ପ୍ରଧାନମନ୍ତ୍ରୀ ଇସ୍ରୋକୁ ଭୁରି ଭୁରି ପ୍ରଶଂସା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ (ଆଇଏସଟିଆରଏସି) ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ଗ୍ରୀସରୁ ଭାରତ ଫେରିବା ପରେ ସେ ସେଠାରେ ପହଞ୍ଚି ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଟିମ୍ ଇସ୍ରୋକୁ ସମ୍ବୋଧନ କରିଛନ୍ତି । ଚନ୍ଦ୍ରଯାନ-୩ ଅଭିଯାନରେ ଜଡିତ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କ ସହ ବାର୍ତ୍ତା ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଚନ୍ଦ୍ରଯାନ-୩ ଅଭିଯାନର ଖୋଜ୍ ଓ ଅଗ୍ରଗତି ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା ।

ବୈଜ୍ଞାନିକମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଇସ୍ରୋ (ଆଇଏସଟିଆରଏସି)ରେ ଉପସ୍ଥିତ ରହିଥିବାରୁ ଅତ୍ୟନ୍ତ ଖୁସୀ ପ୍ରକଟ କରିଥିଲେ । ଏଭଳି ଏକ ଅବସର କ୍ୱଚିତ ମିଳିଥାଏ ଓ ଏଥିରେ ପୂରା ଶରୀର ଓ ମନ ଖୁସୀରେ ଉଲ୍ଲସିତ ହୋଇ ଉଠିଛି ବୋଲି କହିଥିଲେ । ପ୍ରତ୍ୟେକଙ୍କ ଜୀବନରେ ଏପରି କ୍ଷଣ ଆସେ, ଯେତେବେଳେ ମନ ଅଧିକରୁ ଅଧିକ ଅଧୈର୍ଯ୍ୟ ହୋଇ ଉଠେ ।

ଏ ପ୍ରକାର ଭାବାବେଗ ତାଙ୍କ ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତ କାଳରେ ମଧ୍ୟ ଥିଲା । ତାଙ୍କ ମନ ସଦାବେଳେ ଚନ୍ଦ୍ରଯାନ-୩କୁ ନେଇ ବ୍ୟସ୍ତ ରହୁଥିଲା । ଅଚାନକ ଆଇଏସଟିଆରଏସି ଗସ୍ତ କାର୍ଯ୍ୟକ୍ରମ ଯୋଗୁ ଇସ୍ରୋର ବୈଜ୍ଞାନିକମାନଙ୍କୁ ହୋଇଥିବା ଅସୁବିଧାକୁ ଲକ୍ଷ୍ୟ କରି ଭାବପ୍ରବଣ ଦିଶୁଥିବା ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧ୍ୟବସାୟ, ଉତ୍ସର୍ଗୀକୃତ ଭାବ, ସାହସ ଓ କର୍ତ୍ତବ୍ୟ ପରାୟଣତା ଓ ଅନୁରାଗ ଯୋଗୁ ସଫଳତା ପାଇଥିବା ବୈଜ୍ଞାନିକମାନଙ୍କୁ ଭେଟି ସେମାନଙ୍କୁ ଅଭିବାଦନ ଜଣାଇବା ପାଇଁ ତାଙ୍କ ମନ ବ୍ୟଗ୍ର ଓ ଅଧୈର୍ଯ୍ୟ ହୋଇ ଉଠିଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ  ଏହି ସଫଳତା ସହଜରେ ମିଳିନାହିଁ । ଏହି ସଫଳତା ଅନନ୍ତ ମହାକାଶରେ ଭାରତର ବୈଜ୍ଞାନିକ ଶକ୍ତିର ବାର୍ତ୍ତାବହ ସ୍ୱରୂପ ଅଟେ । ଖୁସୀରେ ଅଧୀର ପ୍ରଧାନମନ୍ତ୍ରୀ କହି ଉଠିଥିଲେ ଯେ “ଭାରତ ଚନ୍ଦ୍ର ସ୍ପର୍ଶ କରିଛି, ଆମେ ଆମର ଜାତୀୟ ଗୌରବର ସ୍ୱାକ୍ଷର ଚନ୍ଦ୍ରପୃଷ୍ଠରେ ଛାଡ଼ିଛୁ”। ଏହି ଅଭୂତପୂର୍ବ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏହା ହେଉଛି ଆଜିର ଭାରତ, ଯାହା ନିର୍ଭୀକ ଓ ଦୃଢ଼ । ଏହା ଏହିପରି ଭାରତ, ଯାହା ନୂତନ ଓ ଅଭିନବ ଢାଞ୍ଚାରେ ଚିନ୍ତାକରେ, ଯାହା ତିମିରାଛନ୍ନ ଅଞ୍ଚଳକୁ ଯାଇ ବିଶ୍ୱକୁ ଆଲୋକରେ ଉଦ୍ଭାସିତ କରେ । ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱକୁ ସମାଧାନର ସୂତ୍ର ଦେବ ।”

ଦେଶର ଚେତନାରେ ଚନ୍ଦ୍ରପୃଷ୍ଠକୁ ଛୁଇଁବାର କ୍ଷଣ ଅମର ହୋଇ ରହିବ । “ଚନ୍ଦ୍ରକୁ ସ୍ପର୍ଶ କରିବାର ଏହି ମୁହୂର୍ତ୍ତ ହେଉଛି ଚଳିତ ଶତାବ୍ଦୀର ଏକ ପ୍ରେରଣାଦାୟୀ କ୍ଷଣ । ପ୍ରତ୍ୟେକ ଭାରତୀୟ ଆଜି ଏହାକୁ ତା’ର ନିଜସ୍ୱ ବିଜୟ ଭାବେ ବିବେଚନା କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏପରି ଭବ୍ୟ ସଫଳତାର ଶ୍ରେୟ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଦେଇଥିଲେ ।

