ଥାନା ଭିତରେ ଥାନା ଅଧିକାରଣୀଙ୍କୁ ଗଳା କାଟି ହତ୍ୟା ଉଦ୍ୟମ

ମୟୂରଭଞ୍ଜ; ବିଶୋଇ ଥାନା ଅଧିକାରିଣୀଙ୍କୁ ଥାନା ଭିତରେ ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଅଭିଯୁକ୍ତ।ଏଥିରେ ଥାନା ଅଧିକାରିଣୀ ଜଣକ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଲହୁଲୁହାଣ ହେବାକୁ ପଡ଼ିଛି।ତେବେ,ଘଟଣା ଘଟାଇଥିବା ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।ଏହିପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।ସୂଚନାଥାଉକି,ଗତ ୧୬ ତାରିଖ ରାତିରେ ବିଶୋଇ ଅଞ୍ଚଳର ସର୍ବପୁରାତନ ଶୈବ ପୀଠ ବାବା ଜଳେଶ୍ୱର ପୀଠର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ହୋଇଥିଲା।ଏହି ଘଟଣାକୁ ନେଇ ଗତ ୧୭ ତାରିଖରେ ମନ୍ଦିର କମିଟି ପକ୍ଷରୁ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯିବା ପରେ ଉକ୍ତ ଘଟଣାକୁ ନେଇ ବିଶୋଇ ଥାନାରେ କେସ ନଂ ୧୯୭/୨୩ ରେ ଏକ ମାମଲା ରୁଜ୍ଜୁ ହୋଇ ବିଶୋଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।ପରେ ଘଟଣାର ତଦନ୍ତ ପାଇଁ ମନ୍ଦିରର ଦୀର୍ଘବର୍ଷ ଧରି ସେବାୟତ ଭାବରେ କାର୍ଯ୍ୟରତ ମନ୍ଦିର ନିକଟସ୍ଥ ବିଶୋଇଗାଁ ଗ୍ରାମର ସୁଶାନ୍ତ ଦେଓ(୫୨)ଙ୍କୁ ପଚରାଉଚରା ପାଇଁ ଡ଼କାଯାଇଥିଲା।ତେବେ ଘଟଣାର ତଦନ୍ତ ପାଇଁ ଗତକାଲି ସନ୍ଧ୍ୟା ସମୟରେ  ମଧ୍ୟ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ପୁଣି ଥରେ ସୁଶାନ୍ତଙ୍କୁ ଥାନାକୁ ଡାକିଥିଲେ।ପଚରାଉଚରା କରିବା ପରେ ସୁଶାନ୍ତ ହୁଣ୍ଡି ଟଙ୍କା ଚୋରି ଘଟଣାରେ ସମ୍ପୃକ୍ତ ଥିବା ନେଇ ସ୍ୱୀକାର କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କ ନାମ ମଧ୍ୟ କହିଥିଲେ।ତେଣୁ,ଅଭିଯୁକ୍ତ ସୁଶାନ୍ତଙ୍କୁ ବିଶୋଇ ଥାନା ଗୃହରେ ଅଟକ ରଖାଯାଇଥିଲା।ତେବେ,ସନ୍ଧ୍ୟା ପାଖାପାଖି ସାଢ଼େ ୮ ଘଟିକା ସମୟରେ ଥାନାରେ ଅନ୍ୟ କର୍ମଚାରୀ ମାନେ ଅନ୍ୟ ଏକ ଘଟଣାର ତଦନ୍ତ କରିବାକୁ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଶ୍ରୀମତୀ ଭୋଇ ଥାନା ଅଫିସ ପରିସରରେ ଏକାକି ବସିଥିଲେ। ଥାନା ଗୃହ ଭିତରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ପୂର୍ବ ଯୋଜନା ମୁତାବକ ନିଜ ସହିତ ଆଣିଥିବା ଏକ ଧାରୁଆ ବ୍ଲେଡ଼ ସହାୟତାରେ ଶ୍ରୀମତୀ ଭୋଇଙ୍କ ଗଳା କାଟିବାକୁ ଉଦ୍ୟମ କରିଥିଲେ ଯାହାର ଭିଡିଓ ସିସିଟିଭି ଫୁଟେଜରେ କଏଦ ହୋଇଥିଲା ।ତେବେ,ଶ୍ରୀମତୀ ଭୋଇ କୌଶଳକ୍ରମେ ଅଭିଯୁକ୍ତ କବଳରୁ ରକ୍ଷା ପାଇ ଚିତ୍କାର କରିଥିଲେ।ଚିତ୍କାର ଶୁଣି ଥାନା ପରିସରରେ ଥିବା ଅନ୍ୟ କର୍ମଚାରୀ ମାନେ ଅଫିସ ଗୃହକୁ ଆସି ଅଭିଯୁକ୍ତକୁ କାବୁ କରିବା ସହିତ ଧାରୁଆ ବ୍ଲେଡ଼କୁ ଜବତ କରିଥିଲେ।ଶ୍ରୀମତୀ ଭୋଇଙ୍କ ବେକ ଓ ହାତ ଆଙ୍ଗୁଳି ବ୍ଲେଡ଼ରେ କଟି ଯାଇଥିବା ହେତୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ଅବସ୍ଥାରେ ଥାନା ଅଧିକାରିଣିଙ୍କୁ ବିଶୋଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ସେଠାରେ ଚିକିତ୍ସିତ କରାଯାଇଥିଲା।ଏହି ଘଟଣାକୁ ନେଇ ଆଜି ବିଶୋଇ ଥାନାରେ କେସ ନଂ ୨୦୯/୨୩ (ଆଇପିସି ସେକ୍ସନ ୩୪୧,୩୩୨,୩୩୩,୩୨୪,୩୫୪,୩୦୭)ରେ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।ଯାହାକୁ ନେଇ ପୋଲିସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ଜିଲ୍ଲା ପୋଲିସ ସୂଚନା ଅଧିକାରୀ ଡୋଳାମଣି ଭୋଇ।

Leave A Reply

Your email address will not be published.