ବିଚାର ପ୍ରତୀକ୍ଷାରେ ୧୩ଲକ୍ଷରୁ ଅଧିକ ଅପରାଧିକ ମାମଲା

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଆଇନ ଅଦାଲତରେ ଏବେ ୧୩ଲକ୍ଷରୁ ଅଧିକ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଥିବା ଜାତୀୟ ଜୁଡିସିଆଲ୍‍ ଡାଟା ଗ୍ରୀଡ୍‍ର ତଥ୍ୟ କହୁଥିବାବେଳେ ସରକାରଙ୍କ ହିସାବ ମୁତବାକ ଏହି ସଂଖ୍ୟା ପ୍ରାୟ ୧୫ଲକ୍ଷ । ମୋଟାମୋଟି ଭାବେ ଆମ ରାଜ୍ୟରେ ପାଖାପାଖି ୨୦ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ଥିବା ସରକାରୀ ହିସାବରୁ ଜଣାପଡୁଥିବାବେଳେ ଜୁଡିସିଆଲ୍‍ ଡାଟା ଗ୍ରୀଡ୍‍ର ତଥ୍ୟ ମୁତାବକ ଏହି ସଂଖ୍ୟା ୧୬ଲକ୍ଷରୁ ଅଧିକ ।

ସେହିଭଳି ସାରା ଦେଶରେ ଆଇନ ଅଦାଲତ ଗୁଡିକରେ ୫କୋଟିରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବା କଥା ସଂସଦରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ତଥ୍ୟରୁ ଜଣାପଡିଥିବାବେଳେ ଜାତୀୟ ଜୁଡିସିଆଲ୍‍ ଡାଟା ଗ୍ରୀଡ୍‍ର ତଥ୍ୟ ମୁତାବକ ଏହି ସଂଖ୍ୟା ୪ କୋଟି ୪୫ଲକ୍ଷରୁ ଅଧିକ । ଡାଟା ଗ୍ରୀଡ୍‍ର ହିସାବ ମୁତାବକ ଆମ ଦେଶରେ ୩କୋଟି ୩୪ଲକ୍ଷରୁ ଊର୍ଦ୍ଧ୍ୱ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଥିମଧ୍ୟରୁ ପାଖାପାଖି ୬୬ହଜାର ଅପରାଧିକ ମାମଲା ୩୦ବର୍ଷରୁ ଅଧିକ ସମୟ ଧରି ଗଡୁଛି । ଓଡ଼ିଶାରେ ବି ୩୦ବର୍ଷରୁ ଅଧିକ ସମୟ ଧରି ଗଡୁଥିବା ଅପରାଧିକ ମାମଲା ସଂଖ୍ୟା ଅଢେଇ ହଜାରରୁ ଅଧିକ ।

୨୦୨୩ ଅକ୍ଟୋବର ୨୧ରେ ଜାତୀୟ ଡାଟା ଗ୍ରୀଡ୍‍ରୁ ସଂଗ୍ରହ କରାଯାଇଥିବା ତଥ୍ୟ ମୁତାବକ ଓଡ଼ିଶାର ନ୍ୟାୟାଳୟମାନଙ୍କରେ ନ୍ୟାୟ ପ୍ରତୀକ୍ଷାରେ ଥିବା ୧୬ଲକ୍ଷରୁ ଅଧିକ ମାମଲା ଭିତରୁ ୨,୯୫, ୭୫୧ଟି ଦେୱାନୀ ମାମଲା ଥିବାବେଳେ ୧୩,୦୪, ୮୨୯ଟି ହେଉଛି ଫୌଜଦାରୀ ମାମଲା । ମୋଟ ମାମଲା ଗୁଡିକ ଭିତରୁ ୩, ୫୬, ୮୧୬ଟି ୫ରୁ ୧୦ବର୍ଷର ପୁରୁଣା ଥିବାବେଳେ ୧୦ରୁ ୨୦ବର୍ଷର ପୁରୁଣା ମାମଲା ସଂଖ୍ୟା ହେଉଛି ୧, ୯୧, ୧୭୧ । ଏହାଛଡ଼ା ୨୦ରୁ ୩୦ବର୍ଷ ଧରି ବିଚାର ପ୍ରତୀକ୍ଷାରେ ଓଡ଼ିଶାରେ ୩୨, ୯୦୯ଟି ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ମୋଟାମୋଟି ଭାବେ ଓଡ଼ିଶାରେ ୫ବର୍ଷର ପୁରୁଣା ମାମଲା ସଂଖ୍ୟା ପ୍ରାୟ ୩୭ ପ୍ରତିଶତ ।

