ନୂଆଦିଲ୍ଲୀ : କିଲୋପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରି କରିବା ଲାଗି ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଏନସିସିଏଫ ଏବଂ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି । ଟମାଟୋର ପାଇକାରୀ ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏନସିସିଏଫ ଏବଂ ନାଫେଡ ଦ୍ୱାରା କିଣା ଯାଇଥିବା ଟମାଟୋକୁ ଜୁଲାଇ ୧୬, ୨୦୨୩ ଠାରୁ କିଲୋ ପ୍ରତି ୯୦ ଟଙ୍କା ଏବଂ ୮୦ ଟଙ୍କାରେ ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ୭୦ ଟଙ୍କାରେ ଟମାଟୋ ବିକ୍ରି କରାଯିବା ଦ୍ୱାରା ଉପଭୋକ୍ତାମାନେ ବିଶେଷ ଲାଭବାନ ହୋଇପାରିବେ।
ସୂଚନାଯୋଗ୍ୟ ଯେ, ଗତ ୧ ମାସ ହେବ ଦେଶର ବିଭିନ୍ନ ସ୍ଥାନରେ ଟମାଟୋର ଖୁଚୁରା ମୂଲ୍ୟ ବୃଦ୍ଧି ପାଇଥିଲା । ଦର ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ବିଭିନ୍ନ ମଣ୍ଡିରୁ ଟମାଟୋ କିଣି ବିଭିନ୍ନ ସ୍ଥାନରେ ବିକ୍ରି କରିବା ଲାଗି ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ନାଫେଡ ଏବଂ ଏନ୍ସିସିଏଫକୁ ନିର୍ଦ୍ଦେଶ ଦିଆଯାଇଥିଲା ।