ଭୁବନେଶ୍ୱର : ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ଖଣି ନିଲାମରେ ଅଂଶଗ୍ରହଣକାରୀଙ୍କ ପାଇଁ ନୂଆ ନିୟମ ଯୋଡିଛନ୍ତି । ଇସ୍ପାତ ଏବଂ ଖଣି ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ନୂଆ ନିୟମ “ଯେଉଁ ଲିଜ୍ଧାରୀଙ୍କ ଉପରେ ବକେୟା ରାଶି ରହିଥିବ କିମ୍ବା ସେମାନେ କମ୍ପାନୀଗୁଡିକ ପାଇଁ ଆଗ୍ରହୀ ଥିବେ ସେହିମାନେ ଖଣି ନିଲାମରେ ଅଂଶଗ୍ରହଣ କରିପାରିବେ ନାହିଁ ।” ଏହାକୁ ନୂତନ ଟେଣ୍ଡର ନିୟମରେ ସାମିଲ କରାଯିବ ।
ଆଗ୍ରହୀ ଟେଣ୍ଡରଧାରୀମାନେ ଏହି ମାନଦଣ୍ଡ ପୂରଣ କରୁଥିଲେ ସେମାନେ ଟେଣ୍ଡରରେ ଭାଗ ନେଇପାରିବେ । ଭବିଷ୍ୟତରେ ଖଣିଜ ବ୍ଲକର ନିଲାମ ପାଇଁ ଇସ୍ପାତ ଓ ଖଣି ବିାଭଗ ଟେଣ୍ଡର ପ୍ରକ୍ରିୟାରେ ଏଭଳି ପରିବର୍ତ୍ତନ ହେବାକୁ ଯାଉଥିବା ନେଇ ଖଣି ଏବଂ ଭୂତତ୍ୱ ବିଭାଗକୁ ପତ୍ର ଯୋଗେ ଅଗତ କରିଛନ୍ତି ବିଭାଗର ଅତିରିକ୍ତ ସଚିବ ସୌଦାମିନୀ ସେଠୀ । ଖଣି ଏବଂ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ଏ ସଂକ୍ରାନ୍ତରେ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି ।
ସୁପ୍ରିମ୍କୋର୍ଟ ଚଳିତବର୍ଷ ଅଗଷ୍ଟ ୧୪ ତାରିଖରେ ଏହି ନିର୍ଦ୍ଦେଶନାମା ଜାରି କରିବା ସହିତ ବକେୟା ରଖିଥିବା ସଂସ୍ଥା ଯେଭଳି ଟେଣ୍ଡରରେ ଅଂଶଗ୍ରହଣ କରିନପାରିବେ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି । ସୁପ୍ରିମକୋର୍ଟ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଖିଲାପକାରୀଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ସେମାନଙ୍କ ସମ୍ପତ୍ତିକୁ ଜବତ କରାଯିବ ।
ରାଜ୍ୟ ସରକାର ଅଦାଲତଙ୍କୁ ଅବଗତ କରିଚନ୍ତି ଯେ ସୁଧ ଛଡା ୨୬୨୨ କୋଟି ଟଙ୍କା ବିଭିନ୍ନ ବେଆଇନ୍ ଖଣି ବ୍ୟବସାୟୀଙ୍କ ଉପରେ ରହିଛି । ଏଥି ମଧ୍ୟରୁ ୨୨୧୫ କୋଟି ଟଙ୍କା କେବଳ ୫ଜଣ ଲିଜ୍ଧାରୀଙ୍କ ଠାରୁ ଆଦାୟ ଯୋଗ୍ୟ ଅଛି । ଏହି ଖିଲାପକାରୀମାନଙ୍କ ଲିଜ୍ ଅବଧି ସରିଯାଇଛି କିମ୍ବା ଖଣି ଖନନ କରିନଥିବାରୁ ସେମାନଙ୍କର ଲିଜ୍କୁ ବାତିଲ ହୋଇଛି କିମ୍ବା ଟେଣ୍ଡରର ଅଂଶଗ୍ରହଣ ପାଇଁ ସୁଯୋଗ ରହିଛି । ଏହାବାଦ୍ କେତେକ ଖିଲାପକାରୀଙ୍କ ବିରୁଦ୍ଧରେ ଲିଜ୍ ବାଜ୍ୟାପ୍ତି କାର୍ଯ୍ୟାନୁଷ୍ଠାନ ଅଟକି ରହିଛି ଯେଉଁମାନଙ୍କ ଠାରୁ କମ୍ ପରିମାଣର ଜୋରିମାନା ଆଦାୟ ହେବାର ରହିଛି ବୋଲି ରାଜ୍ୟ ସରକାର ସୁପ୍ରିମ୍କୋର୍ଟଙ୍କୁ ଅବଗତ କରିଛନ୍ତି ।