ସଚିବଙ୍କ ଜିଲ୍ଲାପାଳଙ୍କ କଳା ଟଙ୍କାରେ ଜମି କିଣା; ଏ ଶର୍ମା ବାବୁ କିଏ ?

ଭୁବନେଶ୍ୱର, ୨୮/୦୯- ରାଜ୍ୟର ଜଣେ ବରିଷ୍ଠ ସଚିବ ଓ ଜଣେ ଜିଲ୍ଲାପାଳଙ୍କ ପାଇଁ ଖଣି ଅଞ୍ଚଳରେ ଚାଲିଛି ଏକର ଏକର ଜମି କିଣା । ଏହି ଜମି କିଣାରେ କାରବାର ହେଉଛି ବ୍ୟାପକ କଳା ଟଙ୍କା । ଆଉ ଏହି କଳା ଟଙ୍କା କାରବାରର କାର୍ପଟଦାର ସାଜିଛନ୍ତି ଶର୍ମା ବାବୁ । ଏହି ଶର୍ମାବାବୁ ହେଉଛନ୍ତି ବରିଷ୍ଠ ସଚିବ ଓ ଜଣେ ଜିଲ୍ଲାପାଳଙ୍କର ଅତ୍ୟନ୍ତ ଖାସ୍‌ ଲୋକ ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଜଧାନୀରେ ରହୁଥିବା ଜଣେ ସଚିବ, ଯାହାଙ୍କ ହାତରେ କି ଏକରୁ ଅଧିକ ବିଭାଗ ରହିଛି ସେ ଏବେ ସମ୍ପତ୍ତି ବଢାଇବାରେ ଲାଗି ପଡିଛନ୍ତି । ନିଜର କଳା ଟଙ୍କାକୁ ଧଳା କରିବାପାଇଁ ସେ ଅନ୍ୟଆଡେ ଟଙ୍କା ଖଟାଇବା ଅପେକ୍ଷା ଜମି କିଣାରେ ଏହି ଅର୍ଥ ଲଗାଉଛନ୍ତି । ବିଶେଷକରି ଖଣି ଅଞ୍ଚଳରେ ପଡିଥିବା ଶସ୍ତା ଜମିକୁ କିଣୁଛନ୍ତି । ଯେଉଁ ଜମି ପରବର୍ତ୍ତୀ ସମୟରେ ଖଣି ଇଲାକା ମଧ୍ୟରେ ଆସିବା ସହିତ ସେ ବାବଦରେ କୋଟି କୋଟି ଟଙ୍କାର କ୍ଷତିପୂରଣ ମିଳୁଛି । ସବୁକିଛି ସ୍ୱଚ୍ଛତା ଉପାୟରେ କରାଯାଉଛି ।
ଆଉ ଏହି କାମରେ ସହାୟତା କରୁଛନ୍ତି ଖଣି ଖାଦାନରେ ପରିପୂର୍ଣ୍ଣ ବିଶେଷକରି କୋଇଲା ଖଣି ଥିବା ଜିଲ୍ଲାର ଜଣେ ଜିଲ୍ଲାପାଳ । ଜିଲ୍ଲାପାଳ ବି ତାଙ୍କର କଳା ଟଙ୍କାକୁ ଏହି ଜମି କିଣା କାରବାରରେ ଲଗାଉଛନ୍ତି । ଆଗାମୀ ଦିନରେ ତାଙ୍କ ଜିଲ୍ଲାର କେଉଁ କେଉଁ ଅଞ୍ଚଳ ଖଣି ଇଲାକାରେ ଯିବ ତାହାର ସୂଚନା ସେ ଆଗତୁରା ପାଇ ଯାଉଛନ୍ତି । ତାହାର ସୂଚନା ସମ୍ପୃକ୍ତ ସଚିବଙ୍କୁ ଦେବା ପରେ ଆରମ୍ଭ ହେଉଛି ଜମି କିଣା ପ୍ରକ୍ରିୟା ।
