ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପଶ୍ଚିମ ଓଡିଶାର ପ୍ରାୟ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡିକର ନିର୍ମାଣ ହାତକୁ ନିଆଯିବ। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ। 

ଏହାଦ୍ବାରା ପଶ୍ଚିମ ଓଡିଶାର ଜନସାଧାରଣଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଆହୁରି ସକ୍ରିୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 5T ଉପକ୍ରମରେ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ପ୍ରକାଶ  କରି ଏହିସବୁ ଭିତ୍ତିଭୂମି କାମ ଠିକ୍ ସମୟରେ ଶେଷ ହେବ ଓ ଏହାର ଗୁଣାତ୍ମକ ମାନ ମଧ୍ୟ ବହୁତ ଭଲ ରହିବ ବୋଲି ସେ ଆଶାପ୍ରକାଶ କରିଥିଲେ ।

.

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପଶ୍ଚିମ ଓଡିଶାର ବିକାଶ ପାଇଁ ସେ ସବୁବେଳେ ସ୍ବତନ୍ତ୍ର ଧ୍ୟାନ ଦେଇଆସିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ଦୁଇ ଗୁଣ ହେବା ସହିତ ଏହାର କାର୍ଯ୍ୟକ୍ରମ ମଧ୍ୟ ବୃଦ୍ଧି ପାଇଛି । ଜନପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ବିକାଶ ପରିଷଦକୁ ପରାମର୍ଶ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । ପଶ୍ଚିମ ଓଡିଶାର ବିକାଶ କ୍ଷେତ୍ରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ବିକାଶରେ ପଶ୍ଚିମ ଓଡିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ । କୃଷି, ଶିଳ୍ପ, ଖଣି, ଶିକ୍ଷା ଏବଂ କଳା ଓ ସଂସ୍କୃତିରେ ସମୃଦ୍ଧ ହେଉଛି ପଶ୍ଚିମ ଓଡିଶା । ପର୍ଯ୍ୟଟନର ବିକାଶ ପାଇଁ ମା ସମଲେଶ୍ୱରୀ, ହରିଶଙ୍କର ଓ ନୃସିଂହନାଥ ମନ୍ଦିରର ରୂପାନ୍ତର କାମ ଚାଲିଛି ।  ଏହା ସହିତ ଆହୁରି ଅନେକ ମନ୍ଦିର ଓ ଭିତ୍ତିଭୂମି କାମ ପାଇଁ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜରିଆରେ   ସବୁ କାମ ତଦାରଖ କରୁଛି ।   ପଶ୍ଚିମ ଓଡିଶା ଖୁବ ଶୀଘ୍ର ବିକାଶର ସବୁ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି ସେ  କହିଥିଲେ।

Leave A Reply

Your email address will not be published.