ପ୍ରାଣୀ ଓ ପଶୁ ସମ୍ପଦ ବିଭାଗର ଖାମଖିଆଲି ନୀତି

କଟକ, ୨୫/୮ ବୁଲା ପଶୁ ବା ଗାଈଗୋରୁଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ନିମନ୍ତେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ପ୍ରାଣୀ ଓ ପଶୁ ସମ୍ପଦ ବିଭାଗ ଦ୍ୱାରା ପଶୁପକ୍ଷୀଙ୍କ ସୁରକ୍ଷା ତଥା ରୋଗାକ୍ରାନ୍ତ ପଶୁଙ୍କ ଉତ୍ତମ ଚିକିତ୍ସା ପାଇଁ ବହୁ ଡାକ୍ତରଖାନା ମଧ୍ୟ ରହିଛି । ପଶୁମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଲାଗି ଆମ୍ବୁଲାନ୍ସ ବ୍ୟବସ୍ଥା ବି ରହିଛି । ହେଲେ ଏତେସବୁ ବ୍ୟବସ୍ଥା ଥାଇ ମଧ୍ୟ ବିଭାଗୀୟ ଅବହେଳା ଯୋହୁଁ ପଶୁମାନଙ୍କର ଅସମୟରେ ମୃତ୍ୟୁ ଘଟୁଥିବା ଅଭିଯୋଗ ଉଠିଛି ।
ଆଜି ସିଏମସି ୫୭ ନମ୍ବର ୱାର୍ଡ ଅନ୍ତର୍ଗତ ଗୋପାଳପୁର ଶ୍ରୀକୋରୁଆଁଠାରେ ଏକ ବାଛୁରୀ ତାସ୍ତା ଉପରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିଲା । ସ୍ଥାନୀୟ ଅଧିବାସୀ ଓ ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ତତ୍‌କ୍ଷଣାତ୍ ପ୍ରାଣୀ ଓ ପଶୁ ସମ୍ପଦ ବିଭାଗର ଆମ୍ବୁଲାନ୍ସ ସେବା ନମ୍ବର ୧୯୬୨କୁ ଫୋନ କରିଥିଲେ । ମାତ୍ର ଆମ୍ବୁଲାନ୍ସ ଆସିନଥିଲା । କିଛି ସ୍ଥାନୀୟ ଲୋକ ସିଡିପିଓଙ୍କୁ ମଧ୍ୟ ଫୋନ ଯୋଗେ ଏ ବିଷୟରେ ସୂଚନା ଦେଇଥିଲେ । ସିଡିପିଓ ଆମ୍ବୁଲାନ୍ସ ପଠାଯାଇଛି ବୋଲି କହି ଫୋନ କାଟି ଦେଇଥିଲେ । ତେବେ ୫ ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଂଚିଲା ବେଳକୁ ନିରୀହ ବାଛୁରୀଟି ଯନ୍ତ୍ରଣାରେ ଛଟପଟ ହୋଇ ସର୍ବସମ୍ମୁଖରେ ଆଖିବୁଜି ଦେଇଥିଲା । ଯାହାକି ଉପସ୍ଥିୁତ ଲୋକଙ୍କ ମଧ୍ୟରେ ଦୁଃଖ ଓ ପ୍ରବଳ ଅସନ୍ତୋଷ ସୃଷ୍ଟି କରିଥିଲା । ପଶୁ ସମ୍ପଦ ବିଭାଗର ଖାମଖିଆଲି ପାଇଁ ଏହି ନିରୀହ ପ୍ରାଣୀଟିର ମୃତ୍ୟୁ ଘଟିଲା ବୋଲି ଉପସ୍ଥିତ ଲୋକେ କ୍ଷୋଭର ସହ କହିବା ସହ ଆମ୍ବୁଲାନ୍ସ କର୍ମଚାରୀଙ୍କ ଉପରେ ଖୁବ୍ ବର୍ଷିଥିଲେ । ପଶୁଙ୍କ ପ୍ରତି ଏହିଭଳି ଅବହେଳାକୁ ଆଦୈା ବରଦାସ୍ତ କରାଯିବ ନାହିଁ ବୋଲି ସମାଜସେବୀ ଶୁଭାସିନୀ କୁଣ୍ଡୁ, ଶିବାଶିଷ ନନ୍ଦ, ବିଶ୍ୱଜିତ ରାୟ, ଅନାମ ଚରଣ ସାହୁଙ୍କ ସମେତ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.