ସମ୍ପତ୍ତି ତାଲିକା ଦାଖଲ କରୁନଥିବାରୁ କଠୋର ଆଭିମୁଖ୍ୟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବାରମ୍ବାର ତାଗିଦା ସତ୍ତ୍ୱେ ଅନେକ କର୍ମଚାରୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ କରୁନଥିବାରୁ ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ସମ୍ପତ୍ତି ତାଲିକା ଦାଖଲ କରୁନଥିବା ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ କେତେକ ବିଭାଗ ପଦୋନ୍ନତି ଦେଉ ନଥିବାବେଳେ ଆଉ କେତେକ ସ୍ଥଳରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇ ଦଣ୍ଡବିଧାନ ପୂର୍ବରୁ ପଦୋନ୍ନତିକୁ ଅଟକା ଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ, ସରକାରୀ କର୍ମଚାରୀ ଆଚରଣବିଧିର ୨୧ (୪) ଧାରାରେ ପ୍ରତି ରାଜ୍ୟ ସରକାରୀ କର୍ମଚାରୀ ୩ବର୍ଷରେ ଥରେ ସେମାନଙ୍କ ସମ୍ପତ୍ତି ତାଲିକା ଜାନୁୟାରୀ ଶେଷ ସୁଦ୍ଧା ଦାଖଲ କରିବାକୁ ବ୍ୟବସ୍ଥା ଅଛି । ରାଜ୍ୟ ସରକାରଙ୍କର ଯେଉଁ ଅଧିକାରୀମାନେ ସମ୍ପତ୍ତି ତାଲିକା ଘୋଷଣାରେ ତ୍ରୁଟି ବିଚ୍ୟୁତି ଓ ମିଥ୍ୟାଚାର କରିବେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହିତ ଆବଶ୍ୟକ ସ୍ଥଳେ ଚାକିରିରୁ ବରଖାସ୍ତ କରିବା ପାଇଁ ମଧ୍ୟ ଆଚରଣବିଧିରେ ବ୍ୟବସ୍ଥା ଥିଲା ।

ତେବେ ୨୦୧୫ ମସିହାରେ ରାଜ୍ୟ ସରକାର ସମ୍ବିଧାନର ୩୦୯ ଧାରା ମୁତାବକ ଏଥିରେ ସଂଶୋଧନ ଆଣିଛନ୍ତି । ସଂଶୋଧିତ ଆଇନରେ କୁହାଯାଇଛି ଯେ ସରକାରୀ କର୍ମଚାରୀ କିମ୍ବା ତାଙ୍କ ପରିବାରର କେହି ସଦସ୍ୟଙ୍କ ନାମରେ ସମ୍ପତ୍ତି କିଣାବିକା ହେଲେ ତାହା ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ପଡିବ । ସମ୍ପୃକ୍ତ ଅଧିକାରୀ ଯାହା କିଣିବେ ତାହାର ଦାମ ଉକ୍ତ କର୍ମଚାରୀଙ୍କ ୨ମାସର ଦରମାରୁ ଅଧିକ ହୋଇନଥିବ । ଏହାଛଡ଼ା ୩ବର୍ଷ ପରିବର୍ତ୍ତେ ରାଜ୍ୟ ସରକାରଙ୍କର ପ୍ରତିଟି କର୍ମଚାରୀ ପ୍ରତିବର୍ଷ ଜୁଲାଇ ମାସ ସୁଦ୍ଧା ବିଗତ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ଦାଖଲ କରିବେ ।

ନିଜ ନାମରେ କିମ୍ବା ନିଜର ପତି/ପତ୍ନୀ, ସନ୍ତାନସନ୍ତତି, ତାଙ୍କ ଉପରେ ନିର୍ଭର କରୁଥିବା ଅନ୍ୟ ସଦସ୍ୟ କିମ୍ବା ବେନାମିଦାରଙ୍କ ନାମରେ ଯାହାବି ସମ୍ପତ୍ତି ଥିବ ସମ୍ପୃକ୍ତ ଅଧିକାରୀ ନିଜ ହାତରେ ତାହାର ତାଲିକା ପ୍ରସ୍ତୁତ କରି ଜଉମୁଦ ଦିଆ ଖୋଳରେ ଦାଖଲ କରିବ । ଯେଉଁମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମ୍ପତ୍ତି ତାଲିକା ପ୍ରଦାନ ନ କରିବେ କିମ୍ବା ପ୍ରଦାନ କରିଥିବା ତାଲିକାରେ ଭୁଲ୍‍ ତଥ୍ୟ ଦେଇଥିବା କି କିଛି ତଥ୍ୟ ଲୁଚାଇଥିବେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂଶୋଧିତ ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।

ଆଇନରେ ଏଭଳି ବ୍ୟବସ୍ଥା ଥିଲେ ମଧ୍ୟ ବାରମ୍ବାର ରାଜ୍ୟ ସରକାରଙ୍କ ତାଗିଦା ସତ୍ତ୍ୱେ କିଛି କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରୁନାହାନ୍ତି । ଏହି ସମସ୍ୟାକୁ ଆଖି ଆଗରେ ରଖି କେତେକ ବିଭାଗ ସମ୍ପତ୍ତି ତାଲିକା ଦାଖଲ କରିନଥିବା କର୍ମଚାରୀଙ୍କୁ ପଦୋନ୍ନତି ଦେଉନାହାନ୍ତି । ଆଉ କେତେକ ସ୍ଥଳରେ ବି ଓଡ଼ିଶା ସିଭିଲ୍‍ ସର୍ଭିସ୍‍ କ୍ଲାସିଫିକେସନ, କଣ୍ଟ୍ରୋଲ ଆଣ୍ଡ ଆପିଲ୍‍ ରୁଲ୍‍ସର ୧୫ ଧାରା ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଉଛି । ଏଥିରେ ଅଭିଯୁକ୍ତ କର୍ମଚାରୀ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଚାକିରିରୁ ବରଖାସ୍ତ ପର୍ଯ୍ୟନ୍ତ ବିଭିନ୍ନ ଦଣ୍ଡ ଦିଆଯାଇପାରେ ।

Leave A Reply

Your email address will not be published.