ରାଜଧାନୀ କଲେଜରେ ଅଧ୍ୟାପକ ଅଭାବ;ଠିକା ଅଧ୍ୟାପକ ପାଠପଢା ଚାପରେ ନୟାନ୍ତ

ଭୁବନେଶ୍ୱର : ଯୁକ୍ତ ତିନି ସ୍ତରରେ ପାଠ ପଢାଇବାପାଇଁ ଅଧ୍ୟାପକଙ୍କର ଉତ୍କଟ ଅଭାବ । ଠିକା ଅଧ୍ୟାପକ ପାଠପଢା ଚାପରେ ନୟାନ୍ତ ହେଉଥିବାବେଳେ ଜଣେ ଶିକ୍ଷକଙ୍କ ନିକଟରେ ସବୁଦିନ ପାଠ ପଢିବାକୁ ପିଲାଏ ବି ଅମଙ୍ଗ ହେବା ସହିତ ନିୟମିତ କଲେଜ ଆସୁନାହାନ୍ତି ।

ଶିକ୍ଷକ ଅଭାବର ଏଭଳି ସଙ୍ଗୀନ ସ୍ଥିତି ରାଜ୍ୟର କୌଣସି ଦୂର ଦୂରାନ୍ତ କଲେଜରେ ନୁହେଁ, ଖୋଦ ରାଜଧାନୀର ଅନ୍ୟତମ ପୁରାତନ ସରକାରୀ ମହାବିଦ୍ୟାଳୟ ରାଜଧାନୀ କଲେଜରେ । ଏଠାରେ ଏକାଧିକ ନୂତନ ପାଠ୍ୟକ୍ରମ ପାଇଁ ସରକାର ଅନୁମତି ଦେଇଥିବାବେଳେ ନିୟମିତ ଅଧ୍ୟାପକ ନିଯୁକ୍ତ କରୁନାହାନ୍ତି । ଠିକା ଶିକ୍ଷକଙ୍କ ଭରସାରେ ଏବେ କଲେଜ ଚାଲିଥିବାବେଳେ ଆବଶ୍ୟକ ସଂଖ୍ୟକ ଠିକା ଶିକ୍ଷକ ବି ନିଯୁକ୍ତ ହେଉନାହାନ୍ତି । ଠିକାରେ ନିଯୁକ୍ତ ହେଉଥିବା ଅବସରପ୍ରାପ୍ତ ଶିକ୍ଷକମାନେ ବି ଗୋଟିଏ ଦିନରେ ଏକାଧିକ ଶ୍ରେଣୀରେ ପାଠ ପଢାଇବାକୁ ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି ।

ରାଜଧାନୀ ମହାବିଦ୍ୟାଳୟର ଅନ୍ୟ ବିଷୟ ସହିତ ଶିକ୍ଷା (ଏଜୁକେଶନ) ବିଭାଗରେ ଏବେ ଏଭଳି ଅବସ୍ଥା ଜଟିଳ ହୋଇଛି । ଏଠାରେ ଯୁକ୍ତ ଦୁଇ ସ୍ତରରେ ଶିକ୍ଷା ସମ୍ମାନ ଓ ପାଶ୍‍ ବିଷୟରେ ପାଠ ପଢାଇବାପାଇଁ ମାତ୍ର ଦୁଇ ଜଣ ଅଧ୍ୟାପକ ଅଛନ୍ତି । ଜଣେ ନିୟମିତ ଓ ଅନ୍ୟଜଣେ ଅବସର ଗ୍ରହଣ କରିସାରିଥିବା ଠିକା ଅଧ୍ୟାପକ । ଆଉ ଜଣେ ନିୟମିତ ଶିକ୍ଷକଙ୍କୁ କର୍ତ୍ତୃପକ୍ଷ ନିକଟରେ ଏଠାରୁ କଟକକୁ ବଦଳି କରିଦେଇଛନ୍ତି । ଅଳ୍ପଦିନ ପରେ ଅବସର ନେବାକୁ ଯାଉଥିବା ଏହି ଅଧ୍ୟାପିକାଙ୍କୁ ଶିକ୍ଷକ ଅଭାବ ସତ୍ୱେ କର୍ତ୍ତୃପକ୍ଷ କିଭଳି କଟକକୁ ବଦଳି କରିଦେଲେ ଓ ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦେଲେନାହିଁ ତାହା ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭକରି ଅଭିଭାବକଙ୍କୁ ବି ତାଜୁବ କରିଛି ।

ଏଜୁକେଶନ ଶ୍ରେଣୀରେ ସିଲାବସ୍‍ ସାରିବାପାଇଁ ବର୍ତ୍ତମାନ ଥିବା ଦୁଇ ଜଣ ଅଧ୍ୟାପକ ଏବେ ବାଧ୍ୟହୋଇ ଅବିଶ୍ରାନ୍ତ ଭାବରେ ପାଠ ପଢାଇବାରେ ଲାଗିଛନ୍ତି । ଘଣ୍ଟା ଘଣ୍ଟା ଧରି ନିୟମିତ ଭାବେ ପଢାଉଛନ୍ତି । ତେବେ ଛାତ୍ରଛାତ୍ରୀମାନେ ପ୍ରତିଦିନ ଜଣେ ଶିକ୍ଷକଙ୍କ ନିକଟରେ ପଢିବାପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଫଳରେ ଏଜୁକେଶନ ପାଠ ପଢିବାପାଇଁ ଛାତ୍ରଛାତ୍ରୀମାନେ ନିୟମିତ ଭାବେ କଲେଜ ଆସୁନାହାନ୍ତି ।

ଏଥି ସହିତ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ ପାଇଁ ମଧ୍ୟ ନିୟମିତ ଅଧ୍ୟାପକ ଜଣଙ୍କ ବ୍ୟସ୍ତ ରହୁଥିବାରୁ ମାତ୍ର ଜଣେ ଅଧ୍ୟାପକରେ ରାଜଧାନୀ କଲେଜରେ ଯୁକ୍ତ ତିନି ଏଜୁକେଶନ ଶ୍ରେଣୀରେ ପାଠପଢା ଚାଲିଛି । କେବଳ ଏହି ଗୋଟିଏ ବିଷୟ ନୁହେଁ, ଅଧିକାଂଶ ପାଠ୍ୟକ୍ରମରେ ଏହି ପୁରାତନ ସରକାରୀ କଲେଜରେ ଅଧ୍ୟାପକ ମରୁଡି ସ୍ଥିତି । ଯୁକ୍ତ ଦୁଇ ଠାରୁ ସ୍ନାତ୍ତକୋର ପର୍ଯ୍ୟନ୍ତ ପାଠ ପଢାଯାଉଥିବା ଏହି ସରକାରୀ କଲେଜରେ ନିୟମିତ ଅଧ୍ୟାପକ ନିଯୁକ୍ତି ହେଉନଥିବାରୁ ପାଠପଢା ଗୁରୁତର ପ୍ରଭାବିତ ହେଉଛି ।

Leave A Reply

Your email address will not be published.