ଭୁବନେଶ୍ୱର : ବିଧାନସଭାରେ ବିଜେପି ଉଠାଇଥିବା ଶ୍ରଦ୍ଧା ପ୍ରସଙ୍ଗ ଏବେ ଦଳ ପାଇଁ ବୁମେରାଂ ହୋଇଛି । ଏହାକୁ କେବଳ ବିଜେଡି ବିରୋଧ କରୁନାହିଁ, ସାଧାରଣ ଲୋକେ ବି ପସନ୍ଦ କରୁନାହାନ୍ତି । ବିଶେଷକରି ସ୍ୱଳ୍ପକାଳୀନ ବିଧାନସଭାରେ ଏହି ଅଯଥା ପ୍ରସଙ୍ଗ ଉଠାଇ ହଟଗୋଳ କରିବାକୁ କେହି ବି ଗ୍ରହଣ କରିପାରୁ ନାହାନ୍ତି ।
ଚଳିତ ସ୍ୱଳ୍ପକାଳୀନ ଅଧିବେଶନରେ ରାଜ୍ୟ ବିଜେପି ହଠାତ୍ ବିଧାନସଭାରେ ଭିତରେ ଶ୍ରଦ୍ଧା ପ୍ରସଙ୍ଗ ଉଠାଇଛି । ଖୋଦ୍ ବିରୋଧିଦଳ ନେତା ଏହି ମହିଳାଙ୍କ କଥା ଉଠାଇ ବିଜେଡି ଠାରୁ କୈଫତ ଲୋଡିଛନ୍ତି । ହେଲେ ଯେଉଁ ଶ୍ରଦ୍ଧାକୁ ନେଇ ବିଜେପି ବିଧାନସଭାକୁ ଉଠା ପକା କରୁଛି ଓ ଏହି ମହିଳା ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ କିଭଳି ରୋମ୍ ଗସ୍ତ କରୁଥିଲେ ବୋଲି ପଚାରୁଛି ତାହା ପ୍ରାୟ ଛଅ ମାସ ତଳର ଘଟଣା । ଏତେ ପୁରୁଣା ଘଟଣାକୁ ରାଜ୍ୟର ମୁଖ୍ୟ ବିରୋଧିଦଳ କ’ଣ ପାଇଁ ବିଧାନସଭାରେ ଉଠାଇ ଗୃହକୁ ଅଚଳ କରିଛି ତାହାକୁ ସାଧାରଣ ଲୋକେ ବି ବୁଝିପାରୁ ନାହାନ୍ତି ।
ଯଦି ଶ୍ରଦ୍ଧାକୁ ନେଇ ଏତେ ହଟଚମଟ କରିବାର ଥିଲା ତେବେ ମୁଖ୍ୟମନ୍ତ୍ରୀ ରୋମ୍ରୁ ଫେରିବା ପରେ ପରେ ରାଜ୍ୟ ବିଜେପି ଏହି ପ୍ରସଙ୍ଗ ଉଠାଇ ପାରିଥାନ୍ତା । ହେଲେ ସେତେବେଳେ ଏହା କଲେନାର୍ହି । ଏହାପରେ ଅନୁଷ୍ଠିତ ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠାଇଲେ ନାହିଁ । ସେତେବେଳେ ବିଜେପି ନେତାମାନେ ଏହା ଜାଣିପାରି ନଥିଲେ ନା ଜାଣି କି ଉଠାଇନଥିଲେ ତାହା ବଡ ପ୍ରଶ୍ନବାଚୀ ହୋଇଛି ।
ତେବେ ସବୁଠାରୁ ବଡ କଥା ହେଉଛି ଶ୍ରଦ୍ଧା କିଏ ତାହା ବିଜେପି ନେତାମାନେ ଭଲ ଭାବେ ଜାଣିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଡି ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହାକୁ ସାଧାରଣ ଲୋକେ ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ବିଜେପି ନେତା ବି ଜାଣିଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ଯେ ମହିଳାଙ୍କ ଠାରୁ ଚାରି ହାତ ଦୂରରେ ତାହା ଓଡିଶାବାସୀଙ୍କୁ ଅଛପା ନାହିଁ । ଅତୀତରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏଭଳି ଅଭିଯୋଗ ନାହିଁ କିମ୍ବା ଭବିଷ୍ୟତରେ ବି ଆସିବାର ନାହିଁ । ସବୁ ଜାଣି ଶୁଣି କାହିଁକି ବିଜେପି ନେତାମାନେ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇଲେ ତାହା ରାଜନୀତିର ବିଶାରଦମାନଙ୍କୁ ବି ଆଶ୍ଚର୍ଯ୍ୟ କରୁଛି ।
ଏହି ଅଧିବେଶନର କାଳରେ ଏଭଳି କିଛି ପ୍ରସଙ୍ଗ ଥିଲା ଯାହାକୁ ବିଜେପି ନେତାମାନେ ଉଠାଇ ଆଲୋଚନା କରିଥିଲେ କେବଳ ସାଧାରଣ ଲୋକେ ଉପକୃତ ହୋଇଥାନ୍ତେ ତାହା ନୁହେଁ, ରାଜନୀତି ଦୃଷ୍ଟିରୁ ମଧ୍ୟ ବିଜେପି ଭଲ ମାଇଲେଜ ପାଇଥାନ୍ତା । ଏଥି ମଧ୍ୟରେ କେନ୍ଦ୍ରରେ ମହିଳା ସଂରକ୍ଷଣ ବିଲ୍ ପାରିତ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଆମ ଓଡିଶା ନବୀନ ଓଡିଶା ଭଳି ଯୋଜନାମାନ ରହିଛି । ହେଲେ ସେଥିପ୍ରତି ନଜର ନଦେଇ ଶୂନ୍ୟରୁ ଆଣି ଶ୍ରଦ୍ଧା ପ୍ରସଙ୍ଗକୁ ଯେଭଳି ବିଧାନସଭାରେ ଥୋଇଲେ ତାହା ବିଜେପିକୁ ଲାଭି ଦେବା ପରିବର୍ତ୍ତେ ଏବେ ଓଲଟା ଫଳ ଦେବା ଆରମ୍ଭ କଲାଣି । ପ୍ରସଙ୍ଗକୁ ସାଧାରଣରେ ଲୋକେ ପସନ୍ଦ କରୁନଥିବାବେଳେ ଆଗାମୀ ଦିନରେ ଏହି ଘଟଣାରେ ବିଜେପି ସାଧାରଣ ଲୋକଙ୍କ ଶ୍ରଦ୍ଧାଭାଜନ ହରାଇବ ବୋଲି ମଧ୍ୟ ଆଲୋଚନା ହୋଇଛି ।
ତେବେ ବିଜେପିର ଏହି ଶ୍ରଦ୍ଧା କାଣ୍ଡ ଠାରୁ ସମଦୂରତା ରକ୍ଷା କରି କଂଗ୍ରେସ ଲୋକଙ୍କ ସହାନୁଭୂତି ସାଉଁଟିଛି । ପାଣିପାଗକୁ ଲକ୍ଷ୍ୟକରି କଂଗ୍ରେସ ଏହି ପ୍ରସଙ୍ଗରୁ ଦୂରେଇବା ସହିତ ବିଧାନସଭାରେ କକ୍ଷତ୍ୟାଗ କରିଛି । ବିଜେପିର ଏଭଳି ଆଚରଣ ଯୋଗୁଁ ସାଧାରଣ ଲୋକଙ୍କ କଥା ବିଧାନସଭାରେ ଉଠିପାରିଲା ନାହିଁ ବୋଲି କଂଗ୍ରେସ ବି ଖୋଲାଖୋଲି କହିଛି । ତେବେ ଏହି ଘଟଣାରେ ସବୁଠାରୁ ଅଧିକ ଲାଭରେ ରହିଛ ବିଜେଡି । ଶ୍ରଦ୍ଧା ଆଳରେ ବିରୋଧି ଅନେକ ସରକାର ବିରୋଧି ପ୍ରସଙ୍ଗ ଠାରୁ ଦୂରେଇ ଯାଇଥିବାରୁ ବିଜେଡି ନେତାମାନେ ଭିତରେ ଭିତରେ କୁରୁଳୁଥିବା ଲକ୍ଷ୍ୟ କରାଯାଉଛି ।