ଜନକ ଅବସ୍ଥାରେ ରହିଥିବା ଭଙ୍ଗା ଦଦରା କୁଡିଆରେ ତାଙ୍କର ପରିବାର ମୁଣ୍ଡ ଗୁଞ୍ଜୁଥିବା ବେଳେ ସାମାନ୍ୟ ବର୍ଷା ହେଲେ ଅନ୍ଯ ବାରଣ୍ଡାରେ ଆଶ୍ରୟ ନେବାକୁ ପଡୁଛି । ଗତ ମାସରେ ପରିବାର ଲୋକେ ଶୋଇଥିବା ବେଳେ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅ ପୂର୍ଣ୍ଣିମା ସାପ କାମୁଡ଼ାର ଶିକାର ହେବା ପରଠାରୁ ସମସ୍ତେ ସେହି ଭଙ୍ଗା କୁଡିଆରେ ଅସୁରକ୍ଷିତ ଭାବେ ଜୀବନ ବିତାଉଛନ୍ତି । ଜନପ୍ରତିନିଧିଆନେ ସୁକାନ୍ତିଙ୍କ ଭଙ୍ଗା କୁଡିଆକୁ  ଯାଇ ତାଙ୍କ ପରିବାରର ଅକଥନୀୟ ଦୁର୍ଦଶାକୁ ହୃଦୟଙ୍ଗମ କରି ସରକାର ଆବାସ ଖଣ୍ଡେ ଯୋଗାଇ ଦେବା ଉଚିତ ବୋଲି କହୁଥିଲେ ହେଁ କୌଣସି ପ୍ରକାର ସାହାଯ୍ୟ କରିପାରୁନାହାନ୍ତି ।  ବୁଗୁଡା ବ୍ଲକ ପ୍ରଶାସନର ଟାଳଟୁଳ ନୀତି ଯୋଗୁଁ ସୁକାନ୍ତିଙ୍କ ଭଳି ହତଭାଗିନୀ ଆବାସ ଯୋଜନାର ସୁଯୋଗ ପାଇପାରୁନାହାନ୍ତି । ସୁକାନ୍ତିଙ୍କ ଠାରୁ ଉତ୍କୃଷ୍ଟତର ଅବସ୍ଥାରେ ଥିବା ଲୋକେ ଆବାସ ଯୋଜନାରେ ଘର ହାତେଇ ନେଉଥିବା ବେଳେ ସେ କିପରି ଘର ଖଣ୍ଡେ ପାଇବାରୁ ବଞ୍ଚିତ ହେଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ପ୍ରଶାସନିକ ପକ୍ଷପାତିତା ଯୋଗୁଁ ଆବାସ ଯୋଜନା ବାଟବଣା ହୋଇ ଧନୀକ ପାଖରେ ଆବାସ ପହଞ୍ଚୁଥିବା ବେଳେ ଗରୀବକୁ ନିରାଶ ହେବାକୁ ପଡୁଛି ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି । ଏ ନେଇ ବିଡିଓ ବାସୁଦେବ ନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.