ଧାମନଗର ୦୨/୦୮/୨୩/ ଚଳିତ ବର୍ଷର ଵୈତରଣୀ ନଦୀର ପ୍ରଥମ ସମ୍ଭାବ୍ୟ ବନ୍ୟା ଧାମନଗର ବ୍ଲକକୁ ସର୍ବାଧିକ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଧାମନଗର ସ୍ଥିତ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ଠାରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ବୁଧବାର ଅପରାହ୍ନରେ ବିଭାଗୀୟ ଉପ ମୁଖ୍ୟଯନ୍ତ୍ରୀ ସରୋଜ ମିଶ୍ର ଏବଂ ଅଧୀକ୍ଷଣ ଯନ୍ତ୍ରୀ ଶରତ ଘଡାଇଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକରେ ସମୀକ୍ଷା କରିଛନ୍ତି। ବନ୍ୟା ସମୟରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ ହେବା ସହ ଦୁର୍ବଳ ନଦୀବନ୍ଧ ମାନଙ୍କରେ କିଭଳି ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯିବା ସହିତ ବାଲି ବସ୍ତା ,କାଠ ବଲା ଭଳି ବିଭିନ୍ନ ଉପକରଣ ମହଜୁଦ ରଖାଯିବ ତାହା ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ପରେ ସେ ଅଧିକାରୀଙ୍କ ସହ ମଲ୍ଲିମାହାରା,ଗୌରାଙ୍ଗପୁର ଏସକେପ୍ ଷେଣ୍ଢପୁର,ଗାନ୍ଧୀଘାଟ ଆଦି ସ୍ଥାନ ପରିଦର୍ଶନ କରିଥିବା ଜଣାପଡିଛି। ବିଧାୟକ ଶ୍ରୀ ସୂରଜ ମାନ୍ୟବର ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଧାମନଗରର ବନ୍ୟା ସମ୍ପର୍କରେ ଅବଗତ କରାଇ ତିନୋଟି ଏନଡିଆରଏଫ ଟିମ୍ ପଠାଇବା ପାଇଁ ଅନୁରୋଧ କରିଥିଲେ। ସେଇପରି ଧାମନଗର ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ମନୋଜ ପାତ୍ର,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା,ଏବିଡିଓ ଶର୍ମିଷ୍ଠା ମଲ୍ଲିକ,ଏନ୍ ଏ ସି ଅଧିକାରୀ ଦେବୀ ପ୍ରସାଦ ମହାନ୍ତି,ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ମିଟରଥିବା ବେଳେ ସଂନ୍ଧ୍ୟା ୬ଟା ସମୟରେ ଜଳସ୍ତର ଵୃଦ୍ଧି ପାଇ ବିପଦ ସଂକେତର ଉପରେ୧୯.୨୬ମିଟରରେ ପ୍ରଭାହିତ ହେଉଥିଵା ଵେଳେ ଏହା ରାତି ୯ଟା ସୁଧା ଏହା ଵୃଦ୍ଧି ହୋଇ ୨୦.୫ ମିଟରରେ ପ୍ରଭାବିତ ହେଵାର ସମ୍ଭାବନାକୁ ନଜର ରଖି ଧାମନଗର ରେ ଏନ ଡି ଆର ଏଫ୍ ଓ ଓଡ୍ରାଫ ଟିମର୩୦ଜଣ ସଦସ୍ୟ ଉପସ୍ଥିତ ଥିବା ସତ୍ଵେ ଆପଣ ମାନେ ସମସ୍ତେ ସଜାଗ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲଘୁଚାପ ଜନିତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଆଖୁଆପଦାଠାରେ ବନ୍ୟାଜଳ ବିପଦ ସଙ୍କେତ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି ବଡ ଧରଣର ବନ୍ଯା ହେବ ବୋଲି ଜଳସେଚନ ବିଭାଗ ତରଫରୁ ସତର୍କ ସୂଚନା ଦିଆଯାଇଛି। ଯାହା ଫଳରେ ଧାମନଗର ବ୍ଲକ ଅନ୍ତର୍ଗତ ବୈତରଣୀ ଓ ତାର ଶାଖା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବୁଧବାର ପୂର୍ବାହ୍ନରେ ଧାମନଗର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ବିଜେଡି ନେତା ପ୍ରତାପ ସାମଲ,ସୁଶାନ୍ତ କୁମାର ରାଉତଙ୍କ ସହ ଅନ୍ୟ ନେତୃବୃନ୍ଦ ବନ୍ୟା ପ୍ରଭାବିତ ଅଞ୍ଚଳ ମାଲିମାହାରା ଓ ଗୌରାଙ୍ଗପୁର ଏସକେପ ସହିତ ବିଭିନ୍ନ ଦୁର୍ବଳ ନଦୀ ବନ୍ଧ ବୁଲି ଦେଖି ଜିଲ୍ଲା ଓ ବ୍ଲକ ପ୍ରଶାସନ ଏଥିପାଇଁ ସଜାଗ ରହିଛି ବୋଲି ତଳିଆ ଅଞ୍ଚଳରେ ଥିବା ଲୋକମାନେ ଭୟଭୀତ ନହେବା ପାଇଁ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି।