ପ୍ରଭାବଶାଳୀ ଆଇଏଏସ୍ ଭିକେ ପାଣ୍ଡିଆନ ଚାକିରିରୁ ସ୍ୱେଚ୍ଛାକୃତ ଅବସର

 ପ୍ରଭାବଶାଳୀ ଆଇଏଏସ୍ ଭିକେ ପାଣ୍ଡିଆନଙ୍କୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଅନୁମତି ମିଳିଛି । ଉଭୟ ବିଜେଡି ଓ ସରକାରରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା ଶ୍ରୀ ପାଣ୍ଡିଆନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାକୁ ନେଇ ରାଜନୀତିକ ମହଲରେ ଅଙ୍କକଷା ଆରମ୍ଭ ହେଲାଣି । ଯଦିଓ ଶ୍ରୀ ପାଣ୍ଡିଆନ ଏପର୍ଯ୍ୟନ୍ତ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ମୁହଁ ଖୋଲିନାହାନ୍ତି ତଥାପି ବିଜେଡି ରାଜନୀତିରେ ସେ ଆଉ ବ୍ୟାକଡୋରରେ ନୁହେଁ ଏଣିକି ଫ୍ରଣ୍ଟଫୁଟରେ ରହି ସକ୍ରିୟ ଭୂମିକା ତୁଲାଇବେ ବୋଲି ସ୍ପଷ୍ଟ ହୋଇଛି ।

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଖୋଲାଖୋଲି ବିଜେଡିର ସାଂଗଠନିକ କାର୍ଯ୍ୟ ଓ ଟିକେଟ୍ ବଂଟନଠୁ ଆରମ୍ଭ କରି ନିର୍ବାଚନୀ ପରିଚାଳନା କାର୍ଯ୍ୟ ନିଜେ ତଦାରଖ କରିବେ । ଯେଉଁଥିପାଇଁ ସରକାରୀ ଚାକିରି ଛାଡ଼ିବାର ଆବଶ୍ୟକତା ଥିଲା । ବିରୋଧୀ ବି ଆଉ ସରକାରୀ କର୍ମଚାରୀ ବୋଲି କହି ଟାର୍ଗେଟ୍ କରିପାରିବେ ନାହିଁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୟାସାଧିକ ଯୋଗୁ ସାଧାରଣ ନିର୍ବାଚନବେଳେ ପ୍ରଚାର କାର୍ଯ୍ୟରେ ସବୁ ନିର୍ବାଚନମଣ୍ଡଳୀ ଯାଇନପାରନ୍ତି । ତାଙ୍କର ପ୍ରତିନିଧି ଓ ଘନିଷ୍ଠ ଭାବେ ପାଣ୍ଡିଆନ ସେହି ଦାୟିତ୍ୱ ତୁଲାଇ ପାରନ୍ତି । ବିଜେଡିର ମାଲକାନଗିରିରୁ ମୟୂରଭଞ୍ଜ ଓ କୋରାପୁଟରୁ କଟକ ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ସାଂଗଠନିକ ବିବାଦ ରହିଥିବାରୁ ପାଣ୍ଡିଆନ ନିଜେ ଖୋଲାଖୋଲି ରାଜନୀତିକ ନେତୃତ୍ୱ ଭୂମିକା ତୁଲାଇବେ । ବିଜେଡିର ନମ୍ବର ଟୁ ଭାବେ ଟିକେଟ୍ ବଂଟନ କରିବେ ଓ ଦଳୀୟ କନ୍ଦଳକୁ ନିଜ ରଣନୀତିରେ ଚପାଇବାକୁ ପ୍ରୟାସ କରିପାରନ୍ତି । ବିଜେଡିରେ ଅସନ୍ତୁଷ୍ଟ ନେତା ବି ତାଙ୍କ ବିରୁଦ୍ଧରେ ମୁହଁ ଖୋଲିବାକୁ  ସାହାସ କରିପାରିବେ ନାହିଁ ।

Leave A Reply

Your email address will not be published.