ଭୁବନେଶ୍ୱର : ସମବାୟ ସମିତିଗୁଡିକ ଚାହିଁଲେ ବି ଆଉ ପୂର୍ବଭଳି ମନଇଚ୍ଛା ନିଜର ସ୍ଥାବର ସମ୍ପତ୍ତିକୁ ବିକ୍ରି ପରିପାରିବେ ନାହିଁ କିମ୍ବା କାହାରିକୁ ଦେଇ ପାରିବେ ନାହିଁ । ରାଜ୍ୟ ସରକାର ଏହା ଉପରେ କଟକଣା ଲଗାଇବା ସହିତ ସମବାୟ ବିଭାଗ ପକ୍ଷରୁ ଏହି ମର୍ମରେ ନୂତନ ନିର୍ଦ୍ଦେଶନାମା ଜାରି ହୋଇଛି ।
ସମବାୟ ସମିତି ଆଇନ୍ ୧୯୬୨ ଅନୁଯାୟୀ ପଞ୍ଜିକୃତ ହୋଇଥିବା ସମିତିଗୁଡିକ ସମ୍ପତ୍ତି ଅଧିଗ୍ରହଣ ଏବଂ ଏହାକୁ ବିକ୍ରି କରିବାର କ୍ଷମତା ରଖିଥିଲେ । ଓଡିଶା ସମବାୟ ସମିତି ଆଇନ୍ ୧୯୬୫ର ଧାରା ୧୨-କ ଅନୁଯାୟୀ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଗୁଡିକୁ ବିକ୍ରି କରିବାର କ୍ଷମତା ପ୍ରଦାନ କରାଯାଇଥିଲା । ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ସମିତିର ସଦସ୍ୟ, ଜମାକାରୀ, ଋଣଗ୍ରହୀତା ଏବଂ ଏହାର କର୍ମଚାରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପରିଚାଳନା ପରିଷଦରେ ପାରିତ ସଙ୍କଳ୍ପ ଅନୁଯାୟୀ ସ୍ଥାବର ସମ୍ପତ୍ତିଗୁଡିକୁ ବିକ୍ରି କିମ୍ବା ଲିଜ୍ ଦିଆଯାଇ ପାରିବ ।
କିନ୍ତୁ ସରକାର ଦେଖିବାକୁ ପାଇଲେ ଯେ କେତେକ ସମବାୟ ସମିତିର ପରିଚାଳନା ମଣ୍ଡଳୀ ସମିତି ସ୍ୱାର୍ଥକୁ ଅଣଦେଖା କରି ବେଆଇନ୍ ଭାବେ ସମିତିର ସମ୍ପତ୍ତିକୁ ମନଇଚ୍ଛା ବିକ୍ରି ଓ ଲିଜ୍ ଦେବାରେ ଲାଗିଲେ । ଏଭଳି କାର୍ଯ୍ୟ ଉପରେ ସମବାୟ ବିଭାଗ ଏବେ ଅଙ୍କୁଶ ଲଗାଇଛି ।
ସମବାୟ ଆଇନ୍ରେ ଥିବା ଧାରା ୧୨୩-କ କୁ ପ୍ରୟୋଗ କରି ସମବାୟ ସମିତିଗୁଡିକ ଆଉ ପୂର୍ବଭଳି ମନଇଚ୍ଛା ସମିତିର ସ୍ଥାବର ସମ୍ପତ୍ତି ବିକ୍ରି କିମ୍ବା ଲିଜ୍ରେ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରି କରିବାକୁ ହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ କିମିଟି ଠାରୁ ଅନୁମତି ନେବାକୁ ପଡିବ । କମିଟି ନିର୍ଦ୍ଦେଶନାମା ଜାରି କରିବାପରେ ସମିତି ସମ୍ପୃକ୍ତ ସମ୍ପତ୍ତିକୁ ବ୍ରିକି କିମ୍ବା ଲିଜ୍ରେ ଦେଇପାରିବେ ।
ତେବେ ଯେଉଁ ସମବାୟ ସମିତି ଗୁଡିକ ନିଜ ଅର୍ଥରେ ସର୍ବସାଧାରଣ ନିଲାମ ଜରିଆରେ ସମ୍ପତ୍ତି ଅଧିଗ୍ରହଣ କରିଥିବେ ଏବଂ ସେଥିରେ ସରକାରଙ୍କର କୌଣସି ଅଂଶଧନ ନଥିବ କିମ୍ବା ସେମାନେ ସରକାରଙ୍କ ଠାରୁ କୌଣସି ପ୍ରକାର ସହାୟତା ଗ୍ରହଣ କରୁନଥିବେ ସେହିସବୁ ସମିତି ପାଇଁ ଏହି ନୂଆ କଟକଣା ଲାଗୁ ହେବନାହିଁ ।