ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଉପେକ୍ଷା

ପରଜଙ୍ଗ,୨୭/୭: ଲଘୁଜ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଉପରେ ରୋକ୍ ଲଗାଇ ଦିଗରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜସ୍ବ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସ୍ଥାନୀୟ ନିଜସ୍ଵ ଅଧିକାରୀଙ୍କ ଦୃଷ୍ଟି ଗୋଚରରେ ଥାଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ହୋଇପଡ଼ିଛି । ପରଜଙ୍ଗ ତହସିଲ ଅଧିନରେ ଥିବା ଅନୁମତି ପ୍ରାପ୍ତ (ନିଲାମ)ବାଲିଘାଟରୁ ବାର୍ଷିକ ପରିବେଶ ମଞ୍ଜୁରୀ ମିଳିଥିବା ନିର୍ଦ୍ଦିଷ୍ଟ ପରିମାଣରୁ ବହୁତ ଅଧିକ ପରିମିତ ସ୍ଥାନରୁ ବାଲି ଉତ୍ତୋଳନ କରାଯାଇ ଚାଲାଣ ହେବା ସହିତ ବେଆଇନ ଭାବେ ସରକାରୀ ଓ ବେସରକାରୀ ଜମିରେ ମହଜୁଦ ରହିଛି। ମୈସୁମୀ ଦିନରେ ନଦୀ ବଢ଼ି ଚାଲୁଥିବା ଯୋଗୁଁ ବାଲିଘାଟରୁ ବାଲି ଉତ୍ତୋଳନ ହେବା ସମ୍ଭବ ନଥିବାରୁ ବେଆଇନ ମହଜୁଦ ବାଲିକୁ  ଚଢା ଦରରେ ବିକ୍ରୀ ହେଉଥିବା ନଜିର ରହିଛି। ସୂଚନା ମୁତାବକ ଏହି ତହସିଲ ଅନ୍ତର୍ଗତ କୁଆଳୋ,ଗେଙ୍ଗୁଟିଆ ଓ ସରାଙ୍ଗ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ପରମହଂସପୁର,କୁଲେଇ, ସରାଙ୍ଗ,ଡମୋଳ ମୈଜା ମାନଙ୍କରେ ବେଆଇନ ଭାବେ ବାଲି ମହଜୁଦ ରହିଥିବା ର ସୂଚନା ପାଇ କାମାକ୍ଷାନଗର ଉପଜିଲ୍ଲାପାଳ ଏହାର ସତ୍ୟାସତ୍ୟ ତଦନ୍ତ ଭାର ଉପଖଣ୍ଡ ସ୍କାର୍ଡ ତଥା ସହକାରୀ ଜିଲ୍ଲାପାଳ ମଦନମୋହନ ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଜେନା ବିଭିନ୍ନ ସ୍ଥାନରେ ବେଆଇନ ଗଛିତ ବାଲି ସ୍ଥାନ ଗୁଡ଼ିକର ପରିଦର୍ଶନ କରି ଏକ ରିପୋର୍ଟ ଉପଜିଲ୍ଲାପାଳଙ୍କୁ ହସ୍ତଗତ କରିଥିଲେ । ତଦନ୍ତ ରିପୋର୍ଟ ଆଧାରରେ ଉପଜିଲ୍ଲାପାଳ କାମାକ୍ଷାନଗର କାର୍ଯ୍ୟାଳୟ ପକ୍ଷରୁ ଚଳିତ ମାସ ୩ ତାରିଖରେ ପରଜଙ୍ଗ ତହସିଲଦାରଙ୍କୁ ବେଆଇନ ଗଛିତ ବାଲି ଉପରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ପରଜଙ୍ଗ ତହସିଲ କାର୍ଯ୍ୟାଳୟରୁ ପକ୍ଷରୁ ବେଆଇନ ମହଜୁଦ ବାଲି ଉପରେ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ନିଜର ନାମ ଗୋପନୀୟ ରଖି ଜଣେ ସ୍ଥାନୀୟ ରାଜସ୍ବ କର୍ମଚାରୀ କହିଛନ୍ତି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ପରଜଙ୍ଗ ତହସିଲଦାର ଉପେକ୍ଷା କରିଥିବା ଜଣାପଡିଛି । ତହସିଲଦାରଙ୍କ ନିରବଦ୍ରଷ୍ଟାର ଫାଇଦା ନେଇ ବେଆଇନ ଗଛିତ ବଲି ରାତି ଅଧରେ ଯନ୍ତ୍ର ଲଗାଇ ଚାଲାଣ ହେଉଥିବା ନଜିର ରହିଛି । ଏସଂକ୍ରାନ୍ତରେ ପରଜଙ୍ଗ ତହସିଲଦାର ଶିରିୟଲ ସୁଭ୍ରା ପଟେଲଙ୍କୁ ବାରମ୍ବାର ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ। କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ କୁହନ୍ତି କି ପୁନର୍ବାର ବେଆଇନ ବାଲି ଗଛିତ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଚିଠି କରାଯିବ ଏବଂ ଉପଖଣ୍ଡ ମାସିକ ରାଜସ୍ବ ସମୀକ୍ଷା ବୈଠକରେ ତହସିଲଦାରଙ୍କୁ କୈଫିୟତ ମଗାଯିବ । ସନ୍ତୋଷଜନକ ପଦକ୍ଷେପ ଗ୍ରହଣ ହୋଇନଥିବା ନଜର ଆସିଲେ ଏ ବାବଦରେ ଜିଲାପାଳଙ୍କୁ ଅବଗତ କରାଯିବ। ଏନେଇ ଆଇନଜୀବୀ ଶଙ୍କର ପ୍ରସାଦ ପାଣି କହିଛନ୍ତି କି ବେଆଇନ ଗଛିତ ବାଲିକୁ ଜବତ କରି ଆଇନ ଅନୁଯାୟୀ ନିଲାମ ପ୍ରକ୍ରିୟା କରାଯାଉ କିମ୍ବା ନିଲାମ ହୋଇଥିବା ଘନଫୁଟ ମୂଲ୍ୟ ଅନୁସାରେ ଜୋରିମାନା ଆଦାୟ ହେଉ । ନଚେତ୍ ଆଗାମୀ ଦିନରେ ଅନୁମତି ଠାରୁ ବହୁତ ପରିମାଣରେ ବାଲି ଉତ୍ତୋଳନ ବିରୋଧରେ ଜାତୀୟ ସବୁଜ ପ୍ରାଧିକରଣ ନିକଟରେ ଅଭିଯୋଗ ହେବ।

Leave A Reply

Your email address will not be published.