ଲଗାଣ ବର୍ଷାରେ ବେହାଲ କେନ୍ଦୁଝର ; ଜୁଡ଼ିଆ ଘାଟିରେ ଭୂସ୍ଖଳନ

କେନ୍ଦୁଝର, (ନିପ୍ର) ଲଗାଣ ବର୍ଷାରେ ମଙ୍ଗଳବାରଠାରୁ କେନ୍ଦୁଝର ଅବସ୍ଥା ଜଟିଳ ହେବାରେ ଲାଗିଛି । ବର୍ଷାକୁ ଆଖି ଆଗରେ ରଖି ବୁଧବାର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖାଯାଉଛି । ବାଦଲ ଫଟା ଭଳି ବର୍ଷା ଯୋଗୁଁ ପୌରାଂଚଳରେ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି । ଫଳରେ ଜଳବନ୍ଦୀ ଭାବେ ସହରବାସୀ ସମୟ ଅତିବାହିତ କରୁଛନ୍ତି । ମୁଖ୍ୟ ଡାକ୍ତରଖାନାର ରକ୍ତଭଣ୍ଡାର ପାଣି ଘେରରେ ରହିଛି । ଘାଟି ମହାଦେବ, ନିହାଲ ସିଂହ ଛକ, ବଳଦେବ ଜୀଉ କଲୋନୀ, ଗ୍ରାମଶ୍ରୀ କଲୋନୀ ରାସ୍ତାରେ ପାଣିର ସୁଅ ଛୁଟିଛି । ସେହିପରି ଭାଲୁକି ପତଳା ମଧ୍ୟ ପାଣି ଘେରରେ ରହିଛି । ଅରଡ଼େଇ ନଦୀରେ ପ୍ରବଳ ବର୍ଷା ଜଳ ଯୋଗୁଁ ପୋଲ ଉପରେ ୪ ଫୁଟର ପାଣି ସୁଅ ଛୁଟିଛି । ସେହିପରି ମାଣ୍ଡୁଆ ପଂଚାୟତ ର ଟିକରଗୁମୁରାରେ ମଧ୍ୟ ପାଣି ଘେରରେ କିଛି ଘର ରହିଛି । କେନ୍ଦୁଝର ରେଳ ଷ୍ଟେସନକୁ ଯାଇଥିବା ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏହି ଅଂଚଳରେ ପ୍ରତେକ ବର୍ଷ ବର୍ଷା ଦିନେ ଏହିଭଳି ଅସୁବିଧା ସମ୍ମୁଖୀନ ହେଉଛନ୍ତି ଟିକରଗୁମୁରା ବାସୀ । କେନ୍ଦୁଝର ଓ ବୋଦାପଳସା ମଧ୍ୟରେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେପଟେ ଜୁଡ଼ିଆ ଘାଟିରୁ ପଥର ଖସିବାରୁ ୪୯ନଂ ରାଜପଥରେ ଅଧ ଘଣ୍ଟା ଧରି ଚଳାଚଳ ବନ୍ଦ ରହିଥିଲା । ରାଜପଥ କତୃପକ୍ଷ ପଥର ହଟାଇ ଦେବାରୁ ଗାଡ଼ି ମଟର ଚଳାଚଳ ସ୍ୱାଭାବିକ ହୋଇଛି । ତଥାପି ଜୁଡ଼ିଆ ଘାଟି ବିପଦପୂର୍ଣ୍ଣ ରହିଥିବା ଆଶଙ୍କାରେ ସାଧାରଣ ଲୋକେ ଜୁଡ଼ିଆ ଘାଟି ଦେଇ ଯିବାକୁ ଭୟ କରୁଛନ୍ତି ।

Leave A Reply

Your email address will not be published.