ମୁନ୍ ଲ୍ୟାଣ୍ଡର ପଠାଇଥିବା ଫଟୋଚିତ୍ରଗୁଡ଼ିକୁ ଅସାଧାରଣ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମର ମୁନ୍ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅଙ୍ଗଦ ଭଳି ପାଦ ଥାପିଛି… ଗୋଟେ ପଟରେ ବିକ୍ରମର ବୀରତା ଓ ଅନ୍ୟପଟରେ ପ୍ରଜ୍ଞାନର ସାହସ” । ଏହି ଚନ୍ଦ୍ରପୃଷ୍ଠରେ ଚିତ୍ରଗୁଡ଼ିକ କେବେ ମିଳି ନ ଥିଲା ଓ ଭାରତ ଏହା କରି ଦେଖାଇଛି । “ସମଗ୍ର ପୃଥିବୀ ଭାରତର ବୈଜ୍ଞାନିକଙ୍କ ଉତ୍ସାହ, ପ୍ରଯୁକ୍ତିବିଦ୍ୟା ଓ ସ୍ୱଭାବକୁ ସ୍ୱୀକୃତି ଦେଇଛି” ବୋଲି ଶ୍ରୀ ମୋଦୀ କହିଥିଲେ।

“ଚନ୍ଦ୍ରଯାନ-୩ର ସଫଳତା କେବଳ ଭାରତର ନୁହଁ, ଏହା ସମଗ୍ର ମାନବ ଜାତିର” ବୋଲି କହି ପ୍ରଧାନମନ୍ତ୍ରୀ ଏହି ଅଭିଯାନର ଖୋଜଖବର ଯୋଗୁ ପ୍ରତ୍ୟେକ ଦେଶର ଚନ୍ଦ୍ର ଅଭିଯାନ ପାଇଁ ସମ୍ଭାବନା ଦ୍ୱାର ଉନ୍ମୁକ୍ତ କରିବ । ଏହି ଅଭିଯାନ ଦ୍ୱାରା କେବଳ ଚନ୍ଦ୍ରର ରହସ୍ୟ ଉନ୍ମୋଚିତ ହେବ ନାହିଁ ବରଂ ପୃଥିବୀରେ ଏଥିପାଇଁ ଥିବା ଆହ୍ୱାନର ମୁକାବିଲା ନିମନ୍ତେ ପଥ ପରିଷ୍କାର ହୋଇଯିବ । ପ୍ରଧାନମନ୍ତ୍ରୀ ପୁଣିଥରେ ଚନ୍ଦ୍ରଯାନ-୩ ଅଭିଯାନ ସହ ଯୋଡ଼ି ହୋଇଥିବା ପ୍ରତ୍ୟେକ ବୈଜ୍ଞାନିକ, ଟେକ୍ନିସିଆନ, ଯନ୍ତ୍ରୀ ଓ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ପୁଣିଥରେ କହିଥିଲେ ଯେ “ଚନ୍ଦ୍ରଯାନ-୩ର ମୁନ୍ ଲ୍ୟାଣ୍ଡର ଯେଉଁଠି ଚନ୍ଦ୍ରପୃଷ୍ଠ ସ୍ପଷ୍ଟ କରିଥିଲା ତାହା ଏଣିକି ‘ଶିବଶକ୍ତି’ ଭାବେ ପରିଚିତ ହେବ । ଶିବଙ୍କ ଠାରେ ମାନବତାର କଲ୍ୟାଣ ପାଇଁ ସଂକଳ୍ପ ଥାଏ ଓ ଶକ୍ତି ସେହି ସବୁ ସଂକଳ୍ପକୁ ସାକାର କରିବା ପାଇଁ ଆମକୁ ଶକ୍ତି ଯୋଗାଇ ଥାଏ । ଚନ୍ଦ୍ରର ଏହି ଶିବଶକ୍ତି ପଏଣ୍ଟ ହିମାଳୟରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକ ସଂଯୋଗର ସଜ୍ଞାନ ଦେଇଥାଏ ବୋଲି ସେ କହିଥିଲେ ।

ବିଜ୍ଞାନର ଅନୁଧାବନର ମୂଳ କଲ୍ୟାଣକର ବିଷୟ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏହି ପବିତ୍ର ସଂକଳ୍ପ ଶକ୍ତିର ଆଶୀର୍ବାଦ ଉପରେ ନିର୍ଭରଶୀଳ ଓ ତାହା ହେଉଛି ଆମର ନାରୀଶକ୍ତି । ଚନ୍ଦ୍ରଯାନ-୩ ଅଭିଯାନର ସଫଳତା ପଛରେ ରହିଛନ୍ତି ଆମର ମହିଳା ବୈଜ୍ଞାନିକ, ଦେଶର ନାରୀଶକ୍ତି ଏକ ବିରାଟ ଭୂମିକା ତୁଲାଇଛନ୍ତି ବୋଲି କହିଥିଲେ ।” ଚନ୍ଦ୍ରର ଶିବଶକ୍ତି ପଏଣ୍ଟ ଭାରତର ବୈଜ୍ଞାନିକ ଓ ଦାର୍ଶନିକ ଭାବନାର ମୂକସାକ୍ଷୀ ହୋଇ ରହିବ ବୋଲି ସେ କହିଥିଲେ ।

Leave A Reply

Your email address will not be published.