ଏହି ଜମି କିଣା ପ୍ରକ୍ରିୟାରେ ମଙ୍ଗୁଆଳ ସାଜିଛନ୍ତି ଶର୍ମା ସାଙ୍ଗିଆଧାରି ଜଣେ ବ୍ୟକ୍ତି । ଏହି ବ୍ୟକ୍ତି ଜଣଙ୍କ ପୂର୍ବରୁ ଗୋଟିଏ ଆଲୁମିନିୟମ କମ୍ପାନୀରେ ଥିଲେ । ସେଠାରୁ ବିବାଦୀୟ ହୋଇ ବିଦା ହୋଇଛନ୍ତି । ଏହି କମ୍ପାନୀ ଓଡିଶାରେ ମଧ୍ୟ କେତେକ ଖଣି ହାତେଇଛି । ବାବୁ ସେଠାରେ ଚାକିରି କରୁଥିବାବେଳେ ଖଣି ଅଞ୍ଚଳରେ କିଭଳି ଜମି ମାଲିକମାନଙ୍କୁ କ୍ଷତିପୂରଣ ମିଲେ ତାହାର କାଇଦା ପାଇଥିଲେ । ସେହି କମ୍ପାନୀରେ ଥିବାବେଳେ ଏହି ଅଣଓଡିଆ ଜିଲ୍ଲାପାଳ ଓ ଅଣଓଡିଆ ସଚିବଙ୍କ ସଂସ୍ପର୍ଶରେ ଆସିଥିଲେ । ଏବେ ତାହାର ଭରପୂର ଫାଇଦା ଉଠାଉଛନ୍ତି ।
ତେବେ ସରକାରଙ୍କ ଏକାଧିକ ବିଭାଗ ଦାୟିତ୍ୱରେ ଥିବା ଏହି ସଚିବ ଜଣଙ୍କ ପୂର୍ବରୁ ମଧ୍ୟ ବିବାଦୀୟ । ତାଙ୍କର କାରନାମା ଯୋଗୁଁ ସରକାର ହରଡଘଣାରେ ପଡିଛନ୍ତି । ତେବେ ବହୁ କଷ୍ଟରେ ସିଏ ବିଭାଗ ଦାୟିତ୍ୱ ପାଇଛନ୍ତି । ହେଲେ ତାଙ୍କର ସମ୍ପତ୍ତି ଆହରଣର ମୋଡ ଢେର ଅଧିକ ଥିବାରୁ ପ୍ରଥମେ ବିଭିନ୍ନ କଳ କାରଖାନାରେ ଟଙ୍କା ଲଗାଉଥିଲେ । ଏବେ ମଉକା ଦେଖି ଜମି ବେପାରରେ ପଶିଛନ୍ତି ।
ଆଉ ଜମିରେ ଜଳାଟଙ୍କା ଲଗାଇ ତାହାକୁ ଧଳା କରିବାରେ କାର୍ପଟଦାର ଜିଲ୍ଲାପାଳ ଜଣଙ୍କ ବି ଅର୍ଥ ଆଦାୟ କରିବାରେ ଓସ୍ତାଦ । ତାଙ୍କ ଜିଲ୍ଲାରେ ଖଣି ନେଇଥିବା ଗୋଟିଏ କମ୍ପାନୀ ଠାରୁ ଚାନ୍ଦା ଆକାରରେ ସାଢେ ୪କୋଟି ଟଙ୍କା ନେଇଥିବା ଚର୍ଚ୍ଚା ଏବେ ଜୋର ଧରିଛି । ବିପୁଳ କଳା ଟଙ୍କାକୁ କିଭଳି ଧଳା କରାଯିବ ସେହି ଚିନ୍ତାରେ ସଚିବ ଓ ଜିଲ୍ଲାପାଳ ଥିବାବେଳେ ତାଙ୍କ ପାଖରେ ଉଭା ହୋଇଥିଲେ ଶର୍ମା ବାବୁ । ଏବେ ଏହି ତିନି ଅଣଓଡିଆ ମିଶି ଖଣି ଅଞ୍ଚଳରେ ଯେଭଳି ଜମି କିଣା ବିକାରେ ମାତିଛନ୍ତି ତାହା ଦିନେ ନା ଦିନେ ସରକାରଙ୍କୁ ଅଡୁଆରେ ପକାଇବ ବୋଲି ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.