ସଫେଇ ଦୁର୍ନୀତିର ଅଭିଯୋଗ ଆଣିଲା ନଗର କଂଗ୍ରେସ

ଜଳେଶ୍ୱର; ମୁନ୍ସୀପାଲଟିରେ ୨୫ ହଜାର ରୁ ଉର୍ଦ୍ଧ ଲୋକସଂଖ୍ୟା ଥିଲା ବେଳେ ସଫେଇ ବାବଦକୁ ବର୍ଷକୁ ଏକ କୋଟି ୪୭ ଲକ୍ଷ ୬୨ ହଜାର ୮୮୦ ଟଙ୍କା ଖର୍ଚ୍ଚକୁ ନେଇ ଜଳେଶ୍ୱର ବାସୀଙ୍କ ଭିତରେ ଏକ ଆଲୋଡନ ସୃଷ୍ଟି ହୋଇଛି।ଏଥିରେ ବ୍ୟାପକ ଦୁର୍ନୀତି ଓ ପିସି କାରବାର ହେଉଛି ବୋଲି କଂଗ୍ରେସ ଦଳ ପକ୍ଷରୁ ଦଳର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦଳର ରାଜ୍ୟ ପ୍ରବକ୍ତା ତଥା ଜଳେଶ୍ୱରର ନେତା ସୁଦର୍ଶନ ଦାସ।ପ୍ରକାଶ ଥାଉକି ଭୁବନେଶ୍ୱର ସ୍ଥିତ ପ୍ରତ୍ୟୁଷ ନାମକ ଏକ ଠିକାଦାରୀ ସଂସ୍ଥାକୁ ସଫେଇ କାର୍ଯ୍ୟ କରିବା ପାଇଁ ଟେଣ୍ଡର ଦିଆ ଯାଇଛି।ଟେଣ୍ଡର ଅନୁସାରେ ମାସକୁ ଏହି ସଂସ୍ଥା ସଫେଇ ବାବଦକୁ ମାସକୁ ୧୧ ଲକ୍ଷ ୫୮ ହଜାର ୭୪୦ ଟଙ୍କା ଖର୍ଚ୍ଚ କରାଇବା କଥା।ସେଥିରେ ୮୫ ଜଣ ସଫେଇ ଶ୍ରମିକ ଓ କଠିନ ବର୍ଜ୍ୟବସ୍ତୁ ପରିବହନ ପାଇଁ ୬ ଟି ଗାଡି ଲାଗିବା କଥା।ମାତ୍ର ୮୫ ଜଣ ଶ୍ରମିକ ବଦଳରେ ଠିକା ସଂସ୍ଥା କମ ସଂଖ୍ୟକ ଶ୍ରମିକ ଏବଂ ମାତ୍ର ଦୁଇଟି ଗାଡି ଲଗାଇଛନ୍ତି।ଗତ ତିନି ଦିନ ଧରି ମାତ୍ର ୬/୭ ଜଣ ଶ୍ରମିକଙ୍କୁ ନିୟୋଜିତ କରିବା ଦେଖିବାକୁ ମିଳିଛି।ତେଣୁ ଏହି ସଫେଇ କାର୍ଯ୍ୟରେ ବ୍ୟାପକ ଘୋଟାଲା ଓ ଦୁର୍ନୀତି ହେଉଛି ଏବଂ ସେଥିରେ ଶାସକ ଦଳର ନେତା ଓ କର୍ମୀ ସମ୍ପୃକ୍ତ ଅଛନ୍ତି ବୋଲି କଂଗ୍ରେସ ଗୁରୁତ୍ତର ଅଭିଯୋଗ ଆଣିଛି।ରାଜ୍ୟ ସରକାର ଅଣ କୁଶଳୀ ଶ୍ରମିକ ମାନଙ୍କ ପାଇଁ ଦୈନିକ ମଜୁରୀ ୩୪୫ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଠିକା ସଂସ୍ଥା ସେମାନଙ୍କୁ ୨୮୪ ଟଙ୍କା ଦେଉଛି।ଠିକ ସମୟରେ ଶ୍ରମିକ ମାନଙ୍କୁ ମଜୁରୀ ପଇସା ମଧ୍ୟ ଦିଆଯାଉ ନାହିଁ।ସେମାନଙ୍କର ଇପିଏଫ ଓ ଇଏସଆଇ ସୁବିଧା ମଧ୍ୟ ସେମାନଙ୍କୁ ମିଳୁ ନାହିଁ।ମୁନ୍ସୀପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଏହାର ତଦାରଖ କରିବା କଥା।କିନ୍ତୁ ସେ କାହିଁକି ନିରବ ଅଛନ୍ତି ଓ ତାଙ୍କ ନିରବ ରହିବା ପଛରେ ରହସ୍ୟ କଣ ଅଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି।ସଫେଇ ବାବଦରେ ହେଉଥିବା ଖର୍ଚର ହିସାବ କଂଗ୍ରେସ ମାଗିବ।ମୁନ୍ସୀପାଲଟି ଅଫିସରେ ଏଥିପାଇଁ ଧାରଣା କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଟାଉନ କଂଗ୍ରସ ସଭାପତି ଗିରିଜା ଶଙ୍କର ଦାସ ପ୍ରକାଶ କରିଛନ୍ତି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବ୍ଲକ କଂଗ୍ରେସ ସଭାପତି ରାଜୀବ କୁମାର ପରିଡା,ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ ଗିରି,ଯୁବ କଂଗ୍ରେସ ନେତା ସୌଭିକ ଜେନା,ଏମାମୋନ ଖାଁ,ଦୁର୍ଗସଙ୍କର ଆସ, ଗୋପାଳ କୃଷ୍ଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.