ଭୁବନେଶ୍ୱର : ଓଡିଶାର ୭୧ଟି ଡାକଘରେ ଇଣ୍ଟରନେଟ୍ ସଂଯୋଗ ନାହିଁ । ଏଥି ମଧ୍ୟରୁ ସର୍ବାଧିକ ରହିଛି କୋରାପୁଟ ଜିଲ୍ଲାରେ ।
ବିଜେଡି ସାଂସଦ ସୁଜିତ କୁମାରଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂ ଚୌହାନ । କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶାରେ ମୋଟ୍ ୮୪୯୧ଟି ଡାକଘର ଥିବାବେଳେ ଏଥିରୁ ୭୧ଟି ଶାଖା ଡାକଘରେ ଆଦୌ ନେଟୱାର୍କ କିମ୍ବା ଇଣ୍ଟରନେଟ୍ ସୁବିଧା ନାହିଁ । ଏଥି ମଧ୍ୟରୁ କୋରାପୁଟ ଜିଲ୍ଲାରେ ସର୍ବାଧିକ ୫୩ଟି ଡାକଘର ଥିବାବେଳେ ନୟାଗଡରେ ୫ଟି, ରାୟଗଡାରେ ୭ଟି, ରାଉରକେଲାରେ ୫ଟି ଓ ସୁନ୍ଦରଗଡରେ ଗୋଟିଏ ଶାଖା ଡାକଘରେ ଇଣ୍ଟରନେଟ୍ ସୁବିଧା ନାହିଁ ।
ତେବେ ମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ଯେଉଁସବୁ ଗ୍ରାମରେ ଇଣ୍ଟରନେଟ୍ ସୁବିଧା ନାହିଁ ସେଠାରେ ୧୬୨୯ଟି ମୋବାଇଲ୍ ଟାୱାର ସ୍ଥାପନ ପାଇଁ ଯୋଜନା ରହିଛି ଯାହାଦ୍ୱାରା ୨୮୧୪ଟି ଗ୍ରାମରେ ମୋବାଇଲ୍ ନେଟୱାର୍କ ପହଞ୍ଚିପାରିବ । ସେହିଭଳି ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଇଲାକାରେ ୪ଜି ସେବା ଯୋଗାଣ ପାଇଁ ଓଡିଶାର ୯ଟି ଜିଲ୍ଲାରେ ୪୮୩ଟି ଟାୱାର ସ୍ଥାପନ ହେବ । ରାଜ୍ୟର ୧୦ ଜିଲ୍ଲାର ୩୯୩୩ଟି ଗ୍ରାମରେ ୪ଜି ସେବା ଯୋଗାଣ ପାଇଁ ୨୩୭୯ଟି ମୋବାଇଲ ଟାୱାର ସ୍ଥାପନ କରାଯିବ ।
ମନ୍ତ୍ରୀ କହିଛନ୍ତି ଯେ ନୂଆ ଡାକଘର ଖୋଲିବା ଏକ ନିୟମିତ ପ୍ରକ୍ରିୟା । ଆବଶ୍ୟକ ଥିବା ସ୍ଥାନରେ ବିଭିନ୍ନ ଦିଗକୁ ବିଚାରକୁ ନେଇ ଡାକଘର ଖୋଲିଥାଏ । ସେହିଭଳି ଡାକଘରଗୁଡିକରେ ପାସ୍ପୋର୍ଟ ସେବା ଯୋଗାଣ ପାଇଁ ଡାକ ବିଭାଗ ଓ ବୈଦେଶିକ ବ୍ୟାପାର ବିଭାଗ ମଧ୍ୟରେ ବୁଝାମଣା ହୋଇଛି । ତଦନୁଯାୟୀ ଦେଶର ୪୯୧ଟି ଡାକଘରେ ଲୋକଙ୍କୁ ପାସ୍ପୋର୍ଟ ସେବା ମିଳିବ । ତେବେ ଯେଉଁସବୁ ଲୋକସଭା ନିର୍ବାଚନମଣ୍ଡଳୀରେ ପାସ୍ପୋର୍ଟ ସେବା କେନ୍ଦ୍ର (ପିଏସ୍କେ) ନାହିଁ ସେଠାରେ ପୋଷ୍ଟ ଅଫିସ୍ ପାସ୍ପୋର୍ଟ ସେବା କେନ୍ଦ୍ର (ପିଓପିଏସ୍କେ) ପ୍ରତିଷ୍ଠା କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ୍ ୪୩୦ଟି ପିଓପିଏସ୍କେ କାର୍ଯ୍ୟ କରୁଛି ।
ଓଡିଶାରେ ୨୦ଟି ପିଓପିଏସ୍କେ କାର୍ଯ୍ୟ କରୁଥିବାବେଳେ ସର୍ବାଧିକ ୪୮ଟି ପିଓପିଏସ୍କେ ଉତ୍ତରପ୍ରଦେଶରେ ରହିଛି । ପଶ୍ଚିମବଙ୍ଗରେ ୪୦ଟି, ବିହାରରେ ୩୫ଟି, ତାମିଲନାଡୁରେ ୨୯ଟି, ରାଜସ୍ଥାନରେ ୨୪ଟି, ଗୁଜୁରାଟ ଓ କର୍ଣ୍ଟାଟକରେ ୨୩ଟି କରି ଥିବାବେଳେ ପଡୋଶୀ ଆନ୍ଧ୍ରପ୍ରଦେଶରେ ୨୦ଟି, ଛତିଶଗଡରେ ୭ଟି, ଝାଡଖଣ୍ଡରେ ୧୪ଟି ରହିଛି ।