ଭୁବନେଶ୍ୱର : ହୋମ୍ଗାର୍ଡ (ଗୃହରକ୍ଷୀ)ମାନେ ଓଡିଶା ପୁଲିସ୍ର ଅବିଚ୍ଛେଦ୍ୟ ଅଙ୍ଗ ଭଳି କାମ କରୁଥିବାବେଳେ ଏମାନଙ୍କୁ ସରକାରୀ ଚାକିରିଆ ଭାବେ ଘୋଷଣା ନକରି ସରକାରୀ ନଥିପତ୍ରରେ ସ୍ୱେଚ୍ଛାସେବକ ଭାବେ ଦର୍ଶାଯାଉଛି ।
ସରକାରୀ ତଥ୍ୟ ମୁତାବକ ଓଡିଶାରେ ୧୭,୬୭୫ଟି ମଞ୍ଜୁରୀପ୍ରାପ୍ତ ଗୃହରକ୍ଷୀ ସ୍ୱେଚ୍ଛାସେବୀ ପଦବୀ ରହିଛି । ସାଧାରଣତଃ ଗୃହରକ୍ଷୀମାନଙ୍କୁ ଥାନା, ଫାଣ୍ଡି ଅଞ୍ଚଳରେ ଆଇନ୍ଶୃଙ୍ଖଳା ରକ୍ଷା, ଲୋକଙ୍କ ଧନଜୀବନର ସୁରକ୍ଷା, ସରକାରୀ ସମ୍ପତ୍ତିର ସୁରକ୍ଷା, ଭିଭିଆଇପିମାନଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଉପକୂଳ ସୁରକ୍ଷା ଆଦି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ । ଏମିତିକି ଚୋରା ନିଶା ସାମଗ୍ରୀ ଜବତ କରିବା କ୍ଷେତ୍ରରେ ଓଡିଶାର ଗୃହରକ୍ଷୀମାନେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇ ଆସୁଛନ୍ତି ।
୧୯୬୧ ମସିହାରେ ରାଜ୍ୟ ସରକାର ଓଡିଶା ହୋମ୍ଗାର୍ଡ ଆଇନ୍ ପ୍ରଣୟନ କରି ଗୃହରକ୍ଷୀମାନଙ୍କୁ ନିୟୋଜିତ କରିଆସୁଛନ୍ତି । ସେବେଠାରୁ ଏବେ ପର୍ଯ୍ୟନ୍ତ ପ୍ରାୟ ୬୨ବର୍ଷ ଧରି ଗୃହରକ୍ଷୀମାନଙ୍କୁ କାଗଜପତ୍ରରେ ସ୍ୱେଚ୍ଛାସେବୀ ଦର୍ଶାଇ ବାସ୍ତବରେ କିନ୍ତୁ ପୁଲିସ୍ର ବିଭିନ୍ନ କାମରେ ନିୟୋଜନ କରାଯାଉଛି । ପୁଲିସ୍ ଭଳି ଏମାନଙ୍କୁ ବି ପୋଷାକ ପିନ୍ଧି କାର୍ଯ୍ୟ ସମ୍ପାଦନ କରିବାକୁ ପଡିଥାଏ । ତେବେ ପୁଲିସ୍ କନେଷ୍ଟବଳ ଚାକିରିରେ ହୋମଗାର୍ଡଙ୍କ ପାଇଁ କିଛି ସ୍ଥାନ ସଂରକ୍ଷିତ ରହୁଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନୁହେଁ ।
ଗୃହରକ୍ଷୀମାନେ କହୁଛନ୍ତି ଯେ ପୁଲିସ୍ କନେଷ୍ଟବଳଙ୍କ ଭଳି ଏମାନେ ସମସ୍ତ କାମ କରୁଥିଲେ ମଧ୍ୟ ଏମାନଙ୍କୁ ସମାନ କାମକୁ ସମାନ ବେତନ ଦିଆଯାଉନାହିଁ । ଖୁବ୍ କମ୍ ପାରିଶ୍ରମିକ ପାଉଥିବା ଗୃହରକ୍ଷୀମାନେ ଦୀର୍ଘବର୍ଷ ଧରି ଲଢେଇ ଜାରି ରଖି ଶେଷରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏବେ ଦୈନିକ ୫୩୩ ଟଙ୍କା ହାରରେ ପାରିଶ୍ରମିକ ପାଉଛନ୍ତି । ଏମାନଙ୍କୁ ଏକ ପ୍ରକାର ଠିକାରେ ନିଯୁକ୍ତି ଦେଇ କାର୍ଯ୍ୟକାଳ ୬୦ବର୍ଷ ବୟସ ପର୍ଯ୍ୟନ୍ତ ବଢାଯାଉଛି । ଅଥଚ ଅବସର ପରେ ପୁଲିସ୍ କନେଷ୍ଟବଳଙ୍କ ଭଳି ଏମାନଙ୍କ ଲାଗି ନିୟମିତ ପେନ୍ସନର ବ୍ୟବସ୍ଥା ନାହିଁ । ପ୍ରୋଭିଡେଣ୍ଟ ଫଣ୍ଡ୍ ପେନ୍ସନ ଆକାରରେ ଯେତିକି ଅର୍ଥ ମିଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି ।
ହୋମ୍ଗାର୍ଡମାନଙ୍କ ସହ କାର୍ଯ୍ୟ କରୁଥିବା ପୁଲିସ୍ କନେଷ୍ଟବଳମାନେ ପଦୋନ୍ନତି ପାଇ ସବଇନ୍ସପେକ୍ଟର ଓ ତଦୁର୍ଦ୍ଧ ପାହ୍ୟାକୁ ଯାଇପାରୁଥିବାବେଳେ ଏମାନେ କିନ୍ତୁ ହୋମ୍ଗାର୍ଡ ଭାବେ ଅବସରଗ୍ରହଣ କରୁଛନ୍ତି । ସରକାରୀ ତଥ୍ୟ ମୁତାବକ ହୋମ୍ଗାର୍ଡମାନେ ସମୁଦ୍ରରେ ବୁଡି ଯାଉଥିବା ଶହ ଶହ ଲୋକଙ୍କୁ ଉଦ୍ଧାର କରିଛନ୍ତି । କୋଭିଡ ମହାମାରୀ ସମୟରେ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ଥାଇ ଅନ୍ୟୁନ ୯ଜଣ ହୋମଗାର୍ଡ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଏହାଛଡା କେବଳ ଗତ ଦୁଇବର୍ଷରେ ପାଖପାଖି ଶହେ ଜଣ ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଛି । ଏମିତିକି ଉଲ୍ଲେଖନୀୟ ସେବା ପାଇଁ ପ୍ରତିବର୍ଷ ଆମ ରାଜ୍ୟର ଅନେକ ଗୃହରକ୍ଷୀ ମଧ୍ୟ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ସମ୍ବର୍ଦ୍ଧିତ ହେଉଛନ୍ତି ।