ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଓଡ଼ିଶାରେ ଥିବା ବ୍ୟବସାୟିକ ବ୍ୟାଙ୍କଗୁଡ଼ିକ ଶିକ୍ଷା ଓ ଗୃହ ଋଣ ପ୍ରଦାନ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ।
ସରକାରୀ ତଥ୍ୟ ଅନୁଯାୟୀ, ଜୁନ୍ ଶେଷ ସୁଦ୍ଧା ଏହି ବ୍ୟାଙ୍କଗୁଡ଼ିକ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଧାର୍ଯ୍ୟ କରାଯାଇଥିବା ମୋଟ ବାର୍ଷିକ ଋଣ ଯୋଜନା ଲକ୍ଷ୍ୟର ମାତ୍ର ୯ ପ୍ରତିଶତ ମଧ୍ୟରେ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।
ବାର୍ଷିକ ୧୧୫୩.୩୫ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଜୁନ୍ ଶେଷ ସୁଦ୍ଧା ବ୍ୟାଙ୍କଗୁଡ଼ିକ ଗରିବ ଛାତ୍ରଛାତ୍ରୀଙ୍କୁ ମାତ୍ର ୧୦୨.୩୬ କୋଟି ଟଙ୍କା (୮.୮୮%) ଶିକ୍ଷା ଋଣ ପ୍ରଦାନ କରିଛନ୍ତି । ତେବେ ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ଏହି ସଫଳତା ୧୨.୭୯% ରହିଥିଲା ।
ସେହିପରି ଗୃହ ଋଣ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ବାର୍ଷିକ ୬୬୧୪.୫୦ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଜୁନ୍ ଶେଷ ସୁଦ୍ଧା ଗ୍ରାହକଙ୍କୁ ୫୯୨.୪୨ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି । ଅର୍ଥାତ ଗତବର୍ଷର ୮.୭୨% ସଫଳତା ତୁଳନାରେ ଚଳିତବର୍ଷର ସଫଳତା ୮.୯୬% ରହିଛି ।
ଗତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍ୱିସି) ବୈଠକରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବ୍ୟାଙ୍କଗୁଡ଼ିକର ଖରାପ ପ୍ରଦର୍ଶନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରମୁଖ ସାମାଜିକ କ୍ଷେତ୍ରକୁ ଋଣ ପ୍ରଦାନ ଉପରେ ଅଧିକ ଧ୍ୟାନ ଦେବାକୁ ସେ ସମସ୍ତ ବ୍ୟାଙ୍କକୁ ଅନୁରୋଧ କରିଥିଲେ ।
ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ବଢୁଥିବା ଋଣ ଚାହିଦାକୁ ଦୃଷ୍ଟିରେ ରଖି ବାର୍ଷିକ ଋଣ ଯୋଜନା (ଏସିପି) ଅଧୀନରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଉପରେ ସେ ଆଲୋକପାତ କରିଥିଲେ । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଏସିପି ଲକ୍ଷ୍ୟ ୧.୬୦ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା କି ପୂର୍ବ ବର୍ଷର ୧.୩୪ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ତୁଳନାରେ ୧୯.୦୨% ଅଧିକ ।
ଜୁନ୍ ୨୦୨୩ ସୁଦ୍ଧା, ବ୍ୟାଙ୍କଗୁଡ଼ିକ ଏସିପି ଲକ୍ଷ୍ୟର ୨୮.୭୦% ହାସଲ କରିଛନ୍ତି ଏବଂ ସେ ଏହି ଗତି ବଜାୟ ରଖିବାକୁ ଏବଂ ପୂର୍ବ ବର୍ଷ ପରି ଚଳିତ ବର୍ଷ ଏସିପି ଲକ୍ଷ୍ୟର ୧୦୦% ହାସଲ କରିବାକୁ ଅନୁରୋଧ କରିଛନ୍ତି ।
ଶ୍ରୀ ଆରୁଖ ଉଲ୍ଲେଖ କରିଛନ୍ତି ଯେ ୨୦୨୩ ଜୁନ୍ ୩୦ ସୁଦ୍ଧା କ୍ରେଡିଟ୍ ଡିପୋଜିଟ୍ ରେସିଓ (ସିଡି ଅନୁପାତ) ୮୧.୪୪% କୁ ବୃଦ୍ଧି ପାଇଛି, ଯାହା ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୮୦.୭୭% ଥିଲା । ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ସମସ୍ତ ବ୍ୟାଙ୍କ ଉଦ୍ୟମ ଜାରି ରଖିବାକୁ ସେ କହିଥିଲେ ।