ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଆଜି କଂଗ୍ରେସରୁ ନିଲମ୍ବନ କରାଯାଇଛି । ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ସଚିବ ତାରିକ୍ ଅନୱାର ଏକ ପ୍ରେସ୍ ରିଲିଜ୍ ଜାରି କରି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ଚିରଞ୍ଜିବୀ ନିଜକୁ ଦଳୀୟ ସାଂଗଠନିକ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିବାବେଳେ ମୋକିମ୍ ବିଭିନ୍ନ ସମୟରେ ଦଳୀୟ ନିଷ୍ପତ୍ତିକୁ ପାଳନ କରୁନଥିଲେ । ଏହି ଦୁଇ ପ୍ରଭାବଶାଳୀ ନେତାଙ୍କ ନିଲମ୍ବନ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା ଓ ଆଲୋଡ଼ନର ବିଷୟ ହୋଇଛି । ତେବେ ଏହି ଦୁଇ ନେତା ବିଜେଡିରେ ମିଶିବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲେ ମଧ୍ୟ ଏବେ ଉକ୍ତ ଦୁଇ ନେତାଙ୍କୁ ନିଲମ୍ବିତ ଅବସ୍ଥାରେ ବିଜେଡି ନିଜ ସହ ସାମିଲ କରିବା ସମ୍ଭାବନା କ୍ଷୀଣ । ଏଭଳି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କଂଗ୍ରେସର ସଂଗଠନକୁ ଓଡ଼ିଶାରେ ଅଧିକ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବ ବୋଲି ଚର୍ଚ୍ଚା ।
ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ସଦସ୍ୟ ସଚିବ ତାରିକ୍ ଅନୱାର କହିଛନ୍ତି ଯେ, ଚିରଞ୍ଜିବୀ ଓ ମୋକିମ୍ ଦଳବିରୋଧୀ ଗତିବିଧିରେ ଲିପ୍ତ ଥିବା ନେଇ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କରିଥିଲେ । ତାଙ୍କର ଏହି ଅଭିଯୋଗ ଉପରେ ଶୃଙ୍ଖଳାଗତ କମିଟିରେ ଆଲୋଚନା ହୋଇଥିଲା ଓ ଉଭୟ ନେତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଉଭୟ ନେତାଙ୍କଠୁ ଯେଉଁ ଉତ୍ତର ମିଳିଥିଲା ତାହା ସନ୍ତୋଷଜନକ ନଥିଲା । ତେଣୁ ଉଭୟ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ରହିବା କାରଣରୁ ତତ୍କାଳ ପ୍ରଭାବରୁ କଂଗ୍ରେସ ଦଳରୁ ନିଲମ୍ବନ କରାଗଲା ବୋଲି ଅନୱାର ସୂଚନା ଦେଇଛନ୍ତି ।