ଭୁବନେଶ୍ୱର : ପ୍ରାୟ ମାସେ ହେବ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ହୋଇପାରୁନଥିବାବେଳେ ଘୋଷ ଯାତ୍ରାରୁ ଫେରିଥିବା ଶ୍ରୀବିଗ୍ରହମାନଙ୍କ ମୁଖମଣ୍ଡଳ ମଳିନ ଦେଖାଯାଉଛି । ଅଥଚ ଏହି କାର୍ଯ୍ୟ କରିନପାରି ଗଣମାଧ୍ୟମରେ ନିଜ ନିଜ ମୁଖ ଶୃଙ୍ଗାର କରିଥିବା ଅଧିକାରୀ, ସେବକ ଓ ରାଜନେତାମାନେ ବିବୃତ୍ତି ଝାଡିବାରେ ବ୍ୟସ୍ତ ।
ନବଦିନ ଘୋଷଯାତ୍ରା ପରେ ନିଳାଦ୍ରୀ ବିଜେର ପ୍ରାୟ ମାସେ ପୁରିବାକୁ ଯାଉଛି । ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ବୁଧବାରରେ କରିବା ପାଇଁ ଜୋର୍ ଦେଉଥିବାବେଳେ ଏହି ନୀତି କରିବା ପାଇଁ ଥିବା ଦତ୍ତମହାପାତ୍ର ନିଯୋଗ ଗୁରୁବାରରେ ତାହା କରିବା ଲାଗି ଚାହୁଁଛନ୍ତି । ଏହି ସେବା ବୁଧବାର ହେବ କି ଗୁରୁବାର ହେବ ସେଥିଘେନି ଆପୋସ ଆଲୋଚନା ମାଧ୍ୟମରେ ନିଷ୍ପର୍ଷ ବାହାରି ପାରୁନଥିବାବେଳେ ପରବର୍ତ୍ତୀ ସମୟରେ କେବେ ବନକଲାଗି ହେବ ସେକଥା ଶ୍ରୀମନ୍ଦିରର ସେବାୟତଙ୍କ ଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ର ବାସିନ୍ଦା, ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ଏବଂ କୌଣସି ପ୍ରଶାସନିକ ଅଧିକାରୀ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଦେଇପାରୁନାହାନ୍ତି । ଏ ପ୍ରସଙ୍ଗରେ ସବ୍ କମିଟି ବୈଠକରେ କିଛି ଚୂଡାନ୍ତ ନିଷ୍ପତ୍ତି ହୋଇପାରିନଥିବାବେଳେ ଅଗଷ୍ଟ ପହିଲାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ ସେବାୟତମାନଙ୍କଠାରୁ ଆରମ୍ଭ କରି ପୁରୀ ବାସିନ୍ଦା ଓ ଅନ୍ୟ ଭକ୍ତମାନେ ସ୍ୱୀକାର କରୁଛନ୍ତି ଯେ ରଥଯାତ୍ରା ପରେ ଶ୍ରୀଜୀଉମାନେ ଶ୍ରୀମନ୍ଦିରକୁ ବିଜେ କରିବା ପରଠାରୁ ପାଖାପାଖି ମାସେ ସମୟ ଧରି ବନକଲାଗି ନୀତି ହୋଇନାହିଁ । ଫଳରେ ଶ୍ରୀବିଗ୍ରହମାନଙ୍କ ମୁଖ ମଣ୍ଡଳ ମଳିନ ଦିଶୁଥିବାରୁ ଭକ୍ତମାନେ ଚିନ୍ତିତ ଓ ସ୍ଥାନୀୟବାସିନ୍ଦା ବିରକ୍ତ ହେଉଛନ୍ତି । ବନକଲାଗି ନୀତିରେ କିଛି ପ୍ରାକୃତିକ ଉପାଦାନକୁ ନେଇ ନିର୍ଦ୍ଧିଷ୍ଟ ପଦ୍ଧତିରେ ନିୟମିତ ବ୍ୟବଧାନରେ ଶ୍ରୀଜୀଉମାନଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ । ଏହାଫଳରେ ଶ୍ରୀବିଗ୍ରହମାନଙ୍କ ମୁଖମଣ୍ଡଳ ଜାଜୁଲ୍ଲ୍ୟମାନ ଦେଖାଯିବା ସହ ପୋକଜୋକ ସଂକ୍ରମଣରୁ ମଧ୍ୟ ମୁକ୍ତ ରହିଥାଏ । ବନକଲାଗି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସାମଗ୍ରୀ ଯୋଗାଇବା କଥା କିନ୍ତୁ ଏଯାବତ୍ ସମ୍ପୃକ୍ତ ନିଯୋଗର ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଏକ ପ୍ରକାର ନିଜ ନିଜ ଜିଦ୍ରେ ଅଟଳ ରହିଥିବାରୁ ବନକଲାଗି ବିଳମ୍ବ ହେଉଛି । ସମ୍ପୃକ୍ତ ଅଧିକାରୀ ଓ ସେବାୟତ ଏବଂ ସେମାନଙ୍କ ପରିବାରବର୍ଗ ପ୍ରାୟ ସବୁଦିନ ନିଜ ନିଜର ମୁହଁର ଶୃଙ୍ଗାର କରୁଥିବାବେଳେ ଶ୍ରୀଜୀଉମାନଙ୍କ ଶ୍ରୀମୁଖ ଶୃଙ୍ଗାର କିନ୍ତୁ ହେଉ କି ନହେଉ ସେଥିଘେନି କାହାର ନିଘା ଥିବାଭଳି ମନେହେଉନାହିଁ ।
ଏ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା ସମିତିର ଅଧ୍ୟକ୍ଷ ଗଜପତି ମହାରାଜ, ରାଜ୍ୟ ସରକାରଙ୍କ ଆଇନ ବିଭାଗ, ଜିଲ୍ଲା ପ୍ରଶାସନ ଆଦି ଏକପ୍ରକାର ନୀରବ ଅଛନ୍ତି । ଯେଉଁମାନେ ଧର୍ମକୁ ନେଇ ରାଜନୀତି କରୁଛନ୍ତି ସେମାନେ ବି ଏ ପ୍ରସଙ୍ଗରେ ଗଣମାଧ୍ୟମରେ କେବଳ ବିବୃତ୍ତି ରଖି ନିଜର ନିଜ ସଙ୍ଗଠନର ଅସ୍ଥିତ୍ୱ ଜାହିର କରିବାରେ ବ୍ୟସ୍ତ ।
ଗତ କିଛିବର୍ଷ ଧରି ଶ୍ରୀମନ୍ଦିରର ଚାରୋଟି ଦ୍ୱାର ମଧ୍ୟରୁ କେବଳ ସିଂହଦ୍ୱାର ବାଟଦେଇ ସର୍ବସାଧାରଣଙ୍କୁ ଦର୍ଶନ ଓ ମହାପ୍ରସାଦ ପାଇଁ ଶ୍ରୀମନ୍ଦିରକୁ ଛଡା ଯାଉଛି । ଅନ୍ୟ ତିନୋଟି ଦ୍ୱାର ବନ୍ଦ ଥିବାରୁ ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦାମାନେ ଖରା, ବର୍ଷା, ଶୀତ, କାକରରେ ଲମ୍ବା ଧାଡିରେ ବଡ଼ଦାଣ୍ଡରେ ଛିଡା ହୋଇ ଯମଯନ୍ତ୍ରଣା ଭୋଗୁଛନ୍ତି । ବିଭିନ୍ନ ମହଲରୁ ଏହା ବିରୁଦ୍ଧରେ ପ୍ରତିବାଦର ସ୍ୱର ଉଠିବା ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଧାରଣା ଦେବାକୁ ଧମକ ଦେବାପରେ ଏବେ ଅବଶ୍ୟ ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିମ ଦ୍ୱାର ଖୋଲା ଯାଇଛି । ତେବେ ଲୋକେ କିନ୍ତୁ ପୂର୍ବଭଳି ଚାରୋଟିଯାକ ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲା ରଖିବାକୁ ଦାବି କରୁଛନ୍ତି ।