ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ମୋବାଇଲ ସେବାର ବ୍ୟବହାର ଦ୍ରୁତଗତିରେ ବୃଦ୍ଧି ପାଉଛି । ସମସ୍ତେ ଏବେ ଅନ୍ଲାଇନ ସେବା ତୁରନ୍ତ ପାଇବାକୁ ବ୍ୟଗ୍ର । ଡିଜିଟାଲ ସଂଯୋଗ ଦ୍ୱାରା ସାମାଜିକ, ଅର୍ଥନୀତିକ ଓ ପରିବର୍ତ୍ତନକାରୀ ଗତିଶୀଳତା ବଢୁଛି । ତେଣୁ ଟେଲିକମ୍ ସମ୍ବଳର ନିରାପତ୍ତା, ଉପଯୁକ୍ତ ଉପଯୋଗ ଓ ବ୍ୟବହାରର ଗୁରୁତ୍ୱ ବଢିଛି । ତାହାକୁ ଦୃଷ୍ଟିରେ ରଖି ସରକାର ମୋବାଇଲ ବ୍ୟବହାରକାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।
ଭାରତ ସରକାର ଏକ ଡିଜିଟାଲ ଭିତ୍ତିକ ସମାବେଶୀ ସମାଜ ଗଠନ ଉପରେ ଗୁରୁତ୍ୱ ଦେଉଛନ୍ତି । ସେଥି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପ୍ରୟାସରେ ଟେଲିକମ୍ ଗ୍ରାହକମାନଙ୍କୁ ସବୁଠୁ ଉଚ୍ଚମାନର ସୁରକ୍ଷା ଓ ମାନକ ସେବା ଯୋଗାଇ ଦେବାକୁ କେନ୍ଦ୍ର ଯୋଗାଯୋଗ, ରେଳବାଇ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦୁଇଟି ସଂସ୍କାରକୁ କାର୍ଯ୍ୟକାରୀ କରିଛନ୍ତି । ଏଥିରେ ରହିଛି ଡିଜିଟାଲ ଟ୍ରାନ୍ସ ଫରମେସନ ଓ ଗ୍ରାହକ ସୁରକ୍ଷା ବ୍ୟବସ୍ଥା ।
ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ସଂସ୍କାର ସଞ୍ଚାର ସାଥି ଓ ନାଗରିକ କେନ୍ଦ୍ରିକ ପୋର୍ଟାଲର ଧାରାରେ ଆଜିର ଏହି ଦୁଇ ସଂସ୍କାର କାର୍ଯ୍ୟକାରୀ ହେବ । ଏହା ଫଳରେ ଭାରତ ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ଶକ୍ତିଶାଳୀ ଲଢେଇ ଲଢିପାରିବ ।
ପଏଣ୍ଟ ଅଫ୍ ସେଲ (ପିଓଏସ୍) ପଞ୍ଜୀକରଣ ସଂସ୍କାର:-ଏହି ସଂସ୍କାର ମାଧ୍ୟମରେ ପ୍ରାଞ୍ଚାଇଜି, ଏଜେଣ୍ଟ ଓ ବିତରକଙ୍କ ପିଏସ୍ଓ ଲାଇସେନ୍ସର ପଞ୍ଜୀକରଣ ବାଧ୍ୟତାମୂଳକ ହେବ । ଏହା ଫଳରେ ଠକ ପିଏସ୍ଓ ମାନଙ୍କୁ ଠାବ କରି ବ୍ୟବସ୍ଥାକୁ ସହଜରେ ହଟାଇ ଦିଆଯାଇପାରିବ । ଏସବୁ ପିଏସ୍ଓ ଅନୈତିକ ମାର୍ଗ ଅବଲମ୍ବନ କରି ଅପରାଧୀ, ସମାଜ ବିରୋଧୀ, ଦେଶ ବିରୋଧୀ ଓ ଖଳ ତଥା ଦୁଷ୍ଟ ପ୍ରକୃତିର ଲୋକଙ୍କୁ ସିମ୍ ବିକ୍ରି କରୁଥିଲେ ।
ନୂଆ ବ୍ୟବସ୍ଥାରେ ପିଏସ୍ଓ ଲାଇସେନ୍ସ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଛି । ସବୁ ପିଏସ୍ଓର ତନଖି ସରକାର କରିବେ । ଯେଉଁମାନେ ଅନୈତିକ ଉପାୟରେ ପିଏସ୍ଓ ଚଳାଇଥିବେ ସେମାନଙ୍କୁ କଳା ତାଲିକାଭୁକ୍ତ କରାଯିବ । ତେବେ ବିବାଦମୁକ୍ତ ପିଏସ୍ଓଗୁଡିକ ପାଇଁ ବିଶେଷ ଅସୁବିଧା ନ ହେଲେ ମଧ୍ୟ ସେମାନଙ୍କ କାମକୁ ସରକାର ତନଖି କରିବେ । ୧୨ମାସ ମଧ୍ୟରେ ଏବେ କାର୍ଯ୍ୟକ୍ଷମ ସବୁ ପିଏସ୍ଓକୁ ପଞ୍ଜୀକୃତ ହେବାକୁ ପଡିବ । ଏହା ଫଳରେ ଠକ ପିଏସ୍ଓଗୁଡିକୁ ଚିହ୍ନଟ କରିବା ସହଜ ହେବ ଏବଂ ସେମାନେ ପ୍ରକ୍ରିୟାରୁ ବାଦ ପଡିବେ । ତନଖିରେ ଧରାପଡିଲେ ଠକ୍ ପିଏସ୍ଓଗୁଡିକୁ ତିନିବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯିବ ।
କେୱାଇସି ସଂସ୍କାର:- ଏହା ଏକ ବ୍ୟବସ୍ଥା ଯେଉଁଥିରେ ଗ୍ରାହକଙ୍କୁ ଚିହ୍ନଟ କରିବାର ଏକ ୟୁନିକ ମାଧ୍ୟମ ରହିଛି । ଗ୍ରାହକଙ୍କୁ ଟେଲିଫୋନ ସେବା ଦେବା ପୂର୍ବରୁ ତାଙ୍କୁ ଠାବ କରିବାର ବ୍ୟବସ୍ଥା ଏଥିରେ ଉପଲବ୍ଧ । ବର୍ତ୍ତମାନର କେୱାଇସି ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଟେଲିକମ୍ ଗ୍ରାହକଙ୍କ ସୁରକ୍ଷାକୁ ଅତିରିକ୍ତ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହା ଫଳରେ ସେମାନେ ଠକେଇ କିମ୍ବା ବାହ୍ୟ ହସ୍ତକ୍ଷେପ କିମ୍ବା ତଥ୍ୟ ଚୋରି ଆଦିରୁ ସୁରକ୍ଷିତ ହୋଇପାରିବେ । ଟେଲିଫୋନ ସେବାକୁ ଡିଜିଟାଇଜ କରିବା ପୂର୍ବରୁ ଗ୍ରାହକଙ୍କ ମଧ୍ୟରେ ପ୍ରଥମେ ନିରାପତ୍ତା ଭାବନାକୁ ସୁଦୃଢ କରିବାକୁ ସରକାର ଅଗ୍ରାଧିକାର ଭିତ୍ତିରେ କାମ କରୁଛନ୍ତି । ଏହା ଦ୍ୱାରା ଡିଜିଟାଲ ଇକୋସିଷ୍ଟମ (ପରିତନ୍ତ୍ର) ସୁଦୃଢ ହେବ ।
ଛାପା ଆଧାର କାର୍ଡର ଦୁରୁପଯୋଗ ବନ୍ଦ କରିବାକୁ କାର୍ଡର କ୍ୟୁ.ଆର କୋଡ୍କୁ ସ୍କାନିଂ କରି ନାଗରିକଙ୍କ ସବିଶେଷ ବିବରଣୀକୁ ବାଧ୍ୟତାମୂଳକ ଭାବେ ସଂଗ୍ରହ କରାଯିବ । କୌଣସି ଏକ ମୋବାଇଲ ନମ୍ବର ଡିସ୍କନେକ୍ଟ ଥିଲେ ୯୦ ଦିନ ଯାଏ ଅନ୍ୟ କୌଣସି ଗ୍ରାହକଙ୍କୁ ଏହି ନମ୍ବର ଦିଆଯାଇପାରିବ ନାହିଁ । ନିଜର ସିମ୍ ବଦଳାଇବାକୁ ଗ୍ରାହକଙ୍କୁ ପୂର୍ଣ୍ଣାଙ୍ଗ କେୱାଇସି ନିୟମ ପାଳନ କରିବାକୁ ପଡିବ । ଏଥି ପାଇଁ ୨୪ଘଣ୍ଟା ପର୍ଯ୍ୟନ୍ତ ଆଉଟଗୋଇଂ ଓ ଇନ୍କମିଙ୍ଗ ଏସ୍ଏମ୍ଏସ୍ ସୁବିଧା ମିଳିବ ନାହିଁ ।
ଏଥି ସହିତ ପ୍ରମାଣନ ବା ଆଥେଣ୍ଟିକେସନ ପାଇଁ ଆଧାର ସହିତ ବୁଢା ଆଙ୍ଗୁଳି ଛାପ, ଆଇରିସ୍ ବେସ୍ଡ୍ ଅଥେଣ୍ଟିକେସନ ଓ ଫେସିଆଲ ବାୟୋମେଟ୍ରିକ ଛାପ ସଂଗ୍ରହ କରାଯିବ । ଏହା ଏକ ଅତିରିକ୍ତ ନିରାପତ୍ତା ବ୍ୟବସ୍ଥା ଭଳି କାମ କରିବ ।
ଏହି ଦୁଇ ପ୍ରୟାସ ବା ସଂସ୍କାରର ଲକ୍ଷ୍ୟ ହେଲା ମୋବାଇଲ ଟେଲିକମ୍ ସେବାକୁ ଡିଜିଟାଇଜ୍ କରିବା ପୂର୍ବରୁ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ ଏବଂ ସୁଦୃଢ କରିବା । ଏହା ଦ୍ୱାରା ସାଇବର ଅପରାଧ, ଆର୍ଥିକ ଅପରାଧ ଓ ଅନ୍ୟାନ୍ୟ ସମାଜ ବିରୋଧୀ କାମକୁ ସହଜରେ ରୋକି ହେବ । ଏହା ଫଳରେ ଉଭୟ ଜନତା, ଦେଶର ଅର୍ଥବ୍ୟବସ୍ଥା ଓ ଡିଜିଟାଲ ପରିତନ୍ତ୍ର ଉପକୃତ ହେବ ।