ଭୁବନେଶ୍ୱର : ଘରୋଇ ବସ୍ଗୁଡିକ ଯାତ୍ରୀଙ୍କ ଠାରୁ ମନଇଚ୍ଛା ଭଡା ଆଦାୟ କରୁଛନ୍ତି । ଭୁବନେଶ୍ୱରର କୌଣସି ସ୍ଥାନରୁ କଟକ ଯିବାପାଇଁ ଯାତ୍ରୀଙ୍କୁ ପାର୍ବଣ ସମୟରେ ୫୦ ଟଙ୍କା ଗଣିବାକୁ ପଡୁଛି । ବସ୍ ଚଳାଚଳକୁ ନେଇ ରାଜ୍ୟ ସରକାର ଘରୋଇ ବସ୍ ମାଲିକଙ୍କ ମଧ୍ୟରେ ବାରମ୍ବାର ବୈଠକ ବସୁଥିବାବେଳେ ଘରୋଇ ବସ୍ର ମନଇଚ୍ଛା ଭଡା ଆଦାୟ ସଂକ୍ରାନ୍ତରେ କିନ୍ତୁ କେହି ମୁହଁ ଖୋଲୁ ନାହାନ୍ତି ।
ଦଶହରା ଛୁଟି ଆରମ୍ଭ ଦିନ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇବା ପରେ ଲୋକେ ଯିବା ଆସିବାପାଇଁ କଲବଲ ହେଲେ । ସରକାରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ଧର୍ମଘଟରୁ ଓହରିଲେ । ହେଲେ ଲୋକଙ୍କ ଭିଡକୁ ଦେଖି ମନଇଚ୍ଛା ଭଡା ଆଦାୟ କଲେ । କଟକରୁ ଭୁବନେଶ୍ୱର ସାଧାରଣ ବସ୍ରେ ଯାଉଥିବା ଲୋକେ ୫୦ ଟଙ୍କାର ଭଡା ଗଣିଲେ । କାରଣ ସେହି ସମୟରେ ଦୂରଗାମୀ କୌଣସି ଏକ୍ସପ୍ରେସ୍ ବସ୍ ଭୁବନେଶ୍ୱରରୁ କଟକକୁ ଯାତ୍ରୀ ନେବାପାଇଁ ରାଜି ହେଲେ ନାହିଁ ।
ପରିବହନ ବିଭାଗ ଭଡା ଧାର୍ଯ୍ୟ କରିବା ସହିତ ତାଙ୍କ ୱେବସାଇଟ୍ରେ ଦେଇଥିବା ସୂଚନା ଅନୁଯାୟୀ ଜଣେ ଯାତ୍ରୀ ସାଧାରଣ ବସ୍ରେ ଭୁବନେଶ୍ୱର ବରମୁଣ୍ଡାରୁ କଟକର ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଗଲେ ତାଙ୍କୁ ଭଡା ଆକାରରେ ୨୬ଟଙ୍କା ୭୦ ପଇସା ଦେବାକୁ ପଡିବ । ୩୦ କିଲୋମିଟର ଏହି ଦୂରତା ପାଇଁ ସାଧାରଣ ବସ୍ରେ କିଲୋମିଟର ପିଛା ୮୯ ପଇସା ଭଡା ଧାର୍ଯ୍ୟ ହୋଇଛି । ସେହିଭଳି ଷ୍ଟାଣ୍ଡାର୍ଡ ଏସି ବସ୍ରେ ଗଲେ ୨୭ଟଙ୍କା ୯୦ ପଇସା ଓ ଡିଲକ୍ସ ଏସି ବସରେ ଗଲେ ୪୭ଟଙ୍କା ୧୦ ପଇସା ଦେବାକୁ ପଡିବ ।
ହେଲେ ପାର୍ବଣ ସମୟରେ ସାଧାରଣ ବସ୍ଗୁଡିକ ଲୋକଙ୍କ ଭିଡ ଦେଖି ଭୁବନେଶ୍ୱରର କୌଣସି ସ୍ଥାନରୁ କଟକ ଅଭିମୁଖେ ଯାଉଥିବା ଲୋକଙ୍କ ଠାରୁ ୫୦ ଟଙ୍କା ଆଦାୟ କଲେ । ଏପରିକି ବାଣୀବିହାରରୁ କଟକ ବସ୍ଷ୍ଟାଣ୍ଡର ଦୂରତା ୨୪ କିଲୋମିଟର ହୋଇଥିବାବେଳେ ସାଧାରଣ ବସ୍ରେ ଭଡା ଆକାରରେ ୨୧ଟଙ୍କା ୩୬ ପଇସା ଧାର୍ଯ୍ୟ ହୋଇଛି । ହେଲେ ପରିବହନ ବିଭାଗର ଏହି ଭଡାକୁ କେହି ମାନୁ ନାହାନ୍ତି ।
ପାର୍ବଣ ସମୟରେ ଲୋକଙ୍କ ଠାରୁ ଜବରଦସ୍ତ କରି ୫୦ ଟଙ୍କା ଭଡା ଆଦାୟ କରୁଥିବା ସାଧାରଣ ବସ୍ଗୁଡିକ ଅନ୍ୟ ଦିନରେ ୪୦ ଟଙ୍କା ନେଉଛନ୍ତି । ଏହା ବି ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଭଡା ଠାରୁ ୧୩ ଟଙ୍କାରୁ ଅଧିକ ରହୁଛି । ଏହାଛଡା ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ ଭଡା ଭିନ୍ନ ଭିନ୍ନ ରହିଥିଲେ ମଧ୍ୟ ସେହି ଅନୁଯାୟୀ କୌଣସି ଭଡା ଆଦାୟ ହେଉନାହିଁ । କଟକରୁ ଭୁବନେଶ୍ୱରକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଠାରୁ ଗୋଟିଏ ପ୍ରକାର ଭଡା ଆଦାୟ ହେଉଛି ।
ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଦୁଇ ମହାନଗର ନିଗମ ମଧ୍ୟରେ ଚଳାଚଳ କରୁଥିବା ପ୍ରାୟତଃ କୌଣସି ବସ୍ ଯାତ୍ରୀଙ୍କୁ ଭଡା ଲେଖାଯାଇଥିବା ଟିକଟ ଦେଉ ନାହାନ୍ତି । ଏପରିକି କଣ୍ଡକ୍ଟର ହାତରେ ଟିକଟ ବହି ବି ଦେଖିବାକୁ ମିଳୁନାହିଁ । ପୂର୍ବରୁ ପରିବହନ ବିଭାଗର ଅଧିକାରୀମାନେ ଯେଭଳି ରାସ୍ତାର ବିଭିନ୍ନ ସ୍ଥାନରେ ବସ୍ଗୁଡିକୁ ଅଟକାଇ ଅଚାନକ ଯାତ୍ରୀଙ୍କ ଠାରୁ ଭଡା ଆଦାୟ ଓ ଟିକଟ ଦେବାର ଯାଞ୍ଚ କରୁଥିଲେ ତାହା ଆଉ ହେଉନଥିବାରୁ ବସ୍ଗୁଡିକ ନିର୍ଭୟରେ ଯାତ୍ରୀଙ୍କ ଠାରୁ ମନଇଚ୍ଛା ଭଡା ଆଦାୟ କରୁଛନ୍ତି । କେବଳ ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ କଟକ ଚଳାଚଳ କରୁଥିବା ବସ୍ରେ ନୁହେଁ, ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଘରୋଇ ବସ୍ମାନେ ସରକାରଙ୍କ ଧାର୍ଯ୍ୟ ଦରଠାରୁ ମନଇଚ୍ଛା ଅଧିକ ଆଦାୟ କରୁଥିବାବେଳେ ପରିବହନ ବିଭାଗର ନିଷ୍କ୍ରିୟତା ଏବେ ସେମାନଙ୍କୁ ସୁହାଉଥିବା ଲକ୍ଷ୍ୟ କରାଯାଉଛି ।