ଭୁବନେଶ୍ୱର : ରାଜ୍ୟରେ ‘ସିଏସପି ପ୍ଲସ’ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଖୋଲିବାପାଇଁ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ୍ ଆଗେଇ ଆସିଥିବାବେଳେ ଭାରତୀୟ ଷ୍ଟେଟବ୍ୟାଙ୍କ୍ ସର୍ବାଧିକ ଆଉଟଲେଟ୍ ପ୍ରତିଷ୍ଠା କରିବ । ମୋଟ୍ ୪୩୭୩ ଆଉଟଲେଟ୍ ମଧ୍ୟରୁ ଷ୍ଟେଟ୍ବ୍ୟାଙ୍କ୍ ୧୪୮୭ଟି ପ୍ରତିଷ୍ଠା କରିବାକୁ ଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୬୩ଟି ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ଖୋଲିବ ।
ସିଏସ୍ସି ପ୍ଲସ୍ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଖୋଲିବା ପ୍ରସ୍ତାବକୁ ବ୍ୟାବିନେଟ୍ ମଞ୍ଜୁରୀ ମିଳିବାପରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ୍ ଯଥା ଭାରତୀୟ ଷ୍ଟେଟବ୍ୟାଙ୍କ୍ (ଏସ୍ବିଆଇ), ପଞ୍ଜାବ ନେସନାଲ୍ ବ୍ୟାଙ୍କ୍ (ପିଏନବି), ୟୁକୋବ୍ୟାଙ୍କ୍, ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ବରୋଦା ଏବଂ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଥିପାଇଁ ତାଲିକାଭୁକ୍ତ ହୋଇଛନ୍ତି ।
ରାଜ୍ୟର ମୋଟ୍ ୬୭୯୮ ପଞ୍ଚାୟତ ମଧ୍ୟରୁ ୬୫% ଅର୍ଥାତ୍ ୪୩୭୩ ପଞ୍ଚାୟତରେ ବ୍ୟାଙ୍କ୍ ଶାଖା ନାହିଁ । ବର୍ତ୍ତମାନ ଆର୍ଥିକ କାରବାର ପାଇଁ ବ୍ୟାଙ୍କ୍ ଶାଖା ଜରୁରୀ ହୋଇପଡିଥିବାବେଳେ ସମସ୍ତ ପଞ୍ଚାୟତରେ ବ୍ୟାଙ୍କ୍ ଶାଖା ଖୋଲିବା ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଏସ୍ବିଆଇ ରାଜ୍ୟରେ ୧୪୮୭ ଆଉଟ୍ଲେଟ୍ ଖୋଲିବାକୁ ଥିବାବେଳେ ପିଏନବି, ୭୭୭, ୟୁବିଆଇ ୬୭୫, ୟୁକୋ ୬୬୦, ବିଓଆଇ ୫୨୫ ଏବଂ ବିଓବି ୨୩୪ଟି ଆଉଟଲେଟ ଖୋଲିବ । ତେବେ ଅବଶିଷ୍ଟ ଆଉଟଲେଟ ଖୋଲିବାପାଇଁ ନିଷ୍ପତ୍ତି ଚୂଡାନ୍ତ ହେବ ।
ଜିଲ୍ଲାଗୁଡିକରେ ଖୋଲିବାକୁ ଥିବା ଆଉଟଲେଟ୍ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୩୬୨, ମୟୁରଭଞ୍ଜରେ ୨୮୮, କଟକରେ ୨୪୦, ବାଲେଶ୍ୱରରେ ୨୨୪, ସୁନ୍ଦରଗଡରେ ୨୦୯, ଯାଜପୁରରେ ୨୦୭, ବରଗଡରେ ୧୮୫, କୋରାପୁଟରେ ୧୮୩, ନବରଙ୍ଗପୁରରେ ୧୬୦, ଅନୁଗୁଳରେ ୧୫୮, କେନ୍ଦୁଝରରେ ୧୫୫, ଢେଙ୍କାନାଳରେ ୧୪୭, କନ୍ଧମାଳରେ ୧୪୬, ପୁରୀରେ ୧୪୫, ରାୟଗଡା ଓ ନୟାଗଡରେ ୧୩୭ଟି କରି, ବଲାଙ୍ଗିରରେ ୧୨୯, କଳାହାଣ୍ଡିରେ ୧୨୩, କେନ୍ଦ୍ରାପଡାରେ ୧୨୧, ଭଦ୍ରକରେ ୧୧୪, ଜଗତ୍ସିଂହପୁରରେ ୧୦୧, ଗଜପତିରେ ୧୦୦, ସମ୍ବଲପୁରରେ ୯୬, ନୂଆପଡାରେ ୯୫, ମାଲକାନଗିରିରେ ୯୦, ସୁବର୍ଣ୍ଣପୁର ଓ ଖୋରଧାରେ ୮୨ଟି କରି, ଝାରସୁଗୁଡାରେ ୫୫, ଦେବଗଡରେ ୫୩ ଓ ବୌଦରେ ୪୯ଟି ରହିଛି ।
ରାଜ୍ୟ ସରକାର ଆର୍ଥିକ ଅର୍ନ୍ତଭୁକ୍ତକୁ ଅଗ୍ରାଧିକାର ଦେଉଥିବାବେଳେ ବ୍ୟାଙ୍କ୍ ଶାଖା ଅଭାବରୁ ଏ କ୍ଷେତ୍ରରେ ସମସ୍ୟା ଉପୁଜୁଛି । ତେବେ ଚଳିତ ଆର୍ଥିକବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ରାଜ୍ୟର ୪୩୭୩ଟି ବ୍ୟାଙ୍କ୍ଶାଖା ନଥିବା ପଞ୍ଚାୟତରେ ସିଏସ୍ପି ପ୍ଲସ ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ ପ୍ରତିଷ୍ଠା କରାଯିବ । ଏଥିପାଇଁ ରାଜ୍ୟ ସରକାର ୫ବର୍ଷ ପାଇଁ ମାଗଣାରେ ସ୍ଥାନ ଯୋଗାଇଦେବା ସହିତ ଏକକାଳୀନ ଭାବେ ସ୍ଥାୟୀ ଅର୍ଥ ଯୋଗାଇଦେବେ । ଏଥି ସହିତ ତିନି ବର୍ଷ ପାଇଁ ଚଳନ୍ତି ଖର୍ଚ୍ଚ ବାବଦରେ ଅର୍ଥ ସହାୟତା ଦେବେ । ଜିଲ୍ଲାପାଳମାନେ ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ ପାଇଁ ସ୍ଥାନ ଯୋଗାଇଦେବାକୁ କୁହାଯାଇଛି ଯାହା ଫଳରେ ଏଥିପାଇଁ ତୁରନ୍ତ ପାଣ୍ଠି ଯୋଗାଇ ଦିଆଯିବା । ରାଜ୍ୟ ସରକାର ଆର୍ଥିକ ଅର୍ନ୍ତଭୁକ୍ତିକୁ ଅଗ୍ରାଧିକାର ଦେଉଥିବାବେଳେ ଧାର୍ଯ୍ୟ ସମୟ ମଧ୍ୟରେ ଏହା ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଉଛି ।