ଭୁବନେଶ୍ୱର : ରାଜ୍ୟରେ ଯେଉଁ ହାରରେ ବ୍ରାଉନସୁଗାର ଜବତ ହେଉଛି ସେଥିରୁ ଏହି ନିଶା କାରବାର ଯେ ଦ୍ରୁତି ଗତିରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ୨୦୧୮-୧୯ ବର୍ଷରେ ଅବକାରୀ ବିଭାଗ ମାତ୍ର ୮ଟି ଅବକାରୀ ଜିଲ୍ଲାରୁ ସାଢେ ୪କିଲୋରୁ ସାମାନ୍ୟ ଅଧିକ ବ୍ରାଉନସୁଗାର ଜବତ କରିଥିବାବେଳେ ୨୦୨୨-୨୩ ରେ ଜବତ ବ୍ରାଉନସୁଗାର ପରିମାଣ ସାଢେ ୩୨ କିଲୋକୁ ଅତିକ୍ରମ କରିଯାଇଛି ।
ରାଜ୍ୟରେ ଗଞ୍ଜେଇ, ଭାଙ୍ଗ, ବିଦେଶୀ ଓ ଦେଶୀ ମଦର ଚୋରା ଚାଲାଣ ବେଳେ ଜବତ ହେଉଥିବାବେଳେ ଏବେ ବ୍ରାଉନସୁଗାର ଭଳି ନିଶା ସାମଗ୍ରୀ ସମସ୍ତଙ୍କୁ ଏକ ପ୍ରକାର ପଛରେ ପକାଇ ଦେଲାଣି । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏହି ନିଶା ତାହାର କାୟା ବିସ୍ତାର କରିବାରେ ଲାଗିଛି । ଯୁବଗୋଷ୍ଠି ଅନ୍ୟାନ୍ୟ ନିଶା ଅପେକ୍ଷା ବ୍ରାଉନସୁଗାର ପ୍ରତି ଅଧିକ ଆଗ୍ରହ ରଖୁଥିବାରୁ ନିଶା ବେପାରୀମାନେ ମଧ୍ୟ ସେମାନଙ୍କ କାରବାରକୁ ବ୍ୟାପକ କରିବାରେ ଲାଗିଛନ୍ତି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ଅବକାରୀ ବିଭାଗ ୮ଟି ଅବକାରୀ ଜିଲ୍ଲାରୁ ୪୫୭୧ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ଏଥିରେ ମଧ୍ୟରେ ସର୍ବାଧିକ ୨୪୪୮ ଗ୍ରାମ ଅବକାରୀ କର୍ତ୍ତୃପକ୍ଷ ଦୁଇ ନମ୍ବର କେନ୍ଦ୍ରୀୟ ଅବକାରୀ ଜିଲ୍ଲା ଅଞ୍ଚଳରୁ ଜବତ କରିଥିଲେ । ତେବେ ଏହି ସମୟରେ ବାଲେଶ୍ୱରରୁ ୨୮୫ ଗ୍ରାମ ଜବତ ହୋଇଥିବାବେଳେ ଖୋରଧା ଜିଲ୍ଲାରୁ ୬୫୮ ଗ୍ରାମ ଜବତ ହୋଇଥିଲା । ଭଦ୍ରକରୁ ୨୨ଗ୍ରାମ, ମୟୁରଭଞ୍ଜରୁ ୧୩.୫ ଗ୍ରାମ ଓ ପୁରୀରୁ ୯୪ ଗ୍ରାମ ଜବତ କରାଯାଇଥିଲା ।
