ସମବାୟ ବ୍ୟାଙ୍କ୍‍ର ଲାଭ ୨୨୯ କୋଟି

ଭୁବନେଶ୍ୱର : ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ର ଲାଭ ୨୨୯ କୋଟି ଟଙ୍କାକୁ ଟପିଯାଇଛି । ଗୋଟିଏ ବର୍ଷରେ ବ୍ୟାଙ୍କ୍‍ ୮୬ କୋଟି ଟଙ୍କା ଲାଭ କରିଛି ।

ରାଜ୍ୟରେ କୃଷି ଋଣର ଅଗ୍ରଗତି ସଂକ୍ରାନ୍ତରେ ନାବାର୍ଡ ପକ୍ଷରୁ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ର ପରିଚାଳନା ମଣ୍ଡଳୀ ଏବଂ ସମସ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‍ର ସଭାପତିମାନଙ୍କ ସହିତ ଆଲୋଚନା ହୋଇଥିଲା । ଏଥିରୁ ମିଳିଥିବା ସୂଚନା ଅନୁଯାୟୀ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ର ଲାଭ ବୃଦ୍ଧି ପାଇଛି । ଗତ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କ୍‍ ମୋଟ୍‍ ୧୪୩ କୋଟି ୧୩ଲକ୍ଷ ୧୮ ହଜାର ଟଙ୍କା ଲାଭ କରିଥିବାବେଳେ ଚଳିତବର୍ଷ ମାର୍ଚ୍ଚ ଶେଷସୁଦ୍ଧା ଏହା ୨୨୯ କୋଟି ଟଙ୍କାକୁ ଟପିଯାଇଛି ।

ଏଥି ସହିତ ବ୍ୟାଙ୍କ୍‍ର ଅନାଦେୟ ଋଣ ପରିମାଣ (ଏନ୍‍ପିଏ) ହ୍ରାସ ପାଇଛି । ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ୍‍ ଏନ୍‍ପିଏ ୧.୧ ପ୍ରତିଶତ ଥିବାବେଳେ ଚଳିତବର୍ଷ ତାହା ୧.୦୨କୁ ହ୍ରାସ ପାଇଛି । ତେବେ ଏହି ସମୟରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍‍ ଓ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ୍‍ ଭଳି ସଂସ୍ଥା କ୍ଷତି ସହିଥିବାବେଳେ ନୟାଗଡ, ଅନୁଗୁଳ, ବ୍ରହ୍ମପୁର, ଭବାନୀପାଟଣା, ବଲାଙ୍ଗିର, ବୌଦ, ଖୋରଧା, କୋରାପୁଟ, ସମ୍ବଲପୁର, ପୁରୀ-ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ୍‍ଗୁଡିକ ଲାଭ କରିଛନ୍ତି ।

ସେହିଭଳି ମିଳିଥିବା ସୂଚନା ଅନୁଯାୟୀ କୃଷି ଋଣ ଦେବା କ୍ଷେତ୍ରରେ ଅଧିକାଂଶ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍‍ଗୁଡିକ ଶତ ପ୍ରତିଶତରୁ ଅଧିକ ସଫଳତା ହାସଲ କରିଛନ୍ତି । ଏହା ମଧ୍ୟରେ ଆସ୍କା, ବ୍ରହ୍ମପୁର, ଭବାନୀପାଟଣା, ବାଲାଙ୍ଗିର, କଟକ, ଖୋରଧା, ମୟୁରଭଞ୍ଜ ଓ ସୁନ୍ଦରଗଡ ଆଦି ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍‍ଗୁଡିକ ରହିଛନ୍ତି ।

Leave A Reply

Your email address will not be published.