କଟକ, ୨୫/୮ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ୨୧ କେଜି ୫୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯିବା ସହିତ ଏହି କାରବାରରେ ସଂପୃକ୍ତ ଦୁଇ ଜଣ ଅସାଧୁ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ସାଲେପୁର ଥାନା ଅନ୍ତର୍ଗତ କୁସାମ୍ବିର ପ୍ରକାଶ କୁମାର ବେହେରା ଓ ମନୋହରପୁରର ଲକ୍ଷ୍ମଣ ନାୟକ । ସେମାନେ ବ୍ୟବହାର କରୁଥିବା ସ୍କୁଟିକୁ ମଧ୍ୟ ଜବତ କରାଯାଇଛି । ପ୍ରକାଶ ଯେ, ଆଠଗଡ ଥାନା ଅନ୍ତର୍ଗତ ପାଟେଣି ଗାଁ ନିକଟରେ ଉକ୍ତ ଦୁଇ ଅଭିଯୁକ୍ତ ସ୍କୁଟିରେ ଏକ ଜରି ବସ୍ତାରେ ଏହି ପରିମାଣର ଗଞ୍ଜେଇ ଧରି ଯାଉଥିବା ଖବର ପାଇ ଅବକାରୀ ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସଂଜିତ ବାର୍ଲାଙ୍କ ନେତୃତ୍ୱରେ ଏକ ଟିମ ତାଙ୍କୁ ଅଟକାଇଥିଲେ । ତଲାସୀ ନେବାରୁ ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ଜବତ ଗଞ୍ଜେଇର ମୂଲ୍ୟ ୨ ଲକ୍ଷ ୧୫ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଚଢଉରେ ଏସଆଇ ଅଜିତ କୁମାର ପାତ୍ର, ଏଏସଆଇ ହେମନ୍ତ କୁମାର ମଲ୍ଲିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।