ଭଞ୍ଜନଗର – ଫୁଲବାଣୀ ରାସ୍ତାର ଦଦରାଲୁଣ୍ଡା ନିକଟରେ କାର୍ ଲୁଟ୍ ଘଟଣାରେ ୨ ଅଭିଯୁକ୍ତ ଙ୍କୁ ପୋଲିସ କରି କୋର୍ଟ ଚାଲାଣ କରିଛି। । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ସମେତ ୩ଜଣ ଏବେ ବି ଫେରାର ଅଛନ୍ତି । ଏହାସହ ଲୁଟ୍ ହୋଇଥିବା କାରକୁ ପୁଲିସ ଜବତ କରିଛି। ଘଟଣା ଅନୁଯାୟୀ, ଗତ ୨୪ତାରିଖ ସକାଳ ୭ଟା ସମୟରେ ଫୁଲବାଣୀରୁ ବରଗଡ଼ ଥାନା ଅଞ୍ଚଳର ରାଜେଶ କୁମାର ସ୍ୱାଇଁ ନାମକ ଯୁବକ ନିଜ ଇଣ୍ଡିଗୋ ଇସିଏସ୍ କାର୍ ନମ୍ବର (ଓଡି ୦୨ ଟି ୨୫୬୦)ଯୋଗେ ଭୁବନେଶ୍ୱର ଫେରୁଥିଲେ। ଏହି ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡା ନିକଟରେ ଅନ୍ୟ ଏକ ସ୍ବିଫ୍ଟ ଡିଜାର୍ କାର୍ ନମ୍ବର (ଓଡି ୦୨ ଟି ୦୦୯୮)ରେ ୫ଜଣ ଯୁବକ ଦ୍ରୁତଗତିରେ ଆସି ସିନେମା ଷ୍ଟାଇଲରେ କାର୍ ଆଗରେ ରଖିଥିଲେ। ଫଳରେ ଦୁର୍ଘଟଣା ଆଶଙ୍କାରେ ରାଜେଶ ନିଜ କାରକୁ ଅଟକାଇଥିଲେ। ଆଉ କାରଟି ଅଟକିବା ପରେ ଅନ୍ୟ ଏକ କାରରେ ଆସିଥିବା ଦୁବୃର୍ତ୍ତମାନେ କାରରୁ ଓହ୍ଲାଇ ରାଜେଶଙ୍କ କାର୍ ନିକଟକୁ ଆସିଥିଲେ । ପରେ ସେଠାରେ ତାଙ୍କୁ କାର୍ ଭିତରୁ ଟାଣି ପଦାକୁ ବାହାର କରିବା ସହ ରାଜେଶ ଧରିଥିବା ଇଣ୍ଡିଗୋ ଇସିଏସ୍ କାରକୁ ଧରି ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହାପରେ ଘଟଣାସ୍ଥଳରୁ ରାଜେଶ ଏକ ଯାତ୍ରୀବାହୀ ବସ୍ ଯୋଗେ ଭଞ୍ଜନଗର ଥାନାରେ ପହଞ୍ଚି ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ କେସ ନଂ୬୩୦/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ପୁଲିସ ଖଣ୍ଡପଡା ରାସ୍ତାର କଳାପଥର ଗ୍ରାମ ନିକଟରୁ ଏହି କାର୍ ଧରି ଆଡ୍ଡା ଜମାଇଥିବା ନେଇ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ପୁଲିସର ଅତର୍କିତ ଚଢ଼ାଉ ଦେଖି ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ସମେତ ୩ଜଣ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ପୁଲିସ ୨ଜଣକୁ ଧରିବାରେ ସଫଳ ହୋଇଥିଲା। ପରେ ଉଭୟଙ୍କୁ ଗିରଫ କରି ଶୁକ୍ରବାର ରାତିରେ କୋର୍ଟ ଚାଲାଣ କରିଥିଲା। ଗିରଫ ୨ ଅଭିଯୁକ୍ତ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି . ନୂଆଗାଁର ଗଗନ ରଣା (୨୩) ବର୍ତ୍ତମାନର ଠିକଣା ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ବାରି । ଅନ୍ୟ ଅଭିଯୁକ୍ତ ଜଣଙ୍କ ହେଲେ କଟକ ଜିଲ୍ଲା କୃଷ୍ଣ ପଲ୍ଲୀ ଥାନା ବୈଦ୍ୟେଶ୍ବର ଗାଁର ରିଙ୍କୁ ବିଶ୍ବାଳ (୧୯)। ଏମାନଙ୍କ ନିକଟରୁ ପୁଲିସ ଡକାୟତି ଘଟଣାରେ ବ୍ୟବହୃତ ସ୍ବିଫ୍ଟ ଡିଜାର୍ କାର୍ ସମେତ ଲୁଟ୍ ହୋଇଥିବା ଇଣ୍ଡିଗୋ ଇସିଏସ୍ କାର ଓ ଏକ ଓପୋ ମୋବାଇଲ ଫୋନ ଜବତ କରିଛି। ଖୁବଶୀଘ୍ର ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଭଞ୍ଜନଗର ଥାନା ଅଧିକାରୀ ଧୀରେଶ ଦାସ ସୂଚନା ଦେଇଛନ୍ତି। ବ୍ୟବସାୟିକ ଶତୃତାରୁ ଏଭଳି ଅଭାବନୀୟ ଘଟଣା ଘଟିଥିଲା ବୋଲି ସେ ସୂଚନା ଦେଇଛନ୍ତି । ଏଭଳି ଘଟଣା ଏବେ ଭଞ୍ଜନଗର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।