ଭୁବନେଶ୍ୱର : ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଓଡିଶାରେ ବିଜେଡି ଓ ବିଜେପି କାହା ସହ ମେଣ୍ଟ ନକରି ପରସ୍ପର ବିରୁଦ୍ଧରେ ଲଢିବାପାଇଁ ଯାଉଥିବାବେଳେ ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରୁ ଜନ୍ମ ନେଇଥିବା ଇନ୍ଡିଆ ମେଣ୍ଟର ସହଯୋଗୀ ଦଳମାନଙ୍କ ମଧ୍ୟରେ କିନ୍ତୁ ଆସନ ବୁଝାମଣା ହେବ । ତେବେ ଏ ସଂକ୍ରାନ୍ତରେ ଚୂଡାନ୍ତ ବୁଝାମଣା ହୋଇନଥିଲେ ମଧ୍ୟ ସହଯୋଗୀ ଦଳମାନେ ଅଧିକରୁ ଅଧିକ ଆସନରେ ଲଢିବାକୁ ଆଗ୍ରହୀ ଥିବାବେଳେ କଂଗ୍ରେସ କାହାକୁ କେଉଁ ଆସନ ଛାଡିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।
ବିଜେଡି ପୂର୍ବରୁ ବିଜେପି ସହ ମେଣ୍ଟରେ ୨୦୦୮ ପର୍ଯ୍ୟନ୍ତ ଥିଲା । ଏହି ମେଣ୍ଟ ଭାଙ୍ଗିବା ପରଠାରୁ ଉଭୟ ବିଜପି ଓ ବିଜେଡି ଏକା ଏକା ନିର୍ବାଚନ ଲଢୁଛନ୍ତି । ତେବେ ଗୋଟିଏ ସମୟରେ ବିଜେଡି ବାମପନ୍ଥୀଙ୍କୁ କିଛି ଆସନ ଛାଡୁଥିବାବେଳେ ଏବେ ବାମପନ୍ଥୀମାନେ ଇନ୍ଡିଆ ମେଣ୍ଟରେ ରହିଥିବାରୁ ସେମାନଙ୍କ ସହ ବିଜେଡିର ଆସନ ବୁଝାମଣା ହେବନାହିଁ ।
ସେହିଭଳି ବିଜେପି ନେତୃତ୍ୱାଧିନ ଏନ୍ଡିଏରେ ଯେଉଁ ଆଞ୍ଚଳିକ ଦଳମାନେ ରହିଛନ୍ତି ସେମାନଙ୍କ ମଧ୍ୟରୁ କାହାର ଉପସ୍ଥିତି ଓଡିଶାରେ ପ୍ରାୟତଃ ନାହିଁ । ଏ ପରିପ୍ରେକ୍ଷୀରେ ବିଜେପି ମଧ୍ୟ ଏକା ଏକା ଓଡିଶାରେ ନିର୍ବାଚନ ଲଢିବ । ମୋଟାମୋଟି ଭାବେ ବିଜେଡି ଓ ବିଜେପି ପୃଥକ ପୃଥକ ଭାବେ ୨୧ଟି ଯାକ ଲୋକସଭା ଓ ୧୪୭ଟି ଯାକ ବିଧାନସଭା ଆସନରୁ ପ୍ରାର୍ଥୀ ଛିଡା କରାଇବେ ଏବଂ ସେଥିପାଇଁ ଉଭୟ ଦଳର ପ୍ରାର୍ଥୀ ଚୟନ ଲାଗି ପ୍ରାରମ୍ଭିକ ପ୍ରକ୍ରିୟା ଚାଲିଛି ।
ଓଡିଶାରେ କଂଗ୍ରେସ ନେତୃତ୍ୱାଧିନ ଇନ୍ଡିଆ ମେଣ୍ଟରେ ଆପ୍, ସିପିଆଇ, ଜେଏମଏମ୍, ସିପିଏମ୍, ରାଷ୍ଟ୍ରୀୟ ଜନତାଦଳ, ତୃଣମୂଳ, ଜେଡିୟୁ ଆଦି ଦଳମାନେ ରହିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଅଂଶୀଦାର ଦଳ ଅନ୍ୟୁନ ୭ଟି ଲୋକସଭା ଆସନ ଉପରେ ନଜର ରଖିଥିବାବେଳେ ୧୪୭ଟି ବିଧାନସଭା ଆସନରୁ ବି ଏହି ସହଯୋଗୀମାନଙ୍କ ନଜର ପ୍ରାୟ ୪୦ଟି ଆସନରେ ଥିବା ବିଭିନ୍ନ ଦଳର ନେତାମାନଙ୍କ ଠାରୁ ଶୁଣିବାକୁ ମିଳୁଛି ।
କଂଗ୍ରେସ ବିଧାନସଭାରେ ତାହାର ସ୍ଥିତି ୯ ରୁ ୯୦କୁ ବଢାଇବ ବୋଲି ଯେଉଁ ଆଶା ରଖିଛି ତାହା ମେଣ୍ଟ ରାଜନୀତି ଦ୍ୱାରା ସଫଳ ହେବ ବୋଲି କଂଗ୍ରେସ ନେତାମାନେ ଆଶା କରୁଥିବାବେଳେ କିନ୍ତୁ ବାସ୍ତବରେ ସହଯୋଗୀ ଦଳମାନଙ୍କୁ କେତେ ଆସନ ଦେବେ କି ନଦେବେ ତାହା ଏଆଇସିସି ଉପରେ ନିର୍ଭର କରୁଛି ।
ସେହିଭଳି କୌଣସି ମେଣ୍ଟର ଅର୍ନ୍ତଭୁକ୍ତ ନଥିବା ବହୁଜନ ସମାଜ ପାର୍ଟି, ଏସୟୁସିଆଇ, ସିପିଆଇ (ଏମଏଲ୍) ଆଦି ଦଳ ମଧ୍ୟ କେତେକ ସ୍ଥାନରେ ପ୍ରାର୍ଥୀ ଦେବେ । ଏହାଛଡା ଆରପିଆଇ, ପ୍ରାଉଟିଷ୍ଟ, କଳିଙ୍ଗସେନା, ସମୃଦ୍ଧଓଡିଶା ଆଦି ଦଳ ପକ୍ଷରୁ ବି କେତେକ ସ୍ଥାନରେ ପ୍ରାର୍ଥୀ ଦିଆଯାଇ ପାରେ । ତେବେ ନିର୍ବାଚନ ଘୋଷଣା ପରେ ଏ ସଂକ୍ରାନ୍ତରେ ସ୍ପଷ୍ଟ ହେବ ।