୨୦୧୯-୨୦ରେ ଜବତ ବ୍ରାଉନସୁଗାର ପରିମାଣ ୨୯୬୩ ଗ୍ରାମ ଥିବାବେଳେ ୨୦୨୦-୨୧ ରେ ଏହା ୩୮୩୬ ଗ୍ରାମରେ ପହଞ୍ଚିଥିଲା । ସେହିବର୍ଷ ଅବକାରୀ ବିଭାଗ ୧୨ଟି ଅବକାରୀ ଜିଲ୍ଲା ଅଞ୍ଚଳରୁ ଏହି ନିଷିଦ୍ଧ ନିଶା ସାମଗ୍ରୀକୁ ଜବତ କରିଥିଲେ । ୨୦୨୧-୨୨ରେ କିନ୍ତୁ ଜବତ ବ୍ରାଉନସୁଗାର ପରିମାଣ ହଠାତ୍ ବୃଦ୍ଧି ପାଇଥିଲା । ଅବକାରୀ କର୍ତ୍ତୃପକ୍ଷ ଏହି ବର୍ଷ ୧୧,୬୬୨ ଗ୍ରା ବ୍ରାଉନସୁଗାର ଜବତ କରିଥିଲେ । ସୀମାନ୍ତବର୍ତ୍ତୀ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୩୫୨୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା ।
ବ୍ରାଉନସୁଗାର ଜବତ କ୍ଷେତ୍ରରେ କିନ୍ତୁ ୨୦୨୨-୨୩ ବର୍ଷ ସର୍ବକାଳୀନ ରେକର୍ଡ କରିଛି । ଏହି ବର୍ଷ ଅବକାରୀ ବିଭାଗ ୩୨,୫୧୨ ଗ୍ରାମ ବ୍ରାଉନସୁଗାର ଜବତ କରିପାରିଥିଲା । ୨୧ ଅବକାରୀ ଜିଲ୍ଲାରେ ଚଢଉ ସମୟରେ ଜବତ ବ୍ରାଉନସୁଗାର ମଧ୍ୟରେ କେବଳ ପୁରୀରୁ ଧରାପଡିଥିଲା ୫୪୬୮ ଗ୍ରାମ । ବାଲେଶ୍ୱରରୁ ସେହିବର୍ଷ ୨୭୧୫ ଗ୍ରାମ ଧରାପଡିଥିବାବେଳେ ଖୋରଧାରୁ ୧୨୮୪ ଗ୍ରାମ ଓ ଜଗତ୍ସିଂହପୁରରୁ ୩୭୮୧ ଗ୍ରାମ ଜବତ ହୋଇଥିଲା ।
ମାତ୍ର ୫ବର୍ଷ ମଧ୍ୟରେ ବ୍ରାଉନସୁଗାର ଜବତ ପରିମାଣ ସାଢେ ୪ କିଲୋରୁ ସାଢେ ୩୨ କିଲୋକୁ ବୃଦ୍ଧି ପାଇଛି । ଚଳିତ ଆର୍ଥିକ ବର୍ଷର ବର୍ତ୍ତମାନ ସୁଦ୍ଧା ସାଢେ ୧୭ କିଲୋରୁ ଅଧିକ ବ୍ରାଉନସୁଗାର ଜବତ ହୋଇ ସାରିଲାଣି । ଗୋଟିଏ ପଟେ ଅବକାରୀ ବିଭାଗ ଜାଲ ବିଛାଇବାରୁ ଅଧିକ ପରିମାଣର ବ୍ରାଉନସୁଗାର ବେପାରୀ ଧରାପଡୁଥିବାବେଳେ ଏମାନେ ସମଗ୍ର ରାଜ୍ୟରେ ସେମାନଙ୍କ କାୟା ବିସ୍ତାର କରୁଥିବା ସ୍ପଷ୍ଟ ହେବାରେ ଲାଗିଛି । ବିଶେଷକରି ବଡ ବଡ ଶିକ୍ଷାନୁଷ୍ଠାନ ଥିବା ସହରାଞ୍ଚଳ ଏବଂ ପୁରୀ ଭଳି ପର୍ଯ୍ୟଟନସ୍ଥଳୀଗୁଡିକୁ ଏମାନେ ନିଜର ବ୍ୟବସାୟ କ୍ଷେତ୍ର ଭାବେ ବାଛି ନେଇଥିବାବେଳେ ଉଭୟ ପୁଲିସ୍ ଓ ଅବକାରୀ ବିଭାଗ ଏଥିପ୍ରତି ଅଧିକ ସଜାଗ ନହେଲେ ଏମାନେ ଯୁବପୀଢିକୁ ଏହି ବିଷାକ୍ତ ନିଶା କବଳରେ ପକାଇଦେବେ ବୋଲି ମତପ୍ରକାଶ ପାଉଛି ।