୪ଟି ଆସନରେ ଆଶାୟୀଙ୍କ ଧାଡି ଲମ୍ବୁଛି

ଭୁବନେଶ୍ୱର : ବିଜୁ ଜନତା ଦଳରୁ ବାଦ୍‍ ପଡିଥିବା ଚାରି ଜଣ ବିଧାୟକ ଆଗାମୀ ନିର୍ବାଚନରେ ଦଳୀୟ ଟିକଟ ପାଇବାର ସମ୍ଭାବନା କ୍ଷୀଣ ଥିବାରୁ ଏହି ୪ଟି ଆସନରେ ପ୍ରାର୍ଥୀ ହେବାପାଇଁ ଆଶାୟୀଙ୍କ ଧାଡି ଲମ୍ବୁଛି । ଏହାଛଡା ଆଉ ଯେଉଁ ସାଂସଦ ଓ ବିଧାୟକମାନେ ବିବାଦର ଘେରରେ ଅଛନ୍ତି ଏବଂ ଯେଉଁମାନଙ୍କ ପାଇଁ ଦଳର ଭାବମୂର୍ତ୍ତି ଉପରେ ଆଞ୍ଚ ଆସୁଥିବା ଆଶଙ୍କା ରହିଛି ସେମାନଙ୍କ ଭିତରୁ କେତେକଙ୍କୁ ବିଜେଡି ପୁର୍ନବାର ପ୍ରାର୍ଥୀ କରିନପାରେ ବୋଲି ଚର୍ଚ୍ଚା ହେଉଥିବା ପରିପ୍ରେକ୍ଷୀରେ ସେଠାରେ ବି ଅନୁରୂପ ଅବସ୍ଥା ।

ଗୋପାଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏକଦା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ ଏବଂ ଗଞ୍ଜାମ ଜିଲ୍ଲାରେ ଦଳୀୟ ସଂଗଠନ କାମ ବୁଝିବା ସହିତ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ମଧ୍ୟ କାମ କରୁଥିଲେ । ତେବେ ଶ୍ରୀ ପାଣିଗ୍ରାହୀ ବିତର୍କର ବଳୟକୁ ଆସି ଗିରଫ ହେବାପରେ ବିଜେଡି ତାଙ୍କ ଠାରୁ ଦୂରେଇ ରହିବା ସହ ପରବର୍ତ୍ତୀ ସମୟରେ ତାଙ୍କୁ ଦଳରୁ ଦୂରେଇ ଦେଇଛି । ଗୋପାଳପୁର ନିର୍ବାଚନମଣ୍ଡଳୀରେ ଓ ଅନ୍ୟତ୍ର ଶ୍ରୀ ପାଣିଗ୍ରାହୀଙ୍କୁ ବିଜେଡି ଜୋରଦାର ବିରୋଧ କରିବା ସହ ଏଥର ଏହି ଆସନରୁ ନୂଆ ପ୍ରାର୍ଥୀ ଛିଡା କରାଇବା ଏକ ପ୍ରକାର ନିଶ୍ଚିତ ଥିବାବେଳେ ଶ୍ରୀ ପାଣିଗ୍ରାହୀ ମଧ୍ୟ ନିଜ ଗଡ ରକ୍ଷାପାଇଁ ଗୋପାଳପୁରରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ।

