ଭୁବନେଶ୍ୱର : ରାଜ୍ୟରେ ମୋଟ୍ ୧୪୦୫ଟି ଲାଇସେନ୍ସପ୍ରାପ୍ତ ଖଣି ଖନନ ଚାଲିଥିବାବେଳେ ଏଥିରୁ ସର୍ବାଧିକ ୨୫୭ଟି ଖଣି ଯାଜପୁର ଜିଲ୍ଲାରେ ଥିବା ରାଜ୍ୟ ସରକାରଙ୍କ ରିପୋର୍ଟରୁ ଜଣାପଡିଛି ।
ଖଣିନ ଖନନ ଦ୍ୱାରା କେବଳ ରାଜ୍ୟର କିମ୍ବା ଦେଶର ଅର୍ଥନୀତିର ଅଭିବୃଦ୍ଧି ହେଉନାହିଁ ବରଂ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସହିତ ସମ୍ବଳ ବୃଦ୍ଧିରେ ସହାୟକ ହେଉଛି । ତେବେ ଖଣି ଖନନ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ରହିଥିବାବେଳେ ଦୁର୍ବଳ ପରିଚାଳନା ଯୋଗୁଁ ଏହା ଘଟିଥାଏ । ବାଲି ଖନନ ରାଜ୍ୟରେ ଏକ ପ୍ରମୁଖ ଖଣି କାର୍ଯ୍ୟ ହୋଇଥିବାବେଳେ ଏହା ବ୍ୟତିତ ପଥର ଖଣି, କୋଇଲା ଏବଂ ଚୂନପଥର ଖଣି କାର୍ଯ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରିଲକ୍ଷିତ ହୋଇଥାଏ ।
ରାଜ୍ୟରେ ମୋଟ୍ ୬୫୨.୩୦ ବର୍ଗ କିଲୋମିଟର ଅଞ୍ଚଳରେ ବାଲି ଖନନ ହେଉଛି । ୮୦ ପ୍ରତିଶତ ଜିଲ୍ଲାରେ ବାଲି ଖନନ ହେଉଥିବାବେଳେ ଏହା ମୁଖ୍ୟତଃ ନବୀ ଅବବାହିକାରେ ହୋଇଥାଏ । ତେବେ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ଖଣି ଅଞ୍ଚଳ ରହିଛି ଯାହାକି ୬୦ ପ୍ରତିଶତ ଅଟେ ।
ବାୟୁ ଗୁଣମାନ ପରିଚାଳନା ସଂକ୍ରାନ୍ତରେ ରିପୋର୍ଟରେ ଦର୍ଶାଯାଇଛି ଯେ ଜିଲ୍ଲାଗୁଡିକରେ ମୋଟ୍ ୨୫୪ଟି ସ୍ୱୟଂଚାଳିତ ବାୟୁ ମାନ ପରିଚାଳନା କେନ୍ଦ୍ର ରହିଛି । ଏଥିରୁ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୫୪ଟି କେନ୍ଦ୍ର ରହିଛି । ସେହିଭଳି ଜିଲ୍ଲା ସ୍ତରରେ ଥିବା ୨୦୬ଟି ବାୟୁ ମାନ ପରିଚାଳନା କେନ୍ଦ୍ରକୁ ଶିଳ୍ପସଂସ୍ଥାମାନେ ଚଳାଉଥିବାବେଳେ ୧୧ଟିକୁ ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ରହିଛି ।
ପ୍ରଦୂଷିତ ବାୟୁ ଉଭୟ ମୃତ୍ତିକା ଏବଂ ଜଳ ଉପରେ ଖରାପ ପ୍ରଭାବ ପକାଇଥାଏ । କେବଳ ମାନବ ସମାଜ ନୁହେଁ, ପଶୁ, ବୃକ୍ଷଲତା ଆଦିଙ୍କ ପାଇଁ ବି ବିଶୁଦ୍ଧ ବାୟୁ ଜରୁରୀ ଅଟେ । ତେବେ ଏହାକୁ ନିୟନ୍ତ୍ରଣ ସହିତ ରାଜ୍ୟରେ ବାୟୁ ପ୍ରଦୂଷଣକୁ ରୋକିବାପାଇଁ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆବଶ୍ୟକ ସ୍ଥଳେ ସିଧାସଳଖ ଭାବେ ଏୟାର ଆକ୍ଟ ୧୯୮୧କୁ କାର୍ଯ୍ୟକାରୀ କରୁଛନ୍ତି ।
ଆଗ୍ନେୟଗିରି ଉଦ୍ଗିରିଣ ଏବଂ ଧୂଳି ଝଡ ଯୋଗୁଁ ପ୍ରାକୃତିକ ଭାବେ କେତେକ ସ୍ଥଳରେ ବାୟୁ ପ୍ରଦୂଷିତ ହେଉଥାଏ । କିନ୍ତୁ ଲୋକଙ୍କ ଦ୍ୱାରା ହେଉଥିବା କାର୍ଯ୍ୟକଳାପ ମୁଖ୍ୟତଃ ବାୟୁ ପ୍ରଦୂଷଣ ପାଇଁ ଦାୟୀ ଅଟେ । ଉଦାହରଣ ସ୍ୱରୂପ ଗାଡିମୋଟରରୁ ବାହାରୁଥିବା ବିଷାକ୍ତ ଧୂଆଁ, ତାପଜ କେନ୍ଦ୍ରରେ କୋଇଲା ଦହନରୁ ବାହାରୁଥିବା ଧୂଆଁ ଏବଂ ଶିଳ୍ପସଂସ୍ଥାରୁ ବାହାରୁଥିବା ବିଷାକ୍ତ ଧୂଆଁ ବାୟୁମଣ୍ଡଳକୁ ଅତ୍ୟଧିକ ଭାବେ ପ୍ରଦୂଷିତ କରିଥାଏ ।
ତେବେ ନିୟମିତ ଭାବେ ବାୟୁ ମାନ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ୧୪ଟି ଜିଲ୍ଲାକୁ ଚିହ୍ନଟ କରାଯାଇଥିବାବେଳେ ୬ଟି ଜିଲ୍ଲାରେ ଟ୍ରାଫିକ ଛକଗୁଡିକରେ ବାୟୁର ମାନ ଦର୍ଶାଇବାପାଇଁ ଡିସପ୍ଲେ ବୋର୍ଡ ଲଗାଇବା ଏବଂ ୧୮ଟି ଜିଲ୍ଲାରେ ବାୟୁ ପ୍ରଦୂଷଣର ହଟ୍ସ୍ପଟ୍ ସ୍ଥାନର ପରିଚାଳନା କରାଯାଉଛି ।