ରାଜ୍ୟରେ ଯେତେ ମାମଲା ପଡି ରହିଛି ସେଥି ମଧ୍ୟରୁ ୧୦ଲକ୍ଷରୁ ଅଧିକ ବିଳମ୍ବିତ କାରଣ ଯୋଗୁ ଘୁଷୁଡୁ ଥିବାବେଳେ ମହିଳାମାନେ ରୁଜୁ କରିଥିବା ୭୮, ୧୦୮ ଓ ବରିଷ୍ଠ ନାଗରିକମାନେ ଦାୟର କରିଥିବା ୯୫, ୭୧୫ଟି ମାମଲା ଫଇସଲା ନହୋଇ ବିଚାର ପ୍ରତୀକ୍ଷାରେ ରହିଛି ।

ସାରା ଦେଶରେ ବିଳମ୍ବିତ କାରଣ ଯୋଗୁ ୨କୋଟିରୁ ଅଧିକ ମାମଲା ପଡିରହିଥିବା ଜାତୀୟ ଡାଟା ଗ୍ରୀଡ୍‍ର ତଥ୍ୟ କହୁଛି । ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ବରିଷ୍ଠ ନାଗରିକମାନଙ୍କ ଦ୍ୱାରା ରୁଜୁ ହୋଇଥିବା ୨୮, ୧୩, ୯୭୭ ଓ ମହିଳାମାନେ ଦାୟର କରିଥିବା ୩୬, ୫୬, ୭୬୫ଟି ମାମଲା ସାରା ଦେଶରେ ବର୍ଷ ବର୍ଷ ଧରି ଗଡୁଛି । ଭାରତର ବିଭିନ୍ନ ନ୍ୟାୟାଳୟରେ ଯେତେ ମାମଲା ରହିଛି ସେଥିରୁ ୫ବର୍ଷରୁ ପୁରୁଣା ମାମଲାର ହାର ହେଉଛି ପ୍ରାୟ ୨୫ ପ୍ରତିଶତ ।

ଏହି ତଥ୍ୟ ମୁତାବକ ସୁପ୍ରିମ୍‍କୋର୍ଟରେ ଏବେ ୭୮, ୯୭୫ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ଫୌଜଦାରୀ ମାମଲା ସଂଖ୍ୟା ହେଉଛି ୧୭, ୦୪୧ । ଏହି ତଥ୍ୟ ମୁତାବକ ଏବେ ଓଡ଼ିଶା ହାଇକୋର୍ଟରେ ୧, ୪୫, ୭୪୨ଟି ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ସେଥିମଧ୍ୟରୁ ଅପରାଧିକ ମାମଲା ସଂଖ୍ୟା ହେଉଛି ୩୭, ୬୧୨ । ମହିଳାମାନେ ରୁଜୁ କରିଥିବା ୧୨, ୭୮୬ ଓ ବରିଷ୍ଠ ନାଗରିକଙ୍କ ଦ୍ୱାରା ରୁଜୁ ହୋଇଥିବା ୧୮, ୭୬୫ଟି ମାମଲା ଓଡ଼ିଶା ହାଇକୋର୍ଟରେ ବିଚାର ପାଇଁ ରହିଛି । ଡାଟାଗ୍ରୀଡ୍‍ର ତଥ୍ୟ ମୁତବାକ ଓଡ଼ିଶା ହାଇକୋର୍ଟରେ ଯେତେ ମାମଲା ରହିଛି ସେଥିମଧ୍ୟରୁ ପ୍ରାୟ ୪୩ ପ୍ରତିଶତ ହେଉଛି ୫ବର୍ଷରୁ ଅଧିକ ପୁରୁଣା । ଏହି ପୁରୁଣା ମାମଲା ମଧ୍ୟରୁ ୬୮୨ଟି ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଚାର ପ୍ରତୀକ୍ଷାରେ ଥିବାବେଳେ ୪୬୦୬ଟି ୨୦ରୁ ୩୦ବର୍ଷ ଧରି, ୨୪, ୩୮୦ଟି ୧୦ରୁ ୨୦ବର୍ଷ ଧରି ଏବଂ ୩୩, ୫୮୬ଟି ୫ରୁ ୧୦ବର୍ଷ ଧରି ଫଇସଲା ପାଇଁ ରହିଛି ।

Leave A Reply

Your email address will not be published.