ଭୁବନେଶ୍ୱର : ଓଡିଶା ଉପକୂଳରେ ପ୍ରତିଷ୍ଠା ହେବାକୁ ଥିବା ଦଶରୁ ଅଧିକ ବନ୍ଦର ନିର୍ମାଣ ପ୍ରସ୍ତାବ ଏବେ ମାମଲାରେ ଛନ୍ଦିହେବା ସହିତ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଆଗେଇ ପାରୁନାହିଁ । ଫଳରେ ଏକାଧିକ ଛୋଟ ଓ ମଧ୍ୟମ ବନ୍ଦର ପ୍ରତିଷ୍ଠା ଜରିଆରେ ରାଜ୍ୟ ଅର୍ଥନୀତିକୁ ଆଗକୁ ନେବା ସହିତ ନିଯୁକ୍ତି ବୃଦ୍ଧି ପାଇଁ ଥିବା ଆଶା ଏବେ ମଉଳିବାରେ ଲାଗିଲାଣି ।
ରାଜ୍ୟର ବାଲେଶ୍ୱର ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ଥିବା ଉପକୂଳରେ ୧୪ଟି ବନ୍ଦର ପ୍ରତିଷ୍ଠା ପାଇଁ ହୋଇଥିବା ଯୋଜନାକୁ ଏବେ ୧୫ବର୍ଷ ପୂରିଲାଣି । ହେଲେ ଗୋଟିଏ ହେଲେ ନୂଆ ବନ୍ଦର କାର୍ଯ୍ୟକ୍ଷମ ତ ଦୂରରକଥା ଏଥିପାଇଁ ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ବି ହୋଇପାରିଲା ନାହିଁ । ରାଜ୍ୟ ବନ୍ଦର ନୀତିକୁ ବିରୋଧ କରି ଅଦାଲତରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ଏବେ ନୂଆ ବନ୍ଦର ନିର୍ମାଣ ଏକ ପ୍ରକାର ଫସି ଯାଇଛି । ସେହିଭଳି ଅନେକ ବନ୍ଦରକୁ ଆବଶ୍ୟକ ପରିବେଶ ଓ ପ୍ରତିରକ୍ଷା ଭଳି ବୈଧାନିକ ମଞ୍ଜୁରୀ ମିଳିପାରୁ ନାହିଁ । ସବୁଠାରୁ ବଡ ସମସ୍ୟା ହେଉଛି କେତେକ ବନ୍ଦରକୁ ସ୍ଥାନୀୟ ଲୋକଙ୍କୁ କଡା ବିରୋଧ । ଏଥିଯୋଗୁଁ ଜମି ଅଧିଗ୍ରହଣ ମଧ୍ୟ ଆଗେଇ ପାରୁନାହିଁ ।
ବର୍ତ୍ତମାନ ରାଜ୍ୟରେ ଦୁଇଟି ଅଣ-ବୃହତ୍ ବନ୍ଦର ତଥା ଧାମରା ଓ ଗୋପାଳପୁର ଏହାର ପ୍ରଥମ ପର୍ଯ୍ୟାୟ ଉନ୍ନୟନ କାର୍ଯ୍ୟ ସମାପ୍ତ ପରେ ବ୍ୟବସାୟିକ ବାଣିଜ୍ୟ କାରବାର କରୁଛନ୍ତି । ରିହାତି ଚୁକ୍ତିନାମାର ସର୍ତ୍ତ ଅନୁଯାୟୀ ଧାମରା ଓ ଗୋପାଳପୁରରୁ ରାଜ୍ୟ ସରକାର ରାଜସ୍ୱ ଅଂଶ ବି ପାଉଛନ୍ତି । ସେହିଭଳି ଆଉ ଦୁଇଟି ଅଣ-ବୃହତ୍ତ ବନ୍ଦର ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦର ପ୍ରତିଷ୍ଠା କାର୍ଯ୍ୟ ଧିର ମନ୍ଥର ଗତିରେ ଆଗେଇ ଚାଲିଛି । ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ।
ଏହାଛଡା ଆଉ ୧୦ଟି ବନ୍ଦର ଯଥା ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର, ବାହାବଳପୁର, ଚାନ୍ଦିପୁର ଓ ଇଞ୍ଚୁଡି, ଭଦ୍ରକ ଜିଲ୍ଲାର ଚୂଡାମଣି, ଜଗତ୍ସିଂହପୁର ଜିଲ୍ଲାର ଜଟାଧାର ମୁହାଣ, ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ ବାଲି ହରଚଣ୍ଡି, ଗଞ୍ଜାମ ଜିଲ୍ଲାର ପାଲୁର ଓ ବାହୁଦା ମୁହାଣ ଓ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଠାରେ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ।
ତେବେ ରାଜ୍ୟରେ ପାରାଦୀପ୍ ଭଳି ବୃହତ୍ତ ବନ୍ଦର ଥିବାବେଳେ ଏହା ଆଖପାଖରେ ଏତେଗୁଡିଏ ଛୋଟ ଓ ମଧ୍ୟମ ବନ୍ଦର ପ୍ରତିଷ୍ଠା ହେବାକୁ ମଧ୍ୟ ବିଶେଷଜ୍ଞମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଅତୀତରେ ପାରାଦୀପ୍ ନିକଟରେ ପୋସ୍କୋ କମ୍ପାନୀର ପ୍ରସ୍ତାବିତ ବନ୍ଦରକୁ ନେଇ ପ୍ରବଳ ବିରୋଧ ହେବା ସହିତ ପରବର୍ତ୍ତୀ ସମୟରେ ଉଭୟ ବନ୍ଦର ଓ ଇସ୍ପାତ କାରଖାନା ପ୍ରତିଷ୍ଠାରୁ ପୋସ୍କୋ ଓହରିବା ସହିତ ଓଡିଶା ଛାଡିଥିଲା ।
ବର୍ତ୍ତମାନ କିନ୍ତୁ ୧୫ବର୍ଷ ପରେ ବନ୍ଦର ନିର୍ମାଣ କାର୍ଯ୍ୟ ଆଗେଇ ନପାରିବା ଓ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ସହିତ ମାଲିମୋକଦ୍ଦମା ଚାଲିବା ଏବେ ଓଡିଶା ଉପକୂଳରେ ବନ୍ଦର ଭିତ୍ତିକ ବିକାଶ ଯୋଜନାକୁ ଏକ ପ୍ରକାର ଆଶା ଓ ଆଶଙ୍କାରେ ପରିଣତ କରିଛି । ଏଭଳି ଗତିରେ ଅଗ୍ରଗତି ହେଲେ ଆଉ ୧୫ବର୍ଷ ପରେ ବି ବନ୍ଦର ନିର୍ମାଣ ସମ୍ଭବ ନୁହେଁ ବୋଲି ମତପ୍ରକାଶ ପାଉଛି ।