ଭଦ୍ରକ,୧୭/୮(ନ.ନ୍ୟୁ.ସ): ଉତ୍କଳ କେଶରୀ ଡ.ମହତାବଙ୍କ ମାଟିରେ ଗଢିଉଠିଥିବା ଭଦ୍ରକ ଜିଲ୍ଲା ଆଗରପଡ଼ା ମହାବିଦ୍ୟାଳୟ ଆଜି ପାଳନ କରିଛି ତାର ୪୩ତମ ପ୍ରତିଷ୍ଠା ଦିବସ । ଏନେଇ ଅପରାହ୍ନରେ ଆୟୋଜିତ ସଚେତନତା ସଭାରେ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ,ଆଗରପଡ଼ା ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସେତେବେଳେ ଯେଉଁ ମାନେ ଜମିଦାନ କରି ଏହି ମହାବିଦ୍ୟାଳୟକୁ ଗଢି ତୋଳିଥିଲେ ସେମାନଙ୍କୁ ଆମେ ମନେ ପକାଇବା ସହ ସେମାନଙ୍କର ସେ ଅବଦାନକୁ କେବେ ଭୁଲିବା ନାହିଁ ବୋଲି କହିଥିଲେ । ସେବେକାର ସେହି ଶିକ୍ଷାନୁଷ୍ଠାନଟି ଆଜି ଜିଲ୍ଲାର ଅନ୍ୟତମ ଶିକ୍ଷାନୁଷ୍ଠାନ ଭାବେ ଉଭା ହୋଇ ଅନେକ ଗୁଣି ଜ୍ଞାନୀ ମଣିଷ ତିଆରି କରି ପାରିଛି । ଆଗକୁ ସମସ୍ତଙ୍କ ସହଯୋଗ ଓ ଅନୁଦାନ ରହିଲେ ଶିକ୍ଷାନୁଷ୍ଠାନଟି ଅନନ୍ୟ ହୋଇପାରିବ । ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ପ୍ରଶାନ୍ତ କୁମାର ଦାଶଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ବ୍ୟକ୍ତା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଗରପଡ଼ାର ଅଧ୍ୟକ୍ଷ କାର୍ତ୍ତିକେଶ୍ୱର ରାଉଳ ଗୁଣାତ୍ମକ ଶିକ୍ଷାଦେଇ ଶାରିରୀକ,ସାମାଜିକ,ସାଂସ୍କୃତି ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କୁ ସର୍ବଗୁଣା ସଂପର୍ଣ୍ଣ କରିପାରିଲେ ଦେଶ ଆଗେଇ ପାରିବ ବୋଲି କହିଥିଲେ । ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ତାଙ୍କ ବକ୍ତବ୍ୟରେ ୧୯୮୦ମସିହା ଆଜିର ଦିନରେ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଯେଉଁ ମାନେ ଜମି,ଅର୍ଥ ଓ ଶ୍ରମ ଦାନ କରି ଏହି ଶିକ୍ଷାନୁଷ୍ଠାନକୁ ଗଢିତୋଳିଥିଲେ ସେମାନଙ୍କ ମଧ୍ୟରେ ଅନେକ ଆଜି ଆମ ଗହଣରେ ନାହାନ୍ତି,ମାତ୍ର ସେମାନେ ଯେଉଁ ଲକ୍ଷ୍ୟ ନେଇ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଆଜି ସମାଜର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏଠାରୁ ତିଆରି ହୋଇଥିବା ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି,ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ,ପ୍ରତିଷ୍ଠାତା ସଦସ୍ୟ ରାମନାରାୟଣ ରାୟ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମୂରଲୀଧର ପଣ୍ଡା,ବରିଷ୍ଠ ନାଗରିକ ରାମଚନ୍ଦ୍ର ନାୟକ,ଯୁବନେତା ସତ୍ୟସାଧନ ବେଜ,ଲୋକନାଥ ମହାନ୍ତି,ମନୋଜ କୁମାର ପ୍ରଧାନ ସକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ସ୍ୱାଗତ ଅଭିଭାଷଣ,ଅଧ୍ୟାପକ ନାରାୟଣ ଚନ୍ଦ୍ର ପୁରୀ ଅତିଥି ପରିଚୟ,ମୁଖ୍ୟ ସହାୟକ ବିଜୟ କୁମାର ଦାସ ବିବରଣୀ ପାଠ ଓ ଶେଷରେ ଡେମନଷ୍ଟେଟର ମହେଶ୍ୱର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ପ୍ରେମଲତା ଦାସ,ପ୍ରଶାନ୍ତ ନାୟକ,ଏଜି ଅଲ୍ଲି,ହରିହର ଦାସଙ୍କ ସମେତ ସମସ୍ତ ସହଯୋଗ କରିଥିଲେ ।