ଭୁବନେଶ୍ୱର : ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ପରେ ପୁଣିଥରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ସହିତ ବିଭାଗ ଅଦଳ ବଦଳ ହୋଇପାରେ ବୋଲି ରାଜନୈତିକ ବହଲରେ କଳ୍ପନା ଜଳ୍ପନା ଚାଲିଛି ।
ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୪ତାରିଖ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ହେବ । ଏହା ପୂର୍ବରୁ ସେପ୍ଟେମ୍ବର ୧୮ରୁ ୨୨ପର୍ଯ୍ୟନ୍ତ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ବସିବାକୁ ଯାଉଛି । ବିଧାନସଭାର ଗତ ବଜେଟ୍ ଅଧିବେଶନ ପରେ ପରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ କରାଯାଇଥିଲା । ଏହି କ୍ରମରେ ତିନି ଜଣ ମନ୍ତ୍ରୀ ବାଦ୍ ପଡିଥିବାବେଳେ ବାଚସ୍ପତି ଥିବା ବିକ୍ରମ ଆରୁଖଙ୍କୁ ପୁଣି ମନ୍ତ୍ରୀମଣ୍ଡଳକୁ ଫେରାଇ ଅଣାଯାଇଥିଲା ।
ସେବେଠାରୁ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ବିଧାନସଭା ସଚିବାଳୟରେ ବାଚସ୍ପତିଙ୍କ ଦାୟିତ୍ୱ ତୁଲାଉଛନ୍ତି । ତେବେ ନିୟମିତ ବାଚସ୍ପତି ନିଯୁକ୍ତି ଲାଗି ମୌସୁମୀ ଅଧିବେଶନ ପୂର୍ବରୁ ଚଳିତ ସେପ୍ଟେମ୍ବର ୨୧କୁ ଦିନ ଧାର୍ଯ୍ୟ କରାଯାଇଛି । ବାଚସ୍ପତି ପଦବୀ ଲାଗି ଆଗ୍ରହୀ ବିଧାୟକମାନେ ୧୮ତାରିଖ ସୁଦ୍ଧା ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିପାରିବେ ।
ରାଜ୍ୟ ବିଧାନସଭାରେ ଏବେ ବିଜେପି ସ୍ୱୀକୃତିପ୍ରାପ୍ତ ବିରୋଧିଦଳର ନେତା ପଦବୀ ହାତେଇ ଥିବାବେଳେ ସଂଖ୍ୟା ଦୃଷ୍ଟିରୁ ବିଜେପି ଠାରୁ କଂଗ୍ରେସ ଢେର ପଛରେ ରହିଛି । ତେବେ ରାଜ୍ୟ ବିଧାନସଭାରେ ବିଜେଡିର ସଂଖ୍ୟା ଗରିଷ୍ଠତା ତୁଳନାରେ ବିଜେପି, କଂଗ୍ରେସ ଓ କମ୍ୟୁନିଷ୍ଟଙ୍କ ସଂଖ୍ୟା ଢେର କମ୍ ଥିବା ଦୃଷ୍ଟିରୁ ବିରୋଧିଦଳ ହାତକୁ ବାଚସ୍ପତି ପଦବୀ ଯିବାର ପ୍ରଶ୍ନ ଉଠୁନାହିଁ । ଏହି ପଦବୀ ଲାଗି ବିଜେଡି ଯାହାଙ୍କୁ ଚାହିଁବ ତାଙ୍କୁ ବାଚସ୍ପତି ଆସନରେ ବସାଇପାରିବ ।
ରାଜନୈତିକ ମହଲରେ ଚାଲିଥିବା ଚର୍ଚ୍ଚା ଅନୁଯାୟୀ ବିଜେଡି ସଦସ୍ୟ ଥିବା କେତେଜଣ ପୂର୍ବତନ ମନ୍ତ୍ରୀ ବାଚସ୍ପତି ହେବାପାଇଁ ଆଗ୍ରହୀ । ତେବେ ରାଜନୀତିରେ ମହିଳା କାର୍ଡ ଏବେ ଭଲ କାମ କରୁଥିବାରୁ ବିଧାନସଭା ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ରଖିଥିବା ଜଣେ ମହିଳା ମନ୍ତ୍ରୀଙ୍କୁ ବାଚସ୍ପତି ପଦବୀରେ ବସାଇବା ସମ୍ଭାବନାକୁ ମଧ୍ୟ ଏଡାଇ ଦେଇହେବନାହିଁ ।
ମନ୍ତ୍ରୀମଣ୍ଡଳରୁ ତିନି ଜଣ ମନ୍ତ୍ରୀ ବିଦା ହେବାପରେ ସେମାନଙ୍କ ସ୍ଥାନରେ ଏଯାବତ୍ ଆଉ କାହାକୁ ନିଆଯାଇ ନାହିଁ । ବିଦା ହୋଇଥିବା ମନ୍ତ୍ରୀମାନଙ୍କ ପାଖରେ ଥିବା ବିଭାଗଗୁଡିକ ଅନ୍ୟ ମନ୍ତ୍ରୀମାନେ ବୁଝୁଛନ୍ତି । ବାଚସ୍ପତି ଭାବେ ଯଦି କୌଣସି ମନ୍ତ୍ରୀଙ୍କୁ ନିର୍ବାଚିତ କରାଯାଏ ତେବେ ମନ୍ତ୍ରୀମଣ୍ଡଳର ପୁଣି ଆଉଏକ ସ୍ଥାନ ଖାଲି ହୋଇଯିବ । ଏ ପରିପ୍ରେକ୍ଷୀରେ ବିଧାନସଭାର ମୌସୁମୀ ଅଧିବେଶନ ସରିବାପରେ ପୁଣି ଥରେ ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହ କିଛି ମନ୍ତ୍ରୀଙ୍କର ବିଭାଗରେ ଅଦଳ ବଦଳ ହୋଇପାରେ ।