ସେହିଭଳି ଏକଦା ବୋଲଗଡ-ବେଗୁନିଆ ଅଞ୍ଚଳର ବିଧାୟକ ଥିବା ପ୍ରଶାନ୍ତ କୁମାର ଜଗଦ୍ଦେବ ବିତର୍କିତ ହେବାପରେ ତାଙ୍କୁ ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରାଇ ବିଜେଡି ଚିଲିକାରୁ ୨୦୧୯ ନିର୍ବାଚନରେ ପ୍ରାର୍ଥୀ କରାଇ ଜିଣାଇଥିଲା । ପରବର୍ତ୍ତୀ ସମୟରେ ବିଧାୟକ ଶ୍ରୀ ଜଗଦ୍ଦେବ ବିର୍ତକିତ ହେବା ସହ ମାମଲାରେ ଛନ୍ଦିହୋଇ ଗିରଫ ହୋଇଥିଲେ ଏବଂ ତାଙ୍କଠାରୁ ମଧ୍ୟ ବିଜେଡି ନିଜକୁ ଦୂରେଇ ଦେବା ସଂଗେ ସଂଗେ ଆଉ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁନାହିଁ । ଶ୍ରୀ ଜଗଦ୍ଦେବ ଜଣେ ଟାଣୁଆ ସଂଗଠକ ଓ ଛାମୁଆ ନେତା ଥିଲେ । ଏ ପରିପ୍ରେକ୍ଷୀରେ ଦଳ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେଡି ଟିକଟ ମିଳିବା ସମ୍ଭବନା କ୍ଷୀଣ । ଏହା ସତ୍ୱେ ବି ଶ୍ରୀ ଜଗଦ୍ଦେବ ତାଙ୍କ ବିଶ୍ୱସ୍ତ କର୍ମୀଙ୍କ ସହିତ ସମ୍ପର୍କ ରଖିଛନ୍ତି । ତାଙ୍କ ସ୍ଥାନରେ ଆଉ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଦଳୀୟ ସୁପ୍ରିମୋଙ୍କ ଉପରେ ନିର୍ଭର କରୁଥିବାରୁ ତାଙ୍କ ଆସନପାଇଁ ମଧ୍ୟ ଆଶାୟୀଙ୍କ ଧାଡି ଲମ୍ବୁଛି ।

ଏକଦା ବାଲେଶ୍ୱର ଜିଲ୍ଲାର ରେମୁଣା ଆସନ ବିଜେପି ହାତରେ ଥିଲା । ବିଜେଡି ପ୍ରାର୍ଥୀ ସୁଧାଂଶୁ ଶେଖର ପରିଡା ୨୦୧୯ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ଏଠାରୁ ଜିଣିଥିଲେ । ତାଙ୍କ ସଂସ୍ଥା ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିବାପରେ ବିଜେଡି ଶ୍ରୀ ପରିଡାଙ୍କୁ ଦଳରୁ ଦୂରେଇ ଦେଇଛି । ଏହାପରେ ବି ତାଙ୍କୁ କେତେକ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ତେବେ ୨୦୨୪ର ବିଧାନସଭା ନିର୍ବାଚନରେ ସୁଧାଂଶୁଙ୍କ ସ୍ଥାନରେ ବିଜେଡି ନୂଆ ପ୍ରାର୍ଥୀ ଦେଇପାରେ ବୋଲି ଜୋରଦାର ଚର୍ଚ୍ଚା ହେଉଥିବାରୁ ଏହି ଆସନ ପାଇଁ ଆଶାୟୀଙ୍କ ଧାଡି ଲମ୍ବୁଛି ।

ସେହିଭଳି ବିଜେଡିର ଉପସଭାପତି ଥିବା ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ନିକଟରେ ଦଳରୁ ଦୂରେଇ ଦିଆଯାଇଛି । ସୌମ୍ୟ ରଞ୍ଜନଙ୍କର ଖଣ୍ଡପଡା ଆସନ ସହିତ ଦୀର୍ଘ ବର୍ଷର ସମ୍ପର୍କ । ୨୦୧୪ ନିର୍ବାଚନରେ ଏଠାରୁ ସେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲେ । ଇତି ମଧ୍ୟରେ ଖଣ୍ଡପଡା ପାଇଁ ସୌମ୍ୟଙ୍କ ବଦଳରେ ନୂଆ ପ୍ରାର୍ଥୀ ଦିଆଯିବ ବୋଲି ବିଜେଡିର ବରିଷ୍ଠ ନେତାମାନେ ଗଣମାଧ୍ୟମରେ ବିବୃତ୍ତି ଦେଇସାରିଛନ୍ତି । ଏ ପରିପ୍ରେକ୍ଷୀରେ ଖଣ୍ଡପଡାରୁ ବିଜେଡି ପ୍ରାର୍ଥୀ ହେବାପାଇଁ ଆଶାୟୀଙ୍କ ସଂଖ୍ୟା ବଢୁଛି । 

Leave A Reply

Your email address will not be published.