ଆରଡ଼ିସି ଅଫିସ୍ ଘେରିଲେ ଆଉଟସୋର୍ସିଙ୍ଗ କର୍ମଚାରୀ

ବ୍ରହ୍ମପୁର :ରାଜ୍ୟ ଆଉଟସୋରସିଂ କର୍ମଚାରୀ ମହାସଂଘର ଡାକରା କ୍ରମେ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀମାନେ ଆଜି ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ଆଜି ଶହ ଶହ ସଂଖ୍ୟାରେ ସ୍ଥାନୀୟ ଟାଟାବେଞ୍ଜ ଛକ ନିକଟସ୍ଥ ଗଣେଶ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଆରଡିସିଙ୍କ କାର୍ଯ୍ୟାଳୟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଆଉଟସୋରସିଂ କର୍ମଚାରୀଙ୍କ ରାଜ୍ୟ ନେତା ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମଚାରୀ ନେତାମାନେ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ଶୋଷଣକାରୀ ଓ ପ୍ରତାରଣାପୂର୍ଣ୍ଣ ନୀତିର ତୀବ୍ର ସମାଲୋଚନା କରିଥିଲେ । ସରକାରଙ୍କ ବିଭିନ୍ନ ବିଭାଗରେ ବର୍ଷ ବର୍ଷ ଧରି ନିଷ୍ଠାପର ଭାବେ କାର୍ଯ୍ୟ କରି ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ଯୋଜନାକୁ ସଫଳ କରି ଆସୁଥିଲେ ବି ସରକାର ସେମାନଙ୍କ ପ୍ରତି ଅନ୍ୟାୟ କରିବା ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ ।

ମହାସଂଘର ରାଜ୍ୟ ଆବାହକ ତଥା ବରିଷ୍ଠ କର୍ମଚାରୀ ନେତା ପ୍ରଭାତ କୁମାର ମହାନ୍ତି ଆଉଟସୋରସିଂ କର୍ମଚାରୀମାନେ ଆଉ ସରକାରଙ୍କ ପାଖରେ ଗୁହାରି ନକରି ନିଜର ସମସ୍ତ ନ୍ୟାୟସଙ୍ଗତ ଦାବୀକୁ ନେଇ ଆସନ୍ତା ଜୁଲାଇ ୩୧ରେ ଭୁବନେଶ୍ୱର ସ୍ଥିତ ନବୀନ ନିବାସକୁ ଅଭିଯାନ କରିବେ ବୋଲି ଘୋଷଣା କରିଥିଲେ ।ଶୋଷଣକାରୀ ଆଉଟସୋରସିଂ ବ୍ୟବସ୍ଥାର ଉଚ୍ଛେଦ, ସବୁ ଆଉଟସୋରସିଂ କର୍ମଚାରୀଙ୍କୁ ନିୟମିତ କର୍ମଚାରୀର ମାନ୍ୟତା,  ମାସିକ ସବେତନିକ ଛୁଟି, ପ୍ରସୂତି କାଳୀନ ଛୁଟି, ବଜାର ଦର ହିସାବରେ ଦରମାରେ ବୃଦ୍ଧି, ସାମାଜିକ ସୁରକ୍ଷା ଯୋଜନା ଲାଗୁ କରିବା ଆଦି ଦାବି ନେଇ କର୍ମଚାରୀମାନଙ୍କ ଆଜିର କାର୍ଯ୍ୟକ୍ରମରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଆବାହକ ପ୍ରଭାତ ମହାନ୍ତିଙ୍କ ସମେତ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, କର୍ମଚାରୀ ନେତା ପ୍ରତାପ ପ୍ରଧାନ, ମହାସଂଘର ରାଜ୍ୟ ସମ୍ପାଦକ ମାନସ ଦାସ, କନ୍ଧମାଳ ଜିଲ୍ଲା ସଭାନେତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା, ଉମା ପାଣିଗ୍ରାହୀ, ମାନବିକ ଅଧିକାର କର୍ମୀ ଅବନୀ ଗୟା, ପ୍ରଶାନ୍ତ ମହାରଣା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ  I 

ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସଭାପତି ବିଜୟ ମଲ୍ଲିକ, ସମ୍ପାଦକ ବିନାୟକ ପତି, ନିରଞ୍ଜନ ଦାସ, ସୁନୀଲ ପାତ୍ର, ପ୍ରଶାନ୍ତ କୁମାର ପରିଚ୍ଛା , ସନୋଜ କୁମାର ଶଙ୍ଖୁଆ, ପଙ୍କଜ ପଟ୍ଟନାୟକ, ଆଶିଷ କୁମାର ବେହେରା ପ୍ରମୁଖ କର୍ମଚାରୀ ନେତା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Leave A Reply

Your email address will not be published.