ଭୁବନେଶ୍ୱର : ରାଜ୍ୟରେ ବିସ୍ତୃତ ଜଳସମ୍ପଦ ରହିଥିବା ପରିପ୍ରେକ୍ଷୀରେ ମାଛ ଉତ୍ପାଦନ ଓ ରପ୍ତାନୀର ବ୍ୟାପକ ସୁଯୋଗ ରହିଛି । ୨୦୨୨-୨୩ ମସିହାରେ ରାଜ୍ୟର ମୋଟ ୪୮୦୭ କୋଟି ଟଙ୍କାର ମାଛ ବିଦେଶକୁ ରପ୍ତାନୀ ହୋଇଥିବାବେଳେ ଉତ୍ପାଦିତ ମତ୍ସ୍ୟକୁ ପ୍ରକି୍ରୟାକରଣ ମାଧ୍ୟମରେ ମୂଲ୍ୟଯୁକ୍ତ କରିପାରିଲେ ଅଧିକ ବୈଦେଶିକ ମୁଦ୍ରା ଉପାର୍ଜନ ହୋଇପାରିବ ।
ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରି କୃଷକମାନଙ୍କର ଆୟ ବହୁଗୁଣିତ କରିବା ସହ ରାଜ୍ୟରେ କୃଷିର ଅଭିବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା “ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ଏକ ବଳିଷ୍ଠ ମାଧ୍ୟମ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ମତ୍ସ୍ୟ ଉଦ୍ୟୋଗୀମାନଙ୍କର ଅଭିବୃଦ୍ଧି ସମ୍ପର୍କିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଏହି ଯୋଜନାକୁ ଅଧିକ ସଫଳ, ଫଳପ୍ରଦ ଓ ଆକର୍ଷଣୀୟ କରିବା ପାଇଁ ସଂପ୍ରତି ଏହାର ମାର୍ଗଦର୍ଶିକା ସରଳୀକରଣ କରାଯିବା ସହିତ ସର୍ବୋଚ୍ଚ ରିହାତି ରାଶିକୁ ୫୦ ଲକ୍ଷରୁ ଏକ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରାଜ୍ୟର ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ସାମିଲ କରି ମତ୍ସ୍ୟଚାଷ ଓ ଉତ୍ପାଦନ ବୃଦ୍ଧି କରିବା ସହିତ ରାଜ୍ୟର ଅର୍ଥନୈତିକ ବିକାଶ ଓ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଏଥିପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସମ୍ପର୍କରେ ପ୍ରତି ଜିଲ୍ଲାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଆପିକଲର େୱବ୍ସାଇଟ୍ରେ ଅଧିକରୁ ଅଧିକ ସଫଳ କାହାଣୀ ଏବଂ ଫଟୋଚିତ୍ର ସ୍ଥାନିତ କଲେ ଉଦ୍ୟୋଗୀମାନେ ମତ୍ସ୍ୟଚାଷ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଆଗ୍ରହୀ ହେବେ । ରାଜ୍ୟ ସରକାର ମତ୍ସ୍ୟଚାଷର ବିକାଶକୁ ଗୁରୁତ୍ୱ ପ୍ରଦାନ କରି ମତ୍ସ୍ୟଚାଷ କ୍ଷେତ୍ର ପାଇଁ ଚଳିତବର୍ଷର ବଜେଟ୍ରେ ପ୍ରାୟ ୧୯.୭୬ ପ୍ରତିଶତ ବୃଦ୍ଧି କରିଛନ୍ତି ।
ଓଡ଼ିଶା ଉପକୂଳର ଗଭୀର ସମୁଦ୍ରରୁ ପର୍ଯ୍ୟାପ୍ତ ପରିମାଣର ସାମୁଦି୍ରକ ମତ୍ସ୍ୟ ଉତ୍ପାଦନ ଓ ପ୍ରକି୍ରୟାକରଣ ଦିଗରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବିଶେଷ ସହାୟକ ହୋଇପାରିବ ଏବଂ ମତ୍ସ୍ୟ ଚାଷ କ୍ଷେତ୍ରରେ ରୂପାନ୍ତରଣ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଥିସହିତ ବିଭାଗ ଦ୍ୱାରା ବୃହତ ଏବଂ ଅତ୍ୟାଧୁନିକ ଆକ୍ୱାରିୟମ୍ ସ୍ଥାପନ କରି ରଙ୍ଗିନ ମାଛଚାଷର ବିକାଶ ସହିତ ପର୍ଯ୍ୟଟନର ବିକାଶ ନିମନ୍ତେ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବିଗତ ୨୦ ବର୍ଷ ଭିତରେ ମାଛ ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ କହିଥିଲେ । ମାଛ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଥିବାବେଳେ ଏହି ସମୟ ମଧ୍ୟରେ ମାଛ ଉତ୍ପାଦନ ଚାରିଗୁଣ ବୃଦ୍ଧି ପାଇଛି । ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୮ ଗୁଣ ବୃଦ୍ଧି ପାଇଛି । ମାଛ ଯାଆଁଳ ଉତ୍ପାଦନ ୧୦ ଗୁଣ ବୃଦ୍ଧି ପାଇଛି ।
ବିଭାଗ ପକ୍ଷରୁ ପ୍ରଣୀତ ଓ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାରେ ମତ୍ସ୍ୟଚାଷୀଙ୍କୁ ଅନେକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ମାଛ ଉତ୍ପାଦନ ବୃଦ୍ଧି ଦିଗରେ ରାଜ୍ୟର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରମୁଖ ଭୂମିକା ରହିଛି । ଏହାଦ୍ୱାରା ମହିଳାମାନେ ସ୍ୱାବଲମ୍ବୀ ହେବା ସହିତ ମହିଳା ସଶକ୍ତିକରଣ ହୋଇପାରୁଛି ବୋଲି ପ୍ରମୁଖ ସଚିବ ଶ୍ରୀ ବଶିଷ୍ଠ କହିଥିଲେ ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ କହିଲେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗୀମାନେ ଅଣଧାନ ଫସଲରୁ କିପରି ଅଧିକ ରୋଜଗାର ପାଇବେ ସେଥିନିମନ୍ତେ ପଦକ୍ଷେପ ନିଆଯାଉଛି । ଏଥିସହିତ କୃଷି ଆନୁଷଙ୍ଗିକ କ୍ଷେତ୍ରରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ଓ ଯନ୍ତ୍ରପାତିର ବ୍ୟବହାର ଉପରେ ଡଃ ପାଢ଼ୀ ଗୁରୁତ୍ୱାରୋପ କରିଥିଲେ ।
ଆଲୋଚନାରେ ଅଂଶ ଗ୍ରହଣ କରି ଆପିକଲର ଅଧ୍ୟକ୍ଷ ଶ୍ରୀ ପ୍ରଭାତ ଆଦିତ୍ୟ ମିଶ୍ର ମତ୍ସ୍ୟ ଚାଷକୁ ଉଦ୍ୟୋଗୀମାନେ ବ୍ୟବସାୟିକ ଭିତ୍ତିରେ ଚାଷ କରିବା ପାଇଁ କହିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗ୍ରାମପଞ୍ଚାୟତ ପୋଖରୀକୁ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଆପିକଲର ପରିଚାଳନା ନିର୍ଦ୍ଦେଶକ ତଥା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଉଦ୍ୟୋଗୀମାନଙ୍କୁ ଅଧିକ ସଂଖ୍ୟାରେ କୃଷି ଓ ଆନୁଷଙ୍ଗିକ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମାର୍ଗଦର୍ଶିକାର ବ୍ୟାପକ ସରଳୀକରଣ କରାଯାଇଥିବା ବିଷୟରେ ଆଲୋଚନା କରିଥିଲେ । ସଂଶୋଧିତ ମାର୍ଗଦର୍ଶିକା ଅନୁଯାୟୀ ଗୋଟିଏ ପରିବାର ଏବଂ ଉଦ୍ୟୋଗୀ ୧୦ ବର୍ଷ ଅବଧି ପରେ ସଂପ୍ରସାରଣ କିମ୍ବା ନୂତନ ଉଦ୍ୟୋଗ ସ୍ଥାପନ ନିମନ୍ତେ ପୁନଃ ପୁଞ୍ଜିନିବେଶ ଉପରେ ମଧ୍ୟ ରିହାତିି ପାଇବାକୁ ଯୋଗ୍ୟ ବିବେଚିତ ହେବେ ।