ରାଜଧାନୀରେ ଚାଲିଛି ସ୍ୱଚ୍ଛ ସର୍ବେକ୍ଷଣ

ଭୁବନେଶ୍ୱର : ରାଜଧାନୀରେ ଏବେ ଚାଲିଛି ସ୍ୱଚ୍ଛ ସର୍ବେକ୍ଷଣ । ନିଜ ନିଜ ଅଞ୍ଚଳ କେତେ ସ୍ୱଚ୍ଛ ସେ ନେଇ ନାଗରିକମାନେ ମତ ରଖିବେ । ଏଥିପାଇଁ ବିଏମ୍‍ସିର ସ୍ୱଚ୍ଛ ଆପ୍‍ ରହିଛି । ହେଲେ ଅନେକ ସ୍ଥାନରେ ଏବେ ନାଗରିକଙ୍କ ବଦଳରେ ସ୍ୱଚ୍ଛ ସାଥିମାନେ ଘରକୁ ଘର ବୁଲି ଲୋକଙ୍କ ଠାରୁ ଓଟିପି ନେଇ ସ୍ୱଚ୍ଛତା ମତ ରଖୁଛନ୍ତି ।

ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ ସ୍ୱଚ୍ଛ ସାଥିମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି । କେଉଁଠି ଅଳିଆ ଉଠାଇବାପାଇଁ ଅଧିକ ଗାଡି ଚାଲିବ ବୋଲି କହୁଛନ୍ତି ତ ଆଉ କେଉଁଠି ଅଧିକ ଲୋକ ନିଯୁକ୍ତି ହେବେ ବୋଲି ଉଲ୍ଲେଖ କରୁଛନ୍ତି । ଏ ସଂକ୍ରାନ୍ତରେ ଲୋକଙ୍କୁ ବୁଝାଇବା ସହିତ ସେମାନଙ୍କ ଘର ଠିକଣା ଓ ମୋବାଇଲ୍‍ ନମ୍ବର ସଂଗ୍ରହ କରୁଛନ୍ତି । ଏହାପରେ ସେମାନେ ନିଜ ସହିତ ଆଣିଥିବା ରେଜିଷ୍ଟ୍ରରରେ ଦସ୍ତଖତ କରାଉଛନ୍ତି । ପରେ ହିତାଧିକାରୀଙ୍କ ମୋବାଇଲ୍‍ ନମ୍ବରକୁ ସ୍ୱଚ୍ଛ ଆପ୍‍ରେ ବ୍ୟବହାର କରି ସ୍ୱଚ୍ଛତା ସର୍ଭେ କରୁଛନ୍ତି ।

ଲୋକେ ନିଜ ମୋବାଇଲ୍‍ ନମ୍ବରଟି ଦେବାପରେ ସ୍ୱଚ୍ଛ ସାଥିମାନେ ତାହାକୁ ସ୍ୱଚ୍ଛ ଆପ୍‍ରେ ପକାଇବା ସହିତ ହିତାଧିକାରୀଙ୍କ ମୋବାଇଲ୍‍କୁ ଯାଉଥିବା ଓଟିପିଟି ମାଗୁଛନ୍ତି । ଏମାନେ ବିଏମ୍‍ସି ବିଏମ୍‍ସିର ସ୍ୱଚ୍ଛ ସାଥି ହୋଇଥିବାରୁ ଲୋକେ ବିନା ଭୟରେ ଓଟିପି ଦେବାପରେ ସେମାନେ ନିଜ ଇଚ୍ଛାରେ ସ୍ୱଚ୍ଛତା ନମ୍ବର ଦେଉଛନ୍ତି । ଫଳରେ ସାଧାରଣ ଲୋକଙ୍କ ବଦଳରେ ବିଏମ୍‍ସିର ସ୍ୱଚ୍ଛ ସାଥିମାନେ ସ୍ୱଚ୍ଛତା ନମ୍ବର ଦେଉଥିବାରୁ ସେମାନେ ଅଧିକାଂଶ ଅଞ୍ଚଳକୁ ଏକ ନମ୍ବର ଦର୍ଶାଉଥିବା ଅନୁମାନ କରାଯାଉଛି ।

ତେବେ ଲୋକେ ଯେତେବେଳେ ବିଜ୍ଞାପନ ଦେଖି ନିଜେ ସ୍ୱଚ୍ଛ ସର୍ଭେରେ ଭାଗ ନେବାକୁ ସ୍ୱଚ୍ଛ ଆପରେ ମୋବାଇଲ୍‍ ନମ୍ବର ଦେଉଛନ୍ତି ସେତେବେଳେ ଆଉ ସର୍ଭେରେ ଭାଗ ନେଇପାରୁ ନାହାନ୍ତି । ସେମାନଙ୍କ ମୋବାଇଲ୍‍ ନମ୍ବରରେ ପୂର୍ବରୁ ସ୍ୱଚ୍ଛ ସର୍ଭେ ସରିଯାଇଥିବା ଆପ୍‍ ସ୍ପଷ୍ଟ ଭାବେ ଦର୍ଶାଉଛି । ତେଣୁ ସାଧାରଣ ଲୋକଙ୍କ ବଦଳରେ ବିଏମସି ପକ୍ଷରୁ ନିୟୋଜିତ ସ୍ୱଚ୍ଛ ସାଥିଙ୍କ ସ୍ୱଚ୍ଛ ସର୍ବେକ୍ଷଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.