ଭଞ୍ଜନଗର,୦୧/୦୮ : ଓପିଏସ୍ସି ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ୍ ବାଙ୍ଗରଡା ଗ୍ରାମର ନିବେଦିତା ବିଶ୍ବାଳ। ବାଙ୍ଗରଡାର ମୂଳ ବାସିନ୍ଦା ନିବେଦିତା ବର୍ତ୍ତମାନ ଭଞ୍ଜନଗର ବ୍ଳକ ବଡ଼କୋଦଣ୍ଡାରେ ଭାରତୀୟ ଡାକ ବିଭାଗର ଗ୍ରାମିଣ ଡାକସେବାରେ କାର୍ଯ୍ୟରତ ରହିଛନ୍ତି। ସେ ୧୫୩ ନମ୍ବର ରେଙ୍କ ରଖି ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଖବର ଜଣାପଡିବା ପରେ ସାଙ୍ଗସାଥୀ ଓ ବନ୍ଧୁବର୍ଗଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୂଅ ଛୁଟୁଛି। ନିବେଦିତାଙ୍କ ବାପା ନିରଞ୍ଜନ ବିଶ୍ବାଳ ନବରଙ୍ଗପୁର ଜିଲ୍ଲାରେ ବ୍ୟବସାୟ କରୁଥିବା ବେଳେ ମାଆ ବନୀତା ବିଶ୍ବାଳ ଜଣେ ଗୃହିଣୀ। ପିଲାଟି ଦିନରୁ ସେ ଜଣେ ମେଧାବୀ ଛାତ୍ରୀ ରହିଥିଲେ। ପିଲା ଦିନେ ଗାଁରେ ରହୁଥିବା ବେଳେ ସେ କେନ୍ଦୁପଦର ପ୍ରଗତି ଶିଶୁ ମନ୍ଦିରରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ବାପାଙ୍କ ସହ ନୂଆପଡା ଜିଲ୍ଲା ଖରିଆର୍କୁ ଚାଲି ଯାଇଥିଲେ ସେଠାରେ ସେ ଦଶମ ପର୍ଯ୍ୟନ୍ତ ପାଠ ପଢି ଦଶମ ବୋର୍ଡ ପରୀକ୍ଷାରେ ଜିଲ୍ଲା ଟପର ହୋଇଥିଲେ। ଏହାପରେ ସେ ଗଞ୍ଜାମ ଜିଲ୍ଳାକୁ ଆସି ବ୍ରହ୍ମପୁର ନିଳକଣ୍ଠ ନଗର ଶିଶୁ ମନ୍ଦିରରେ ଯୁକ୍ତଦୁଇ ପଢିବା ସହ ଖଲିକୋଟ କଲେଜରେ ରସାୟନ ବିଭାଗରେ ସ୍ନାତକ ଅଧ୍ୟୟନ କରିଥିଲେ। ଏଥି ନିମନ୍ତେ ସେ କୌଣସି କୋଚିଂ ନେଇ ନଥିବା ବେଳେ କିଛି ଷ୍ଟେଜ୍ ସିରିଜ୍ର ଅଭ୍ୟାସ କରିଥିବା ପ୍ରକାଶ କରିଛନ୍ତି। ନିଜକୁ ଏଥିପାଇଁ ପ୍ରସ୍ତୁତ କରୁଥିବା ବେଳେ ପରିବାର ଲୋକଙ୍କ ଅକୁଣ୍ଠ ସହଯୋଗ ଆଉ ପ୍ରେରଣା ବଳରେ ଏଭଳି ସଫଳତା ହାସଲ କରିଥିବା ସେ କହିଛନ୍ତି। ଆଉ ପ୍ରଥମ ସୁଯୋଗରେ ହିଁ ସେ ଏଭଳି କୃତକାର୍ଯ୍ୟ ହାସଲ କରିଥିବା ବେଳେ ଅଗାମୀ ଦିନରେ ୟୁପିଏସ୍ସି ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ନିବେଦିତା ପ୍ରକାଶ କରିଛନ୍ତି। ଚାକିରି କ୍ଷେତ୍ର ସହିତ ପାଠପଢାକୁ ମଧ୍ୟ ସମାନ୍ତରଳ ଭାବେ ନିଜକୁ ପ୍ରସ୍ତୁତ କରିବାକୁ ପଡିବ ବୋଲି କହିଛନ୍ତି।ଛୋଟ ବେଳୁ ନିବେଦିତା ପାଠ ପଢା ପ୍ରତି ଅଧିକ ରୁଚି ରଖିଥିଲେ। ଓଏଏସ ପରୀକ୍ଷା ରେ ସଫଳ ହେବା ପରେ ସମସ୍ତ ଶ୍ରେୟ ବାପା ମା ଓ ଗୁରୁଜନ ମାନଙ୍କୁ ଦେଇଛନ୍ତି .