ଭଞ୍ଜନଗର : ଚାକିରୀ କରାଇ ଦେବା ନାଁରେ ଜଣେ ଯୁବକଙ୍କ ଠାରୁ ୧୩ ଲକ୍ଷ ଟଙ୍କା ନେଇ ଯାଇଥିବା ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ଓଡ଼ିଶା ସରକାରଙ୍କ କମ୍ବାଇନ୍ଡ୍ ଗ୍ରାଜୁଏସନ୍ ପରୀକ୍ଷା ୨୦୨୨ରେ ସରକାରୀ ଚାକରୀ କରାଇ ଦେବାର ପ୍ରଲୋଭନ ଦେଖାଇ ଟଙ୍କା ନେବା ପରେ ଚାକିରୀ ନହେବାରୁ ଯୁବକଙ୍କ ବାପା ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ କେସ୍ ନମ୍ବର ୬୨୬/୨୩ ରେ ରୁଜୁ କରିବା ସହ ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ଅବିନାଶ ଅଚାର୍ଯ୍ୟ ଓ ତାର ସହଯୋଗୀ ଶୁଭମ କୁମାର ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ,ଭଞ୍ଜନଗର ଥାନା ଫୁଲାବାଣୀ ରୋଡ ଠାରେ ରହୁଥିବା କୃଷ୍ଣଚନ୍ଦ୍ର ଜେନାଙ୍କ ପୁଅ ସରକାରୀ ଚାକିରୀ କରିବା ପାଇଁ ଗତବର୍ଷ କମ୍ବାଇନ୍ଡ୍ ଗ୍ରାଜୁଏସନ୍ ପରୀକ୍ଷା ଦେଇଥିଲେ। ଜି.ଉଦୟଗିରି କୋର୍ଟରେ କିରାଣୀ ଥିବା ଅବିନାଶ ଆଚାର୍ଯ୍ୟ କୃଷ୍ଣଙ୍କୁ ୧୫ ଲକ୍ଷ ଟଙ୍କା ଦେଲେ ପୁଅର ଚାକିରୀ ହେବ ବୋଲି କହିଥିଲେ। କୃଷ୍ଣ ବିଭିନ୍ନ ସମୟରେ ଆକାଉଣ୍ଟ୍ ମାଧ୍ୟମରେ,ଫୋନ୍ ପେ ମାଧ୍ୟମରେ ଅବିନାଶକୁ ଟଙ୍କା ଦେବା ସହ କିଛି କ୍ୟାସ୍ ଦ୍ବାରା ମୋଟ ୧୩ ଲକ୍ଷ ଟଙ୍କା ଯୋଗାଡ କରି ପ୍ରଦାନ କରିଥିଲେ। କିନ୍ତୁ ଉକ୍ତ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କୃଷ୍ଣଙ୍କ ପୁଅର ନାମ ସେହି ସେହି ତାଲିକାରେ ନଥିବାରୁ ଅବିନାଶ ସହ ଯୋଗାଯୋଗ କରିଥିଲେ। ଚାକିରୀ ନହେବା ନେଇ ଆଲୋଚନା କରିବା ସହ ତାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଏଥିରେ ଅବିନାଶ ଟଙ୍କା ନଫେରାଇବା ସହ ଓଲଟା ତାଙ୍କୁ ହତ୍ୟା ଧମକ ଦେଇଥିବା ଥାନାରେ ସେ ଅଭିଯୋଗ କରିଥିଲେ। ଘଟଣା ପରେ ସେ ଓଡ଼ିଶା ବାହାରକୁ ଚାଲିଯାଇଥିବା ବେଳେ ଅବିନାଶ ଏବଂ ଏହି କାର୍ଯ୍ୟରେ ତାକୁ ସହଯୋଗ କରୁଥିବା ଶୁଭମକୁ ଧରିବା ପାଇଁ ପୁଲିସ୍ ଗୋଆକୁ ମଧ୍ୟ ଯାଇ ଚଢଉ କରିଥିଲା। ପରେ ତାକୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଏଥିସହ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ସିଜ୍ କରିବା ସହ ଏଟିମ୍ କାର୍ଡ,୨ ଟି ମୋବାଇଲ୍ ଫୋନ୍,ଗୋଟିଏ ଟ୍ୟାବ୍,୧୫ ହଜାର ଟଙ୍କା ଏବଂ ଜି.ଉଦୟଗିରି ଜେଏମ୍ଏଫ୍ସି କୋର୍ଟର କିରାଣୀ ଭାବେ କାର୍ଯ୍ୟ କରୁଥିବାର ଗୋଟିଏ ଆଇ କାର୍ଡ ଜବତ କରାଯାଇଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।